ସୁନ୍ଦରଗଡ଼: ୨୦୨୪ ଏପ୍ରିଲ ୯ ତାରିଖରେ ଏମ୍ସିଏଲ୍ କୁଲଡ଼ା ଖଣିରୁ କୋଇଲା ନେଇ ଏକ ଟ୍ରକ୍ (ସିଜି୧୩ଏପି-୩୭୭୮) ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଏଏଲ୍ପିଏସ୍ କମ୍ପାନି ଅଭିମୁଖେ ବାହାରିଥିଲା। କିନ୍ତୁ ଅଧାବାଟରେ କୋଇଲା ବିକି ଦିଆଯାଇଥିଲା। ଆଉ ସେହି ରାତିରେ ପୁଣି କୁଲଡ଼ା ଖଣିକୁ ଫେରିଥିଲା ଟ୍ରକ୍। କିନ୍ତୁ ସେତେବେଳକୁ ଟ୍ରକ୍ର ନମ୍ବର ବଦଳି ଯାଇଥିଲା। ଲାଗିଥିଲା (ସିଜି୧୩ଏଲ୍ଏ-୪୪୦୬) ନମ୍ବର ପ୍ଲେଟ୍। ଗ୍ୟାରେଜ୍ରେ ପଡ଼ିଥିବା ଏକ ଟ୍ରକ୍ ନମ୍ବରର ଷ୍ଟିକର୍ ଲଗାଇ ଆସିଥିଲା ଉକ୍ତ ଟ୍ରକ୍। ଖଣିରୁ ପୁଣି କୋଇଲା ବୋଝେଇ ହୋଇ ଫେରିଲା ବେଳକୁ ନମ୍ବର ଜାଲିଆତି ହୋଇଥିବା ଜାଣିବାକୁ ପାଇଥିଲେ ସୁପରଭାଇଜର। ସେ ବଲିଙ୍ଗା ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ଟ୍ରକ୍କୁ ଜବତ କରି ଚାଳକ ଅନନ୍ତ କୁମାରଙ୍କୁ ଗିରଫ କରିଥିଲା। ଏହି ଘଟଣାର କିଛିଦିନ ପୂର୍ବରୁ ସମାନ ଢଙ୍ଗରେ ନମ୍ବର ଜାଲିଆତି କରି କୋଇଲା ନେଉଥିବା ଅନ୍ୟ ଏକ ଟ୍ରକ୍କୁ ଧରିଥିଲା ପୁଲିସ। ଏମିତି ଯୋଜନାବଦ୍ଧ ଭାବେ ଜାଲିଆତି କରି ଏମ୍ସିଏଲ୍ର ବିଭିନ୍ନ ଖଣିରୁ ଟ୍ରକ୍ ଟ୍ରକ୍ କୋଇଲା ଚୋରି ହେଉଛି। ଏଥିରେ ଖଣି ପ୍ରବେଶପଥରୁ ଆରମ୍ଭ କରି ୱେ’ ବ୍ରିଜ୍ ଓ କୋଇଲା ବୋଝେଇ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନିୟୋଜିତ ଅସାଧୁ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଆସୁଛି। କେବଳ ଖଣି ୱେ ବ୍ରିଜ୍ ନୁହେଁ, ରେଳସାଇଡିଂ ମଧ୍ୟ ଚୋରିର ବଡ଼ ବାଟ ପାଲଟିଛି।
ଖଣିରୁ ଚୋରି ସୁନିୟୋଜିତ ଭାବେ ହୋଇଥାଏ। ଧାର୍ଯ୍ୟ ପରିମାଣର କୋଇଲାଠାରୁ ୩ରୁ ୫ ଟନ୍ ଅଧିକ ବୋଝେଇ କରି ଟ୍ରକ୍ଗୁଡ଼ିକ ବାହାରକୁ ଆସନ୍ତି। ୱେ ବ୍ରିଜ୍ରେ ତାହା ଜଣାପଡ଼ୁଥିଲେ ମଧ୍ୟ ତାକୁ ଜବତ ନ କରି ୱେ ବ୍ରିଜ୍ କର୍ମଚାରୀ ଛାଡ଼ି ଦିଅନ୍ତି। ଖଣିରୁ ବାହାରିବା ପରେ ଟ୍ରକ୍ଗୁଡ଼ିକ ଗୋପନୀୟ ସ୍ଥାନରେ ଅତିରିକ୍ତ କୋଇଲାକୁ ଅନ୍ଲୋଡ୍ କରି ଅବଶିଷ୍ଟ ନେଇ ସାଇଡିଂକୁ ଯାଆନ୍ତି। କେବଳ ସେତିକି ନୁହେଁ, ସାଇଡିଂକୁ ଯେତିକି ନେବା କଥା ସେଥିରୁ ମଧ୍ୟ ୧ରୁ ୨ ଟନ୍ କୋଇଲା କାଢ଼ି ଦିଆଯାଉଛି। ଏମ୍ସିଏଲ୍ର ବିଭିନ୍ନ ସାଇଡିଂରେ ବର୍ଷବର୍ଷ ଧରି କୋଇଲା ଓଜନ କରାଯାଉ ନଥିବାରୁ ଏହାର ସୁଯୋଗରେ ମାଫିଆ ଗୋଷ୍ଠୀ ନିୟମିତ ଏହି ଉପାୟରେ କୋଇଲା ଚୋରି କରି ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଖଣିରୁ ସାଇଡିଂକୁ ଦୈନିକ ହଜାରେରୁ ଅଧିକ ଟ୍ରକ୍ରେ କୋଇଲା ଆସିଥାଏ। କିନ୍ତୁ କିଛି ଟ୍ରକ୍ର କୋଇଲା ସାଇଡିଂରେ ପହଞ୍ଚିବା ପୂର୍ବରୁ ଅଧାବାଟରୁ ଗାଏବ ହୋଇଯାଏ।
ହେଲେ ସାଇଡିଂରେ ତାକୁ କାଗଜପତ୍ରରେ ପ୍ରବେଶ (ଏଣ୍ଟ୍ରି) ଦେଖାଇ ଚୋରି ପ୍ରମାଣକୁ କୋଇଲାଗଦା ଭିତରେ ମିଶାଇ ଦିଆଯାଏ। ସାଇଡିଂରେ କୋଇଲା ପାହାଡ଼ ଭଳି ଗଦା ହୋଇ ରହୁଥିବାରୁ ଖଣିରୁ ଆସୁଥିବା କିଛି ଗାଡ଼ି ଅଧାବାଟରେ ଗାଏବ ହୋଇଗଲେ ବି ଜାଣିବା ମୁସ୍କିଲ। କେବଳ ସେତିକି ନୁହେଁ, କୋଇଲା ବୋଝେଇ କରି ସାଇଡିଂକୁ ପଶିଥିବା ଗାଡ଼ି ଅଧା କୋଇଲା ଖାଲି କରି, ଅଧା ନେଇ ଫେରି ଆସି ତାକୁ ଅନ୍ୟତ୍ର ବିକ୍ରି କରି ଦେଉଥିବାର ମଧ୍ୟ ଅଭିଯୋଗ ହୁଏ। ଗେଟ୍ରେ ତାକୁ ବିନା ଯାଞ୍ଚରେ ବାହାରକୁ ଛାଡ଼ି ଦିଆଯାଏ। ତେଣୁ ସାଇଡିଂରେ ସବୁ କୋଇଲା ଖାଲି ହେଲା କି ନାହିଁ, ତାହା ଜାଣି ହୋଇନଥାଏ। ଏହି ବାଟରେ କେବଳ ଏମ୍ସିଏଲ୍ର ହେମଗିର ଖଣି ଅଞ୍ଚଳରୁ ପ୍ରତି ମାସରେ ୫ ଶହ ଟ୍ରିପ୍ରୁ ଅଧିକ କୋଇଲା ଅଧାବାଟରୁ ଗାଏବ କରି ଦିଆଯାଉଥିବା ଅଭିଯୋଗ ରହିଛି। ଏସବୁ ଚୋରି କୋଇଲା ଇଟାଭାଟି ଓ ଆଖପାଖ ଛୋଟମୋଟ କାରଖାନାରେ ପଶୁଛି। ସବୁଠୁ ବଡ଼କଥା ହେଲା, ଦାୟିତ୍ବରେ ଥିବା ଏମ୍ସିଏଲ୍ ଅଧିକାରୀମାନେ କୋଇଲା ଚୋରି ସମ୍ପର୍କରେ ଜାଣୁଥିଲେ ମଧ୍ୟ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।