ଓଡ଼ିଶୀ ସଙ୍ଗୀତ ପାଠ୍ୟକ୍ରମରେ ରହୁନି ସମନ୍ୱୟ

ସଂଗୀତ ମହାବିଦ୍ୟାଳୟ, ସଂସ୍କୃତି ବିଶ୍ବବିଦ୍ୟାଳୟରେ ନାହାନ୍ତି ନିୟମିତ ଅଧ୍ୟାପକ
କେମିତି ଜୋର୍‌ଦାର ହେବ ଶାସ୍ତ୍ରୀୟ ମାନ୍ୟତା ଦାବି

ଭୁବନେଶ୍ବର, (ସସ୍ମିତା ସାହୁ): ୨୦୦୮ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଓଡ଼ିଶୀ ସଙ୍ଗୀତକୁ ‘ଶାସ୍ତ୍ରୀୟ ସଙ୍ଗୀତ’ର ମାନ୍ୟତା ଦେଲେ। ଏହାର ୧୨ ବର୍ଷ ପରେ ପୁଣି ଥରେ ରାଜ୍ୟ ସରକାରଙ୍କ ଓଡ଼ିଶୀ ସଙ୍ଗୀତ ପ୍ରେମ ଚେଇଁ ଉଠିଲା। ୨୦୨୦ ସେପ୍ଟେମ୍ବର ୨ ତାରିଖରେ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ପ୍ରସ୍ତାବ ଗୃହୀତ ହେଲା। ସେହି ଅନୁଯାୟୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେତିକିରେ ଅଟକିଯାଇଛି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିର ପ୍ରକ୍ରିୟା। କେନ୍ଦ୍ର ସରକାର ତ ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି। ତାହା ସହ ଆହୁରି ଚିନ୍ତାଜନକ ବିଷୟ ହେଉଛି ଯେ ଖୋଦ୍ ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଯୋଜନା କରୁ ନାହାନ୍ତି। ସରକାରୀ ସ୍ତରରେ ଅନାଗ୍ରହକୁ ନେଇ ସାଂସ୍କୃତିକ ଜଗତରେ ଉଦ୍‌ବେଗ ପ୍ରକାଶ ପାଇଛି।

ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ୧୪ ବର୍ଷ ବିତି ଯାଇଥିଲେ ବି ଓଡ଼ିଶା ସଙ୍ଗୀତ ଶିକ୍ଷା କରୁଥିବା ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମକୁ ନେଇ ସବୁବେଳେ ବିବାଦ ଓ ବିତର୍କ ଜାରି ରହିଛି। ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ଏହା ଦ୍ବାରା ଅନୁବନ୍ଧିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ସଙ୍ଗୀତ ପାଠ୍ୟକ୍ରମରେ କ୍ରମନ୍ବୟନ ନଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି। ପାଠ୍ୟକ୍ରମରେ ସମନ୍ବୟ ଆଣିବା ପାଇଁ ‘ଏ ମନୋଗ୍ରାମ ଅଫ୍ ଓଡ଼ିଶୀ ମ୍ୟୁଜିକ୍’ ନାମକ ଏକ ପୁସ୍ତକ ଓଡ଼ିଶା ସଂସ୍କୃତି ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ଶୁଣାଯାଉଛି। ଏହାର କାମ ୨୦୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏ ଏନେଇ ଏକ ନିସ୍କର୍ଷ ପ୍ରକାଶ ପାଇପାରିନାହିଁ।

ଖାଲି ସେତିକି ନୁହେଁ, ସଂସ୍କୃତି ବିଶ୍ବବିଦ୍ୟାଳୟର ଓଡ଼ିଶୀ ସଙ୍ଗୀତ ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳୁଛି। ଏଠାରେ ଏବେ ଜଣେ ବି ନିୟମିତ ପ୍ରଫେସର ନାହାନ୍ତି। ୟୁଜିସିର ନିୟମ ଅନୁଯାୟୀ, ବିଶ୍ବବିଦ୍ୟାଳୟର ଗୋଟିଏ ବିଭାଗରେ ଜଣେ ପ୍ରଫେସର, ୨ ଜଣ ଆସୋସିଏଟ୍ ପ୍ରଫେସର ଓ ୫ ଜଣ ଆସିଷ୍ଟାଣ୍ଟ୍ ପ୍ରଫେସର ରହିବା କଥା। ତେବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଓଡ଼ିଶୀ ବିଭାଗ ପାଇଁ ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସର ପଦବିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ୨୦୧୩ ମସିହାରେ ପ୍ରଫେସର ରାମହରି ଦାସଙ୍କ ଅବସର ପରେ ସଂସ୍କୃତି ବିଶ୍ବବିଦ୍ୟାଳୟ ଓଡ଼ିଶୀ ସଙ୍ଗୀତ ବିଭାଗରେ ପ୍ରାୟ ୯ ବର୍ଷ ଧରି ପ୍ରଫେସର ପଦ ଖାଲି ପଡ଼ିଛି। ସେହିଭଳି ୨୦୨୧ରେ ସଙ୍ଗୀତା ଗୋସାଇଁଙ୍କ ଅବସର ପରେ ବିଭାଗରେ ଆସୋସିଏଟ୍ ପ୍ରଫେସର ପଦ ଖାଲିପଡ଼ିଛି। ବର୍ଷ ବର୍ଷ ଧରି ପ୍ରଫେସର ପଦ ପୂରଣ ହେଉନଥିବା ବେଳେ ରାଜ୍ୟ ସରକାର ଓଡ଼ିଶୀ ବିଭାଗ ପାଇଁ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି। ଅତିଥି ଅଧ୍ୟାପକଙ୍କ ଭରସାରେ ବିଶ୍ବବିଦ୍ୟାଳୟର ଓଡ଼ିଶୀ ସଙ୍ଗୀତ ବିଭାଗ ଚାଲିଛି। ଖାଲି ସେତିକି ନୁହେଁ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବି ସ୍ଥିତି ତଦ୍ରୁପ। ଏଠାରେ ଓଡ଼ିଶୀ ସଙ୍ଗୀତ ବିଭାଗ ପାଇଁ ମଧ୍ୟ ସ୍ଥାୟୀ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ୩ ଜଣ ଅତିଥି ଅଧ୍ୟାପକଙ୍କ ଭରସାରେ ସଙ୍ଗୀତ ବିଭାଗ ଚାଲିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା ନିଜ କାମରୁ ସମୟ ବାହାର କରି ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଦେଉଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଏବେ ଏକ ଉଚ୍ଚତାକୁ ନେବାର ସମୟ ଆସିଥିବା ବେଳେ ଏହି ବିଭାଗ ପ୍ରତି ସରକାରଙ୍କ ଅବହେଳା ଆମ ଶାସ୍ତ୍ରୀୟ ମାନ୍ୟତା ଦାବିର ଗମ୍ଭୀରତାକୁ ପଦାରେ ପକାଉଛି।

ଏକ ପ୍ରଦର୍ଶନ କଳାର ଅଧିକରୁ ଅଧିକ ପ୍ରଚାର ପ୍ରସାର ହିଁ ଏହାକୁ ଅଧିକ ଲୋକଦୃତ କରିଥାଏ। କିନ୍ତୁ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ତାହା ଆଶାନୁରୂପ ହେଉ ନାହିଁ। ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଲାଣି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ସଂସ୍କୃତି ବିଶ୍ବବିଦ୍ୟାଳୟ ଓଡ଼ିଶୀ ସଙ୍ଗୀତର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା କରିଥା’ନ୍ତି। ଏହାଛଡ଼ା ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡୀଗଡ଼ ଦୀର୍ଘ ଦଶନ୍ଧି ଧରି ଓଡ଼ିଶୀ ସଙ୍ଗୀତର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା କରି ଛାତ୍ରଛାତ୍ରୀ ବାହାର କରୁଛି। କିନ୍ତୁ ପ୍ରାଚୀନ କଳାକେନ୍ଦ୍ରର ଓଡ଼ିଶୀ ପାଠ୍ୟକ୍ରମ ଓଡ଼ିଶାର ଓଡ଼ିଶୀ ସଙ୍ଗୀତ ଗୁରୁମାନେ ପ୍ରସ୍ତୁତ କରିଥିଲେ ମଧ୍ୟ, ଏବେକାର ଗୁରୁମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏଥିସହ ଏହି କଳାକେନ୍ଦ୍ରରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ଦିଆଯାଉନାହିଁ। ବିଭିନ୍ନ ସମୟରେ ଗୁରୁମାନେ ଏହାକୁ ଆପତ୍ତି କରିଥିଲେ ବି ଏ ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ସମ୍ବନ୍ଧିତ ଖବର