ହୀରାକୁଦ ଯୋଗୁଁ ତଳ ମୁଣ୍ଡକୁ ବିପଦ ନାହିଁ
୧୯୬୧ ସର୍ବାଧିକ, ୨୦୦୦ରେ ସର୍ବନିମ୍ନ ପାଣି ଛାଡ଼ିଥିଲା
ସମ୍ବଲପୁର : ହୀରାକୁଦର ୨୮ ଗେଟ୍ ଖୋଲିବା ପରେ ସମ୍ବଲପୁର ସହରର ବିଭିନ୍ନ ତଳୁଆ ଅଞ୍ଚଳରେ ବନ୍ୟା ପାଣି ପଶିଛି। ସମ୍ବଲପୁର ସହର ଦେଇ ମହାନଦୀରେ ମିଶିଥିବା ଏହାର ଦୁଇ ଉପନଦୀ ହରଡ଼ ଓ ମାଳତୀରେ ପଛୁଆ ପାଣି ମାଡ଼ି ସହରର ଅନେକ ବସ୍ତିକୁ ବିପନ୍ନ କରିଛି। ତେବେ ଜଳଭଣ୍ଡାରକୁ ଜଳପ୍ରବେଶ ନିୟନ୍ତ୍ରଣରେ ରହିଥିବା କାରଣରୁ ବର୍ତ୍ତମାନ ପାଇଁ ଅଧିକ ଗେଟ୍ ଖୋଲିବା ସମ୍ଭାବନା ନାହିଁ ବା ହୀରାକୁଦ ଯୋଗୁଁ ତଳମୁଣ୍ଡକୁ ଅଧିକ ବିପଦ ନାହିଁ। ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ବର୍ଷା କମି ଯାଇଥିବାରୁ ଓ ହୀରାକୁଦ ପାଣି ସେଠାରେ ପହଞ୍ଚିବାକୁ ୪୮ ଘଣ୍ଟା ସମୟ ଲାଗୁ ଥିବାରୁ ବର୍ତ୍ତମାନ ପାଇଁ ହୀରାକୁଦ ପାଣି ଉପକୁଳ ଓଡ଼ିଶାରେ ବନ୍ୟାର କାରଣ ସାଜିବ ନାହିଁ। ବୁଧବାର ରାତି ସୁଦ୍ଧା ହୀରାକୁଦର ୨୪ ଗେଟ୍ ଖୋଲା ଯାଇଥିଲାବେଳେ ଗୁରୁବାର ଆଉ ୪ ଗେଟ୍ ଖୋଲିଛି। ୨୮ ଗେଟ୍ରୁ ହାରାହାରି ପ୍ରାୟ ସାଢ଼େ ଚାରି ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିବାବେଳେ ତାହା ବିପଜ୍ଜନକ ନୁହେଁ ଓ ଗତ ବର୍ଷ ଭଳି ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ହୀରାକୁଦ ବନ୍ଧ ନିର୍ମାଣ ପରଠାରୁ ଜଳଭଣ୍ଡାରର ଜଳ ନିଷ୍କାସନ କାରଣରୁ ବା ତଳ ମୁଣ୍ଡରେ ବର୍ଷା ଯୋଗୁଁ ଅବା ଉଭୟ କାରଣରୁ ୨୧ଥର ଓଡ଼ିଶାରେ ବଡ଼ ଧରଣ ବନ୍ୟା ହୋଇଛି। ୧୯୬୧ ମସିହାରେ ହୀରାକୁଦ ଯୋଗୁଁ ଇତିହାସର ସର୍ବବୃହତ୍ ବନ୍ୟା ହୋଇଥିଲା। ସେହି ବର୍ଷ (ଜାନୁଆରିରୁ ଡିସେମ୍ବର ମଧ୍ୟରେ) ହୀରାକୁଦରୁ ସ୍ପିଲ୍ୱେ’ ଦେଇ (କେନାଲ୍ ଓ ପାୱାର ଚାନେଲ୍କୁ ବାଦ ଦେଇ) ସର୍ବାଧିକ ୬୩.୮୭୫ ମିଲିୟନ୍ ଏକର ଫୁଟ୍ ପାଣି ମହାନଦୀକୁ ନିଷ୍କସିତ ହୋଇଥିଲା। ସେହିପରି ୨୦୦୦ ମସିହାରେ ହୀରାକୁଦରୁ ସର୍ବନିମ୍ନ ୦.୮୪୭ ମିଲିୟନ୍ ଏକରଫୁଟ୍ ପାଣି ସ୍ପିଲ୍ୱେ’ ଦେଇ ମହାନଦୀକୁ ନିଷ୍କାସିତ ହୋଇଥିଲା। ସାଧାରଣତଃ ସ୍ପିଲ୍ୱେ’ (ହୀରାକୁଦ ଗେଟ୍) ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଖୋଲୁଥିଲାବେଳେ ଆବଶ୍ୟକତା ଦେଖି ବେଳେବେଳେ ଜୁନ୍ ଓ ଅକ୍ଟୋବର ମାସରେ ବି ଖୋଲାଯାଏ। ବର୍ଷର ଅନ୍ୟ ୭ ମାସରେ କେବେ ପ୍ରାୟତଃ ଗେଟ୍ ଖୋଲିବା ଦରକାର ପଡ଼େ ନାହିଁ।
ହୀରାକୁଦ ଜଳଭଣ୍ଡାର ପଟୁ ମାଟିରେ ପୋତି ହେବା ଓ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବା ତଥା ଅସ୍ବାଭାବିକ ଋତୁ ପରିବର୍ତ୍ତନ ଓ ବର୍ଷା କାରଣରୁ ଗତ ୨ ଦଶନ୍ଧି ମଧ୍ୟରେ ଅନେକବାର ହୀରାକୁଦ ବନ୍ଧର ଅଧିକ ଗେଟ୍ ଖୋଲିବାକୁ ପଡ଼ିଛି। ସେହି କାରଣରୁ ଗତ ୨ ଦଶନ୍ଧି ମଧ୍ୟରେ ପ୍ରାୟ ୯ ବର୍ଷ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ୧୦ ମିଲିୟନ୍ ଏକରଫୁଟ୍ରୁ ଅଧିକ ଜଳ ନିଷ୍କାସନ କରାଯାଇଛି।
ସ୍ପିଲ୍ୱେ’ ଦେଇ ହୀରାକୁଦରୁ ମହାନଦୀକୁ ଜଳ ନିଷ୍କାସନ
ବର୍ଷ ନିଷ୍କାସିତ ଜଳ (ମିଲିୟନ୍ ଏକର୍ ଫୁଟ୍ରେ)
୨୦୦୧ ୨୧.୭୨୦
୨୦୦୩ ୨୭.୧୩୭
୨୦୦୫ ୧୫.୮୧୧
୨୦୦୭ ୧୪.୩୪୬
୨୦୧୧ ୧୬.୫୬୧
୨୦୧୨ ୧୨.୫୩୦
୨୦୧୩ ୧୫.୯୪୦
୨୦୧୪ ୧୮.୫୦୩
୨୦୧୮ ୯.୩୫୧
୨୦୧୯ ୧୨.୦୮୮