ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲାର ଅଧା ବ୍ଲକରେ ନାହିଁ ଡିଗ୍ରି କଲେଜ। ଜିଲ୍ଲାର ମୋଟ ୧୦ଟି ବ୍ଲକ ମଧ୍ୟରୁ ୫ଟି ଯଥା ଉମରକୋଟ, ଡାବୁଗାଁ, ନବରଙ୍ଗପୁର, ପାରଳାଖେମୁଣ୍ଡି ଓ ଚନ୍ଦାହାଣ୍ଡିରେ ୯ଟି ଡିଗ୍ରି କଲେଜ ରହିଛି। ସେଥିମଧ୍ୟରୁ ୮ଟି ବେସରକାରୀ ଓ ଗୋଟିଏ ସରକାରୀ କଲେଜ। ଜିଲ୍ଲାରେ ନୂଆ କଲେଜ ଖୋଲିବା ଲାଗି ୨୦୨୨-୨୩ ଶିକ୍ଷାବର୍ଷରେ ୬ଟି ସଂସ୍ଥା ଉଚ୍ଚଶିକ୍ଷା ବିଭାଗ ନିକଟରେ ଆବେଦନ କରିଛନ୍ତି।
ସେଥିମଧ୍ୟରେ ୫ଟି ଡିଗ୍ରି କଲେଜ ପାଇଁ ଥିବା ବେଳେ ଗୋଟିଏ ପ୍ରଫେସନାଲ କଲେଜ ରହିଛି। ଉକ୍ତ କଲେଜଗୁଡ଼ିକ ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ଝରିଗାଁ, ରାୟଘର, କୋଷାଗୁମୁଡ଼ା ଓ ନବରଙ୍ଗପୁରରେ ଖୋଲିବା ଲାଗି ସଂସ୍ଥାଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଜୟପୁର ଆଞ୍ଚଳିକ ଶିକ୍ଷା ଅଧିକାରୀ ଏଦିଗରେ ପଦକ୍ଷେପ ନେଇ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ କରିବା ପରେ ଉଚ୍ଚସ୍ତରୀୟ କମିଟିରେ ଏବିଷୟରେ ଆଲୋଚନା କରାଯିବ। ଏହାପରେ ୨୦୨୩-୨୪ ଶିକ୍ଷାବର୍ଷରେ ଉକ୍ତ କଲେଜଗୁଡ଼ିକୁ ଅନୁମତି ମିଳିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।