କେନ୍ଦୁଝର: ଲଘୁ ଖଣିଜ ଚୋରା ଚାଲାଣ ରୋକିବା ପାଇଁ ବିଭିନ୍ନ ସମୟରେ ଚଢ଼ଉ କରାଯାଉଛି। ବାଲି, ମୋରମ୍ ଓ ପଥର ବୋଝେଇ ଗାଡ଼ି ଜବତ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ହେଲେ ଲଘୁ ଖଣିଜ ଚୋରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯାହା ଚୋରା କରବାରକୁ ପ୍ରୋତ୍ସାହିତ କରୁଛି। ମାଫିଆମାନେ ବେଧଡ଼କ ଲଘୁ ଖଣିଜ ଚୋରି କରୁଥିବାରୁ ବିପୁଳ ରାଜସ୍ବହାନି ହେଉଛି। ଗତ ଦୁଇବର୍ଷରେ କେନ୍ଦୁଝର ଜିଲ୍ଲାରେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଓ ଅନ୍ୟ ବିଭାଗ ପକ୍ଷରୁ ୨୯୨ ଥର ଚଢ଼ଉ ହୋଇଛି। ତେବେ ଦୁଇବର୍ଷରେ କେବଳ ୨୦ଟି ମାମଲା ରୁଜୁ କରାଯାଇଛି। ଚୋରି କର, ଧରାପଡ଼ିଲେ ଜରିମାନା ଦିଅ। ଜରିମାନା ପଇଠ କରିଦେଲେ ସବୁକିଛି ମାଫ୍। ଖଣି ବିଭାଗର ଏଭଳି ଆଭିମୁଖ୍ୟ ଯୋଗୁଁ ଜିଲ୍ଲାରେ ଲଘୁ ଖଣିଜ ଚୋରି ବଢ଼ିବାରେ ଲାଗିଛି।
୨୯୨ ଥର ଚଢ଼ଉ, ମାମଲା ୨୦
ଜରିମାନା ଦେଲେ ମାମଲା ରଫାଦଫା
ତଥ୍ୟ ମୁତାବକ ତେଲକୋଇ ଦେଇ ପ୍ରବାହିତ ସମାକୋଇ ନଦୀରୁ ବ୍ୟାପକ ବାଲି ଚୋରା ଚାଲାଣ ହେଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୪୭ଥର ଚଢ଼ଉ କରାଯାଇ ୫୨ଟି ହାଇୱା, ୩୭ଟି ଟ୍ରାକ୍ଟର ଏବଂ ୧୦୦୫ କ୍ୟୁବିକ୍ ମିଟର ବାଲି ଜବତ କରାଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା, ୪୭ଥର ଚଢ଼ଉ ପରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିପରି ୨୦୨୩-୨୪ରେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ବିଭିନ୍ନ ସ୍ଥାନରେ ୯୧ ଥର ଚଢ଼ଉ କରି ୧୦୭ଟି ହାଇୱା ଓ ୮୪ଟି ଟ୍ରାକ୍ଟର ଜବତ କରିଥିଲା। ୨୪୬୫ କ୍ୟୁବିକ୍ ମିଟର ବାଲି ଜବତ କରାଯାଇଥିଲା। ହେଲେ ରୁଜୁ ହୋଇଥିଲା ମାତ୍ର ୫ଟି ମାମଲା। ଅବଶିଷ୍ଟ ୮୬ଟି ମାମଲାକୁ ଜରିମାନା ନେଇ ରଫାଦଫା କରାଯାଇଥିଲା। ୨୦୨୪-୨୫ରେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୧୫୪ ଥର ଚଢ଼ଉ କରିଛି। ୧୬୬ଟି ହାଇୱା, ୧୨୭ଟି ଟ୍ରାକ୍ଟର ଓ ୭୭୭୮ କ୍ୟୁବିକ୍ ମିଟର ବାଲି ଜବତ କରାଯାଇଛି। ହେଲେ ମାତ୍ର ୧୩ଟି ମାମଲା ରୁଜୁ ହୋଇଛି। ଅବଶିଷ୍ଟ ୧୪୧ଟି ମାମଲାକୁ ଜରିମାନା ନେଇ ରଫାଦଫା କରାଯାଇଛି।
ନିୟମ କହୁଛି, ଲଘୁ ଖଣିଜ ଚୋରା କାରବାର ବେଳେ କୌଣସି ଗାଡ଼ି କିମ୍ବା ସାମଗ୍ରୀ ଧରାପଡ଼ିଲେ, ତାହାକୁ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବ। କିନ୍ତୁ ବାସ୍ତବରେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଲଘୁ ଖଣିଜ ବୋଝେଇ ଗାଡ଼ି ଜବତ କରିବା ପରେ ମାଫିଆ ଓ ବିଭାଗ ମଧ୍ୟରେ ଜରିମାନାକୁ ନେଇ ମୂଲଚାଲ ହେଉଛି। ଜରିମାନା ଦେଲେ ମାମଲା ରୁଜୁ ନକରି ଗାଡ଼ି ଛାଡ଼ି ଦିଆଯାଉଛି। ଏହାଦ୍ବାରା ମାଫିଆମାନେ ଲଘୁ ଖଣିଜ ଚୋରି କରିବାକୁ ସାହସ ପାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/11/V29qsnhgW5Utox9bqKjz.jpg)