ବିଲରେ ତଳି ପଡ଼ିନି, ଏପଟେ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ

ବାରିପଦା: ଆଷାଢ଼ ଯାଇ ଶ୍ରବାଣ ଚାଲିଲା। ହେଲେ ମୌସୁମୀ ବାୟୁର ଳୁଚକାଳି ଖେଳ ଯୋଗୁ ଆବଶ୍ୟକ ବର୍ଷା ହେଉନି। ସାଧାରଣତଃ ରଜ ପୂର୍ବରୁ ଧାନ ବୁଣା କାମ ହୋଇଥାଏ। ଜୁନ୍‌ ଶେଷ ସୁଦ୍ଧା ବୁଣାବୁଣି ଶେଷ ହେବା ସହ ଜୁଲାଇ ଅଧା ବେଳକୁ ରୁଆରୋଇ ଚାଲିଥାଏ। ହେଲେ ଚଳିତ ବର୍ଷ ପାଗ ପରିବର୍ତ୍ତନ ଓ ନିଅଣ୍ଟିଆ ବର୍ଷା ଯୋଗୁ ଧାର୍ଯ୍ୟ ଲକ୍ଷ୍ୟର ଅଧା ଜମିରେ ବି ଚାଷ କାମ ହୋଇ ପାରିନାହିଁ। ଧାନ ସହ ଅଣଧାନ ଚାଷ କାମ ବି ପଛରେ ପଡ଼ିଛି। ରୁଆପୋତା ସମୟରେ ବି ଚାଷୀଙ୍କ ବିଲରେ ତଳି ପଡ଼ିନାହିଁ।

ଧାନଚାଷ ପାଇଁ ଜୁନ୍‌ ଶେଷ ସୁଦ୍ଧା ୧୬୫ ମିଲିମିଟର ବର୍ଷା ହେବା କଥା। ହେଲେ ହୋଇଥିଲା ମାତ୍ର ୬୫ ମିଲିମିଟର ବର୍ଷା। ଆଉ ଜୁଲାଇ ୧୫ ତାରିଖ ସୁଦ୍ଧା ୨୫୦ ମିଲିମିଟର ବର୍ଷା ହେବା କଥା। ହେଲେ ହୋଇଛି ୧୭୨ ମିଲିମିଟର ବର୍ଷା। ଏହି ସପ୍ତାହରେ ଅବଶ୍ୟ ୧୮୫ ମିଲିମିଟର ବର୍ଷା ହୋଇଛି। ହେଲେ ତାହା ଚାଷ କମେ ପାଇଁ ନିଅଣ୍ଟ ବୋଲି ଚାଷୀଙ୍କ ମତ।

ଚଳିତବର୍ଷ ଖରିଫରେ ଜିଲ୍ଲାରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚାଷ କାମ ହେବାର ଲକ୍ଷ୍ୟ ରଖିଛି କୃଷି ବିଭାଗ। ସେଥିମଧ୍ୟରୁ ୨ ଲକ୍ଷ ୮୩ ହଜାର ହେକ୍ଟର ଜମିରେ କେବଳ ହେବ ଧାନ ଚାଷ ହେବ। ୧ ଲକ୍ଷ ୭୨ ହଜାର ହେକ୍ଟର ଜମି‌ରେ ବୁଣାଧାନ ଓ ବାକି ଜମିରେ ରୁଆଧାନ ଚାଷ ହେବ। ୧ ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଅଣଧାନ (ବାଇଗଣ, ବିଲାତି, ବିନ୍ସ, ଜହ୍ନି, ଭେଣ୍ଢି, କଖାରୁ) ଚାଷ ହେବାକଥା। ଏସବୁ ଫସଲ ପାଇଁ ମୟୂରଭଞ୍ଜର ମାଟି ବେଶ୍‌ ଉର୍ବର। ହେଲେ ଚଳିତ ବର୍ଷ ଦାଉ ସାଧିଥିବାରୁ ଧାନ ସହ ପରିବା ଫସଲ ବି ପ୍ରଭାବିତ ହୋଇଛି ବୋଲି କହନ୍ତି ଶ୍ୟାମାଖୁଣ୍ଟା ବ୍ଲକ୍‌ ଚନ୍ଦନପୁର ଗାଁର ଚାଷୀ ଦିବାକର ମହାନ୍ତ ଓ ନଳିନୀ ମହାନ୍ତ। ମଝିରେ ମଝିରେ ବର୍ଷା ହେଉଛି। ହେଲେ ଜନବସତିରେ ବର୍ଷା ହେଉଥିବା ବେଳେ ଜମିଆଡ଼େ ହେଉନାହିଁ। ଗାଁର ବର୍ଷା ଦେଖି ଜମିକୁ ଗଲା ବେଳକୁ ତାହା ଶୁଖିଲା ପଡ଼ିଛି ବୋଲି କହନ୍ତି ସେହି ଗାଁର ରବୀନ୍ଦ୍ର ଜେନା ଓ ନବଜ୍ୟୋତି ମହାନ୍ତ। ମୁଖ୍ୟ କେନାଲରେ ପାଣି ଆସୁଛି। ଶାଖା କେନାଲ ଶୁ୍‌ଖିଲା। ଆଉ ଚାଷ ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମାଳମାଳ ଜଳଯୋଗାଣ ପ୍ରକଳ୍ପ ଠିକ ସମୟରେ କାମ କରୁନାହିଁ। ତେଣୁ ବର୍ଷାଜଳକୁ ଭରସା କରୁଥିବା ଚାଷୀ ହିନସ୍ତା ହେଉଥିବା କହିଛନ୍ତି କୃଷକ ନେତା ମନମୋହନ ମହାନ୍ତ ଓ ଜୟନ୍ତ ମହାମାତ୍ର।

ତେବେ ଚାଷକୁ ନେଇ ଚାଷୀମାନେ ଚିନ୍ତାରେ ଥିବା ବେଳେ ଏପଟେ ଖରିଫ୍ ଧାନ ସଂଗ୍ରହ ପାଇଁ ନାମ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଚାଷୀ ବିଲକୁ ନଜର ଦେବ ନା ପଞ୍ଜୀକରଣ କେନ୍ଦ୍ରକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରି ନାମ ପଞ୍ଜୀକରଣ କରିବ ବୋଲି ଅନେକ ପ୍ରଶ୍ନ କଲେଣି। ସୂଚନାଯୋଗ୍ୟ; ଏବେ ଅନ୍‌ଲାଇନ୍‌ରେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଉଛି। ଆଜି ସୁଦ୍ଧା ୧୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ନାମ ପଞ୍ଜୀକରଣ ସରିଥିବା ବିଭାଗୀୟ କାର୍ଯ୍ୟାଳୟରୁ ଜଣାପଡ଼ିଛି। ତେବେ ବର୍ଷା ଅଭାବରୁ ଜିଲ୍ଲାରେ ଚାଷ କାମ ପଛୁଆ ସମ୍ପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବୀନ୍ଦୟ କୁମାର ଖଟୁଆ କହିଛନ୍ତି, କିଛି ବ୍ୟସ୍ତ ହେବାର ନାହିଁ। ବର୍ଷା ଆରମ୍ଭ ହୋଇଗଲାଣି। ଚାଷ କାମ ଏବେ ଠିକଠାକ୍ ଚାଲିବ। ବିହନ ଓ ସାର ମହଜୁଦ୍ ଅଛି। ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ସରକାର ଯୋଗାଇ ଦେଉଛନ୍ତି। ତେଣୁ ଚାଷୀମାନଙ୍କ ସୁବିଧା ପ୍ରତି କୃଷି ବିଭାଗ ସଜାଗ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର