ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଗତ ୯ ବର୍ଷରେ ଅର୍ଥାତ୍‌ ୨୦୧୫ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌) ପାଣ୍ଠି ବାବଦରେ ୧୭୮.୮୨୦୪ କୋଟି ଟଙ୍କା ସଂଗ୍ରହ ହୋଇଛି। କିନ୍ତୁ ଏଥିରୁ ମାତ୍ର ୮.୨୪୧୪ କୋଟି (୪.୬%) ଟଙ୍କାର ବିନିଯୋଗପତ୍ର ଦାଖଲ ହୋଇଛି। ବାକି ୨୦.୦୨୨୧ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ନିର୍ବାହୀ ଅଧିକାରୀଙ୍କ ପାଖରେ ରହିଥିବା ନେଇ ଡିଏମ୍‌ଏଫ୍‌ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୪ ମସିହାରେ ସଂଗୃହୀତ ପାଣ୍ଠିର ବଳକା ଟଙ୍କା ସମ୍ପର୍କରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବ। 

Advertisment

ଖଣି ପ୍ରଦୂଷଣରେ ଛଟପଟ ହେଉଛି ସମ୍ବଲପୁର। ଏଠାରେ ୧୩ଟି ମୁଖ୍ୟ ଏବଂ ୪୧ଟି ଲଘୁ ଖଣି ଯୋଗୁଁ ଜଳ, ଜମି, ଜଙ୍ଗଲ, ପବନ ସହିତ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଜୀବିକା ପ୍ରଭାବିତ। ରେଙ୍ଗାଲି ବ୍ଲକ୍‌ ଏହାର ଜ୍ବଳନ୍ତ ଉଦାହରଣ। ଖଣି ଖନନ ବନ୍ଦ ହେବା ପରେ ମଧ୍ୟ ଏହାର ପ୍ରଭାବ କମ୍‌ ହୋଇନାହିଁ। ଡିଏମ୍‌ଏଫ୍‌ ପାଣ୍ଠି ପାଇଁ ଏହି ଖଣିଗୁଡ଼ିକରୁ ସରକାରଙ୍କ ପକ୍ଷରୁ ରାଜସ୍ବ ସଂଗ୍ରହ କରାଯାଉଛି। କିନ୍ତୁ ଏଥିରେ ଅଞ୍ଚଳର ଉନ୍ନୟନ କରାଯାଉନଥିବା ନେଇ ଅଭିଯୋଗ ହୋଇଛି। ସାମାଜିକ ସଙ୍ଗଠନ ସ୍ବାଧୀନ ଏକତା ମଞ୍ଚର ରାଜୀବ ମିଶ୍ରଙ୍କ କହିବା ଅନୁସାରେ, ଭାରୀଯାନ ଚଳାଚଳ ଯୋଗୁଁ ରେଙ୍ଗାଲି ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। କିନ୍ତୁ ନିଷ୍ପତ୍ତି ସତ୍ତ୍ବେ ଏଠାରେ ସ୍ବତନ୍ତ୍ର ଟ୍ରମା କେୟାର ସେଣ୍ଟର ହୋଇ ନାହିଁ। ଏଠାରେ ଥିବା ଉପଡାକ୍ତରଖାନାରେ ପ୍ରତିଦିନ ଆସୁଥିବା ୨୦୦ରୁ ଅଧିକ ରୋଗୀଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି। ସବୁଠାରୁ ପରିତାପର ବିଷୟ ହେଉଛି, ରେଙ୍ଗାଲିରୁ ଖିଣ୍ଡା ପର୍ଯ୍ୟନ୍ତ କୌଣସି ଘରକୁ ଆଜି ପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ହୋଇ ପାରିନାହିଁ। ଡିଏମ୍‌ଏଫ୍‌ ପାଣ୍ଠି ଏହି ସମସ୍ୟାର ସମାଧାନ କରିପାରନ୍ତା। ମାତ୍ର ତାହା କରାଯାଇ ନାହିଁ।

 ଯେଉଁ ପ୍ରକଳ୍ପରେ ଏହି ପାଣ୍ଠି ଖର୍ଚ୍ଚ ହେଉଛି ତା’ର ବିନିଯୋଗପତ୍ର ଅଧିକାରୀମାନେ ଦାଖଲ କରି ପାରୁନାହାନ୍ତି। ବିନିଯୋଗପତ୍ର ଦାଖଲ ହେଉନଥିବା ପ୍ରକଳ୍ପକୁ ନେଇ ଜିଲ୍ଲା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ କୌଣସି ସ୍ପଷ୍ଟ ଚିତ୍ର ଦେଉନଥିଲେ ମଧ୍ୟ ଏହା ପ୍ରାୟ ୧୦୦ କୋଟିରୁ ଅଧିକ ଥିବା ନେଇ ଅନୁମାନ ରହିଛି। ୨୦୧୬ ଏବଂ ୨୦୧୭ ମସିହାର ଡିଏମ୍‌ଏଫ୍‌ ଖର୍ଚ୍ଚ ସମ୍ପର୍କରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ବିସ୍ତୃତ ରିପୋର୍ଟ ଦାଖଲ କରି ୱେବ୍‌ସାଇଟ୍‌ରେ ସାର୍ବଜନୀନ କରିଛନ୍ତି। କିନ୍ତୁ ତାଙ୍କ ପରେ ଅର୍ଥାତ ୬ ବର୍ଷରେ ବର୍ତ୍ତମାନର ଜିଲ୍ଲାପାଳଙ୍କୁ ବାଦ୍ ଦେଇ ୩ ଜଣ ଜିଲ୍ଲାପାଳ ଆସିଥିଲେ ମଧ୍ୟ ସେମାନଙ୍କ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ଏପରିକି ୱେବ୍‌ସାଇଟ୍‌ରେ ୨୦୨୪ ମସିହାର ହୋଇଥିବା କାର୍ଯ୍ୟନିର୍ବାହୀ ବୈଠକ ସମ୍ପର୍କରେ ମଧ୍ୟ କୌଣସି ସୂଚନା ନାହିଁ। ନୂତନ ସରକାର ଗଠନ ହେବା ପରଠାରୁ ଡିଏମ୍‌ଏଫ୍‌ ବୋର୍ଡ ବୈଠକ ହୋଇନାହିଁ। ଫଳରେ ଏହାର ପ୍ରକୃତ ସମୀକ୍ଷା ହୋଇ ପାରୁନାହିଁ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ସେ ଦାୟିତ୍ବ ନେବା ପରଠାରୁ ଡିଏମ୍‌ଏଫ୍‌ କାର୍ଯ୍ୟନିର୍ବାହୀ ବୈଠକ ଦୁଇଥର ହୋଇଛି। ଏଥିରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଏ ବାବଦରେ ହୋଇଥିବା ବ୍ୟୟବରାଦ ଠିକଣା ଭାବେ ଖର୍ଚ୍ଚ ପାଇଁ ପଦକ୍ଷେପ ନିଆଯାଉଛି।