ଏସ୍‌ସିବିରେ ରୋଗୀସେବା ପାଇଁ ଚିନ୍ତା ନାହିଁ: ମେଡିସିନ୍‌ ବିଭାଗରେ ନାହାନ୍ତି ଅଧା ଡାକ୍ତର

୮ ବିଭାଗ ପ୍ରଫେସର ଶୂନ୍ୟ

କଟକ : ରାଜ୍ୟରେ ସର୍ବବୃହତ୍‌ ସରକାରୀ ସ୍ବାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ ହେଉଛି କଟକର ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍। ରାଜ୍ୟବାସୀଙ୍କ ଆଶା ଭରସାର ପ୍ରତୀକ ବି ଏସ୍‌ସିବି। ଏଥିପାଇଁ ରାଜ୍ୟ ସରକାର ଏହାକୁ ବିଶ୍ବସ୍ତରୀୟ କରିବା ପାଇଁ କୋଟିକୋଟି ଟଙ୍କା ନିର୍ମାଣ କାର୍ଯ୍ୟରେ ଲଗାଇ ଦେଇଛନ୍ତି। କିନ୍ତୁ, ରୋଗୀଙ୍କୁ ସେବା ଦେବାକୁ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଗୁରୁତର ସଙ୍କଟ ଏବେ ଏସ୍‌ସିବିକୁ ଧୀରଧୀରେ ପଙ୍ଗୁ କରିଦେଇଛି। କୋଠାବାଡ଼ି କ’ଣ ରୋଗୀ ସେବା ଯୋଗାଇବ ବୋଲି ପ୍ରଶ୍ନ ଉଠୁଛି। କେବଳ ଚିକିତ୍ସା ସେବା ନୁହେଁ, ଡାକ୍ତର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନଠାରୁ ଆରମ୍ଭ କରି ସେମାନଙ୍କ ଗବେଷଣା ବି ଏଥିରେ ପ୍ରଭାବିତ ହେବାକୁ ଯାଉଛି।

ତଥ୍ୟ ଅନୁଯାୟୀ, ଏସ୍‌ସିବିର ୮ଟି ବିଭାଗରେ ଏବେ ପ୍ରଫେସର ନାହାନ୍ତି। ସରକାର ଯଦି ବର୍ତ୍ତମାନ ପଦକ୍ଷେପ ନ ନିଅନ୍ତି, ତେବେ ଖୁବଶୀଘ୍ର ଆଉ ୨/୩ଟି ବିଭାଗ ମଧ୍ୟ ପ୍ରଫେସର ଶୂନ୍ୟ ହୋଇଯିବ। ମେଡିସିନ୍‌, ନେଫ୍ରୋଲୋଜି, ନ୍ୟୁରୋଲୋଜି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅଧା ଡାକ୍ତର ନାହାନ୍ତି। ମୋଟ୍‌ଉପରେ ଏବେ ଏସ୍‌ସିବିରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ବିଭିନ୍ନ ବିଭାଗରେ ଥିବା ୟୁନିଟ୍‌ ମୁଖ୍ୟ ଭଳି ୩୦ଟି ପଦ ଖାଲିପଡ଼ିଛି। ଟ୍ରମା କେୟାର ୟୁନିଟ୍‌ରେ ୮ଟି ଟ୍ରମା ଆଇସିୟୁ ମେଡିକାଲ ଅଫିସର ପଦ ବି ଖାଲିପଡ଼ିଛି। ଏସ୍‌ସିବିର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମେଡିସିନ୍‌ ବିଭାଗରେ ୭ଟି ୟୁନିଟ୍‌ ରହିଥିବାବେଳେ ୩ ଜଣଙ୍କ ହାତରେ ୭ଟି ୟୁନିଟ୍‌ର ଦାୟିତ୍ବ ରହିଛି। ୮ଟି ଆସୋସିଏଟ୍‌ ପ୍ରଫେସର ପଦ ମଧ୍ୟରୁ ୨ଜଣ, ୧୫ଟି ଏସ୍‌ଆର ପଦରୁ ମାତ୍ର ୨ଜଣ ରହିଛନ୍ତି। ଏଥିରେ ରୋଗୀ ସେବା ସହ ୮୭ ପିଜି ଡାକ୍ତରଙ୍କ ଶିକ୍ଷାଗ୍ରହଣ ବି ପ୍ରଭାବିତ ହେଉଛି। ନେଫ୍ରୋଲୋଜିରେ ବିଭାଗରେ ୨ଟି ଯାକ ପ୍ରଫେସର ପଦ ଖାଲିପଡ଼ିଛି। ୟୁରୋଲୋଜିରେ ଗୋଟିଏରୁ ଗୋଟିଏ ପ୍ରଫେସର ପଦ ଖାଲିପଡ଼ିଛି।

ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ପଦ ଖାଲି ପଡ଼ିଛି। ନେଫ୍ରୋଲୋଜି, ୟୁରୋଲୋଜି, ମାଇକ୍ରୋବାୟୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି, ଫିଜିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡିସିନ୍‌, କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ବିଭାଗ ଭଳି ୮ଟି ବିଭାଗ ପ୍ରଫେସର ଶୂନ୍ୟ ରହିଛି। ଅଗଷ୍ଟରେ ଏନ୍‌ଏମ୍‌ସି(ନ୍ୟାସନାଲ ମେଡିକାଲ କମିସନ) ସୁପରସ୍ପେଶାଲିଟି ବିଭାଗ ଅର୍ଥାତ୍‌ ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, କାର୍ଡିଓଲୋଜି, ହେପାଟୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ପେଡିଆଟ୍ରିକ୍‌ ସର୍ଜରି ବିଭାଗ ପରିଦର୍ଶନରେ ଆସିବେ। ଡାକ୍ତର ପଦବି ପୂରଣ ନ ହେଲେ ହୁଏତ ଗୁରୁତର ସମସ୍ୟା ଦେଖା ଦେବ। ସେହି ଉଦ୍ଦେଶ୍ୟରେ ଗତ ମାସରେ ସରକାର ୫୦ଟି ପ୍ରଫେସର ଓ ୧୪୪ଟି ଆସୋସିଏଟ୍‌ ପ୍ରଫେସର ପଦରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏଥିପାଇଁ ବିଶେଷ କେହି ଆଗ୍ରହ ନ ଦେଖାଇବାରୁ ମାତ୍ର ୨୦ ଆସୋସିଏଟ୍‌ ପ୍ରଫେସର ଓ ଜଣେ ପ୍ରଫେସରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର