ଶହେ ବର୍ଷ ତଳୁ ଖଣି ଖନନ ହେଉଥିଲେ ବି ଆଦିବାସୀଙ୍କ ବିକାଶ ବାଟବଣା

କାନପୁର ପ୍ରକଳ୍ପକୁ ନେଇ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ

କେନ୍ଦୁଝର : ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରି  ନାହିଁ। ସରକାର ଏଦିଗରେ ଯେତିକି ଧ୍ୟାନ ଦେବା କଥା ତାହା ଦେଇ ନାହାନ୍ତି। ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉଚିତ। ଏହା ହେଲେ ହଜାର ହଜାର ଚାଷୀ ଉପକୃତ ହୋଇପାରିବେ।  କେବଳ ସେତିକି ନୁହେଁ ଆଗାମୀ ଦିନରେ ଦେଖାଦେବାକୁ ଥିବା ଜଳ ସଂକଟ ଅନେକ ପରିମାଣରେ ଭରଣା ହୋଇପାରିବ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହା କହିଛନ୍ତି।

ସେ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ଏକ ଖଣିଖାଦାନ ଭରା ଜିଲ୍ଲା। ୧୯୨୦ ମସିହାରୁ କେନ୍ଦୁଝର ଜିଲ୍ଲାରେ ଖଣି ଖନନ ଚାଲିଛି। ଶହେ ବର୍ଷରୁ ଅଧିକ ସମୟ ଧରି ଖଣି ଖୋଳାଯାଉଥିଲେ ହେଁ ଆଦିବାସୀଙ୍କ ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ଯାହା ବିକାଶ ହୋଇଛି, ତାର ସମୀକ୍ଷା କରାଯିବାର ବେଳ ଆସିଛି ବୋଲି ଶ୍ରୀ ମୁଣ୍ଡା କହିଥିଲେ। ଏବେ ବିଭିନ୍ନ କମ୍ପାନି ସ୍ଲରିପାଇପରେ ଲୁହାପଥର ପରିବହନ କରିବା ପାଇଁ ପାଇପ ବିଛାଉଛନ୍ତି।  ଏହି ପାଇପରେ ଲୁହାପଥର ଯିବା ପାଇଁ ପ୍ରଚୁର ପରିମାଣରେ ପାଣିର ଆବଶ୍ୟକ।  ଏତେ ପାଣି କେଉଁଠୁ ଆସିବ? ଲୋକଙ୍କ ବ୍ୟବହାର, କୃଷି ପାଇଁ ପାଣି ଅଭାବ ରହୁଥିବା ବେଳେ ଲୁହାପଥର ପରିବହନ ପାଇଁ ସରକାର ଅନୁମତି ଦେବା ଆଶ୍ଚର୍ଯ୍ୟଜନକ। ଏହା ଉପରେ ସରକାରଙ୍କୁ ଚିନ୍ତା କରିବା ଉଚିତ ବୋଲି ସେ କହିଥିଲେ।

କଂଗ୍ରେସକୁ ଆଦିବାସୀ ବିରୋଧୀ କହିଲେ

ଆଗାମୀ ଦିନରେ ଜଳ ସଂକଟ ଜଳଜଳ

କଂଗ୍ରେସ ଦଳ ସର୍ବଦା ଆଦିବାସୀ ବିରୋଧୀ।  କଂଗ୍ରେସ ଦୀର୍ଘବର୍ଷ ଏକଛତ୍ରବାଦ ଶାସନ କରିଆସିଥିଲା। ହେଲେ ଆଦିବାସୀଙ୍କୁ ସମ୍ମାନ ଦେବାକୁ ଭୁଲି ଯାଇଥିଲା।  ନରେନ୍ଦ୍ର ମୋଦୀଙ୍କ ସରକାରରେ ଆଦିବାସୀଙ୍କୁ ଉଚିତ ସମ୍ମାନ ମିଳିଛି।  ଦ୍ରୌପଦୀ ମୁର୍ମ୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ମଣ୍ଡନ କରିଛନ୍ତି। ଯେତେବେଳେ ଏନ୍‌ଡିଏ ଦ୍ରୌପଦୀ ମୁର୍ମ୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲା, କଂଗ୍ରେସ ଏହି ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଇ ନଦେବା ପାଇଁ ବିଭିନ୍ନ ଦଳକୁ ନେଇ ପ୍ରଚାର କରିଥିଲା । ଏପରିକି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ମଧ୍ୟ କଂଗ୍ରେସ ନେତାମାନେ ତାଙ୍କୁ ଅପମାନିତ କରିବା ପାଇଁ ବିଭିନ୍ନ ପ୍ରକାର ସମାଲୋଚନା କରିଥିଲେ।  ତେଣୁ ଏଥିରୁ କଂଗ୍ରେସ ଆଦିବାସୀଙ୍କ ବିରୋଧୀ ବୋଲି ପ୍ରମାଣିତ ହେଉଛି ବୋଲି ସେ କହିଥିଲେ।

ବାଜପେୟୀ ସରକାର ଭାରତ ବର୍ଷକୁ ଯୋଡ଼ିବା ପାଇଁ ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନା କରିଥିଲେ। ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାର ଭାରତ ବର୍ଷର କୋଣଅନୁକୋଣରେ ଜାତୀୟ ରାଜପଥ ନିର୍ମାଣ କରି ଗୋଟିଏ ସୂତ୍ରରେ ଦେଶକୁ ଯୋଡୁଛନ୍ତି।  ସ୍ବାସ୍ଥ୍ୟ କ୍ଷେତ୍ରକୁ କେନ୍ଦ୍ର ସରକାର ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କରନ୍ତୁ। ଏଥିପାଇଁ କେନ୍ଦ୍ର ସରକାର ସହାୟତା ଦେବ ବୋଲି ସେ କହିଥିଲେ। ସାରା ଦେଶରେ ୩୬ ହଜାର ଆଦିବାସୀ ଗ୍ରାମ ରହିଛି । ଯେଉଁମାନେ କି ବହୁ ପଛରେ ରହିଛନ୍ତି । ସେମାନଙ୍କ ବିକାଶ ପ୍ରତି ଗୁରୁତ୍ବ ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ କେନ୍ଦୁଝର ଜିଲ୍ଲାରେ କି କି ଯୋଜନା କିପରି କାର୍ଯ୍ୟକାରୀ ହେଉଛି, ସେ ସଂପର୍କରେ ସେ ଜିଲ୍ଲା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଆଉ କିଛି କରିବା ପାଇଁ ସେ ପରାମର୍ଶ ଦେଇଥିଲେ ବୋଲି ସୂଚନା ଦେଇଥିଲେ। ସାରା ଦେଶ ଏବେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଛି।  ଏହି ଅବସରରେ ଆସନ୍ତା ସ୍ବାଧୀନତା ଦିବସରେ ସମସ୍ତ ଭାରତୀୟ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସେ ନିବେଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବରିଷ୍ଠ ନେତା ମୁରଲୀ ମନୋହର ଶର୍ମା, ପ୍ରବକ୍ତା ବିରଞ୍ଜି ନାରାୟଣ ତ୍ରିପାଠୀ, ସଂଜୀବ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ଶୁକଦେବ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର