ପୁରୀ : ଶ୍ରୀମନ୍ଦିରରେ ଚାଲିଛି କାର୍ତ୍ତିକ ନୀତିକାନ୍ତି। ଯେହେତୁ ଏହି ମାସରେ ଭକ୍ତଙ୍କ ଭିଡ଼ ଲାଗେ ଏବଂ କାର୍ତ୍ତିକ ବ୍ରତଧାରୀ ବି ଦର୍ଶନ ପାଇଁ ଆସିଥା’ନ୍ତି, ସେ ଦୃଷ୍ଟିରୁ କାର୍ତ୍ତିକ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ, ଏହାର ଅନୁପାଳନ ହେଉନାହିଁ। ଫଳସ୍ବରୂପ କାର୍ତ୍ତିକ ନୀତିକାନ୍ତିକୁ ୧୫ ଦିନ ବିତିଲାଣି, କିନ୍ତୁ ନୀତିକାନ୍ତିରେ ଶୃଙ୍ଖଳା ଆସିପାରୁନି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବା ସହ ଭକ୍ତଙ୍କ ବି ମହାପ୍ରଭୁଙ୍କ ବେଶ ଦର୍ଶନ ଓ ମହାପ୍ରସାଦ ପାଇବାରେ ବିଳମ୍ବ ହେଉଛି। ବଡ଼କଥା ହେଉଛି, ମହାପ୍ରଭୁଙ୍କ ଦିବା ପହୁଡ଼ ହୋଇନାହିଁ। ଯାହାକୁ ନେଇ ଭକ୍ତ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ନିର୍ଘଣ୍ଟ ନୀତି ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରତିଦିନ ଭୋର ୪ଟାରେ ଦ୍ବାର ଫିଟା, ୫ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିବା କଥା। ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ରାଧାଦାମୋଦର ବେଶ, ସାଢ଼େ ୮ଟାରୁ ସାଢ଼େ ୯ଟା ଭିତରେ ସକାଳଧୂପ (କେବଳ କୋଠଭୋଗ), ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଭିତରେ ବାଳଧୂପ ନୀତି, ୧୦ଟା ୧୦ରେ ପ୍ରଥମ ଭୋଗମଣ୍ଡପ, ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ଗୋଟାଏରୁ ମଧ୍ୟାହ୍ନଧୂପ (କେବଳ କୋଠଭୋଗ), ଅପରାହ୍ନ ଗୋଟାଏରୁ ୨ଟା ଦ୍ବିତୀୟ ଭୋଗମଣ୍ଡପ, ୨ଟାରେ ଦକ୍ଷିଣିଘର ଭୋଗ, ସାଢ଼େ ୨ଟାରେ ମଇଲମ ଓ ବେଶ, ୩ଟାରେ ଦିବା ପହୁଡ଼, ୫ଟାରେ ଦ୍ବାରଫିଟା, ସନ୍ଧ୍ୟା ୬ଟାରେ ସଂଧ୍ୟା ଆଳତି, ୬ଟା ୫ରୁ ୬ଟା ୫୦ ଭିତରେ ମଇଲମ ଓ ବେଶ, ରାତି ୭ଟା ୨୦ରୁ ରାତି ୯ଟା ପର୍ଯ୍ୟନ୍ତ ସନ୍ଧ୍ୟାଧୂପ (କେବଳ କୋଠଭୋଗ), ସାଢ଼େ ୯ଟାରେ ମଇଲମ, ରାତି ୧୦ଟାରେ ଚନ୍ଦନଲାଗି, ୧୧ଟାରେ ବଡ଼ସିଂହାର ବେଶ, ସାଢ଼େ ୧୧ଟାରେ ବଡ଼ସିଂହାର ଭୋଗ ଓ ୧୨ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ କଥା। କିନ୍ତୁ, ପ୍ରତିଦିନ ଦ୍ବାରଫିଟାରେ ଦେଢ଼ଘଣ୍ଟାରୁ ୨ ଘଣ୍ଟା ବିଳମ୍ବ ହେଉଛି। କେଉଁଦିନ ଭୋର ସାଢ଼େ ୫ଟାରେ ତ କେଉଁଦିନ ୬ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଉଛି। ଯେଉଁଥିପାଇଁ ଅନ୍ୟ ନୀତିକାନ୍ତି ବି ବିଳମ୍ବ ହେଉଛି। ଫଳସ୍ବରୂପ ପ୍ରତିଦିନ ରାଧାଦାମୋଦର ବେଶ ଅଢ଼େଇରୁ ୩ ଘଣ୍ଟା ବିଳମ୍ବ ହେଉଛି। ପ୍ରତିଦିନ ଶ୍ରୀଜିଉ ରାଧାଦାମୋଦର ବେଶରେ ଦର୍ଶନ ଦେବା ୮ଟାରୁ ୯ଟା ହୋଇଯାଉଛି। ସେହିଭଳି ବାଳଧୂପ ନୀତି ବି ବିଳମ୍ବ ହେଉଛି। ପ୍ରତିଦିନ ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ବାଳଧୂପ ନୀତି ଶେଷ ହେଉଛି।
ଅପରପକ୍ଷେ, କାର୍ତ୍ତିକ ମାସରେ ନୀତିକାନ୍ତି ସଅଳ ହେଉଥିବାରୁ ଶ୍ରୀଜିଉ ସଅଳ ଉଠୁଛନ୍ତି। ସେ ଦୃଷ୍ଟିରୁ ଶ୍ରୀଜିଉଙ୍କ ବିଶ୍ରାମ ପାଇଁ ଦୈନିକ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦିବା ପହୁଡ଼ ବ୍ୟବସ୍ଥା କରାଯାଇଛି। ଚୂଡ଼ାନ୍ତ ନୀତିକାନ୍ତିରେ ବି ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। କିନ୍ତୁ, କେହି ବି ଏହା ମାନୁନାହାନ୍ତି। ଏହାର ପ୍ରମୁଖ କାରଣ ସାଜିଛି ନୀତିକାନ୍ତି ବିଳମ୍ବ। ଦ୍ବାରଫିଟା ବିଳମ୍ବ ପାଇଁ ସମସ୍ତ ନୀତିକାନ୍ତି ବିଳମ୍ବ ହେଉଥିବାରୁ ଦିବା ପହୁଡ଼ ହୋଇପାରୁନି। ଫଳରେ, କାର୍ତ୍ତିକରେ ଶ୍ରୀଜିଉଙ୍କ ଯେଉଁ ଦିବା ପହୁଡ଼ ନୀତି ରହିଛି, ତାକୁ ସେବାୟତମାନେ ଖୋଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଏହାର ସିଧାସଳଖ ପ୍ରଭାବ ପଡ଼ୁଛି ଭଙ୍କ ଉପରେ। ମହାପ୍ରସାଦ ବାହାରିବାରେ ବି ବିଳମ୍ବ ହେଉଥିବାରୁ ଅପରାହ୍ନ ୩ଟାରୁ ୪ଟା ଭିତରେ ଭକ୍ତମାନେ ମହାପ୍ରସାଦ ପାଉଛନ୍ତି। ବେଳେ ବେଳେ ୫ଟା ପରେ ବି ମହାପ୍ରସାଦ ବାହାରୁଛି। ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।