ତାତିରୁ ନିସ୍ତାର ନାହିଁ: ୨ ଦିନରେ ୫ ଡିଗ୍ରି ଯାଏ ବଢ଼ିବ ଆଭ୍ୟନ୍ତର ତାପମାତ୍ରା, ୨୮ ସହରରେ ତାପମାତ୍ରା ୪୦ଂ ଉପରେ

ଆଜିଠାରୁ ୩ ଦିନ ପ୍ରଚଣ୍ଡ ଖରା ଚେତାବନୀ, ସୋନପୁର ପରେ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର

ଭୁବନେଶ୍ବର: କିଛି ଦିନର ଅନ୍ତରାଳରେ ପୁଣି ତାତିଛି ସୋନପୁର ସହର। ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁରଠାରେ ଆଜି ୪୩.୮ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ତାତି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ବର। ଆଜି ରାଜଧାନୀର ଦିନ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରି ୪୩.୩ ଡିଗ୍ରିରେ ପହଞ୍ଚିଛି। ଅନୁଗୁଳ ତାପମାତ୍ରା ମଧ୍ୟ ୪୩ ଡିଗ୍ରି ଅତିକ୍ରମ କରି ୪୩.୧ ଡିଗ୍ରି ରହିଥିଲା। ଆଜି ରାଜ୍ୟର ୨୮ ସହରର ତାପମାତ୍ରା ୪୦ ଡିଗ୍ରି ବା ତାଠାରୁ ଅଧିକ ରେକର୍ଡ ହୋଇଛି। ୮ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ବେଳେ ତାତିରେ କଲବଲ ହେଉଛି ସମ୍ପୂର୍ଣ୍ଣ ଓଡ଼ିଶା।

ଅନ୍ୟପଟେ ଏପ୍ରିଲ ଶେଷ ସୁଦ୍ଧ‌ା ତାତିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ କରି ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲିଠାରୁ ଓଡ଼ିଶାର ତାତି ଆହୁରି ଉଗ୍ର ରୂପ ନେବ। ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତକାଲି ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଣୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ଖରାକୁ ବାହାରିଲେ ଓଦା ଗାମୁଛା, ପା‌ଣି ବୋତଲ ଓ ଛତା ନେବାକୁ ନ ଭୁଲିବାକୁ କେନ୍ଦ୍ର ପକ୍ଷରୁ ସଚେତନ କରାଯାଇଛି। ଅନ୍ୟପଟେ ଆସନ୍ତା ୨ ଦିନରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ସୂଚନା ଦେଇଛି।

ପାଣିପାଗ କେନ୍ଦ୍ର କହିଛି ଯେ କେବଳ ଆସନ୍ତାକାଲି ନୁହେଁ, ୨୬ ଓ ୨୭ ତାରିଖ ଦିନ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଓ କଳାହାଣ୍ଡି ଆଦି ଜିଲ୍ଲାରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଶିଶୁ, ବୟସ୍କ ଓ ରୋଗୀମାନଙ୍କର ସ୍ବତନ୍ତ୍ର ଭାବେ ଯତ୍ନ ନେବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଉପକୂଳ ଓଡ଼ିଶାର ପାରଦ ଏବେ ଉପରମୁହାଁ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ତାପମାତ୍ରା କମିବାର ବି ସମ୍ଭାବନା ନାହିଁ। ଆଭ୍ୟନ୍ତର ଓଡ଼ିଶା ଆହୁରି ଜଳିବ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳ ଆସନ୍ତାକାଲି ବି କଲବଲ ହେବ। ୪୩ ଡିଗ୍ରି ତାପମାତ୍ରା ଆସନ୍ତାକାଲି ବି ରାଜଧାନୀରେ ରେକର୍ଡ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୩ ଦିନରେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ପରିବେଶକୁ ଥଣ୍ଡା କରିବାରେ ବିଶେଷ ସହାୟକ ହେବ ନାହିଁ। ତାତି ମାସ ଶେଷ ଯାଏ ଜାରି ରହିବ।

ସମ୍ବନ୍ଧିତ ଖବର