ଏରସମା: ୨୪ ବର୍ଷ ବିତିଗଲାଣି, ପ୍ରକୃତିର ସେହି ତାଣ୍ଡବକୁ। ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାର ଛାତିଥରା ଅନୁଭବକୁ ଆଜି ବି ମନେ ପକାଇ ଥରି ଉଠନ୍ତି ବଞ୍ଚିଯାଇଥିବା ମଣିଷମାନେ। କିନ୍ତୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବାସିନ୍ଦାମାନେ ପ୍ରତିବର୍ଷ ସାମୂହିକ ଶୋକ ତ ପାଳନ କରୁଛନ୍ତି, କିନ୍ତୁ ୨୪ ବର୍ଷ ତଳର କ୍ଷୟକ୍ଷତିକୁ ସଜାଡିବାରେ ପ୍ରଶାସନିକ ବିଫଳତାକୁ ନେଇ କ୍ଷୋଭ ବି ପ୍ରକାଶ କରୁଛନ୍ତି। ମହାବାତ୍ୟାରେ ଏରସମାର ଜପା ପଞ୍ଚାୟତରେ ସର୍ବାଧିକ ୨୨୦୦ ଲୋକଙ୍କର ପ୍ରାଣ ଯାଇଥିଲା। କେବଳ ଦହିବର ଗ୍ରାମରେ ୫୬୦ ଜଣ ଲୋକ ପ୍ରାଣ ହରାଇଥିଲେ। ମହାବାତ୍ୟା ଅଞ୍ଚଳରେ କେବଳ ପ୍ରାଣ ନେଇ ନଥିଲା, ଘରଦ୍ବାର, ରାସ୍ତାଘାଟ ସବୁ କିଛି ଛାରଖାର କରି ଦେଇଥିଲା। ଅଞ୍ଚଳର ଭୂଗୋଳ ବଦଳାଇ ଦେଇଥିଲା।
କିନ୍ତୁ ୨୪ ବର୍ଷ ପରେ ଏବେ ବି ଏରସମା ବ୍ଲକର ଗଡବିଷୁନପୁର ପଞ୍ଚାୟତର ନଳଭେଡି ଗାଁକୁ ଯିବାକୁ ହେଲେ ଆଣ୍ଠୁଏ ଖାଲରେ ପଶି ୩ କିଲୋମିଟର ଯିବାକୁ ପଡୁଛି। ଗାଁ ମୁଣ୍ତରେ ଥିବା ଦଲଦଲି ପୋଲର ଅବସ୍ଥା ବଦଳି ପାରିନାହିଁ। ନଳଭେଡି ଗାଁରେ ମହାବାତ୍ୟା ପୂର୍ବରୁ ୪୫୦ ଲୋକ ବାସ କରୁଥିଲେ। ହାବାତ୍ୟାରେ ୩୦୦ ରୁ ଅଧିକ ଲୋକ ଭାସି ଯାଇଥିଲେ। ୨୭୦ ଜଣଙ୍କ ମୃତଦେହ ମିଳିଥିଲା। ମହାବାତ୍ୟା ପରଦିନ ନଳଭେଡି ଗାଁର ବଞ୍ଚିଥିବା ଲୋକଙ୍କ ଭିତରୁ ଖାଇବା ଆଶାରେ ୩ଟି ପରିବାରର ୧୨ ଜଣ ଲୋକ ନିକଟସ୍ଥ ଖଟିକୋଳଦା ଗାଁକୁ ଅଂଟାଏ ପାଣିରେ ପଶି ପିଲାଛୁଆଙ୍କୁ କାନ୍ଧରେ ବସାଇ ବାହାରି ଥିଲେ। ଗାଁ ମୁଣ୍ଡରେ ଥିବା ଦଲଦଲି ପୋଲ ଭାସି ଯାଇଥିବା ନ ଜାଣି ପାରି ସେହି ରାସ୍ତାରେ ଯିବା ବେଳେ ଭଙ୍ଗାପୋଲ ଭିତରକୁ ଖସି ଯାଇ ସୁଅ ମୁହଁରେ ୮ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବିଶ୍ବନାଥ ଦାସ, କବିତା ଭୂୟାଁ ଓ ଦୁଇ ଜଣ ଛୋଟ ପିଲା ବଞ୍ଚିଯାଇଥିଲେ।
ନଳଭେଡିର ବିଶ୍ବନାଥ ଦାସ ସେହି ଦିନର ସ୍ମୃତିକୁ ମନେ ପକାଇଲା ବେଳେ ଶିହରି ଉଠନ୍ତି। ଏଭଳି ଅପୂରଣୀୟ କ୍ଷତିର ସାମନା କରିଥିବା ଆଉ ଏକ ଗାଁ ହେଉଛି ଏରସମା ବ୍ଲକ ଗଡବିଷୁନପୁର ପଞ୍ଚାୟତର ଦାସମଠ ଗାଁ। ଏହି ଗାଁରେ ମହାବାତ୍ୟାାରେ ଅଧା ଲୋକେ ଭାସିଯାଇଥିଲେ। କିନ୍ତୁ ୨୪ ବର୍ଷ ପରେ ବି ଦାସମଠର ବଞ୍ଚିଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଭଙ୍ଗା ଚାଳିଆରେ ରହୁଛନ୍ତି। ପିଇବାକୁ ଭଲ ପାଣି ଟୋପେ ନାହିଁ। ବାତ୍ୟା ଆସିଲେ ସୁରକ୍ଷିତ ସ୍ଥାନ ଭାବେ ସେମାନଙ୍କୁ ୪ କିମି ଦୂର ଗଡବିଷୁନପୁର ପଞ୍ଚାୟତର କାର୍ଯ୍ୟାଳୟକୁ ନିଆଯାଉଛି। ଗାଁରେ ବାତ୍ୟା ଆଶ୍ରୟସ୍ଥଳ ତ ନାହିଁ, ଆବାସ ଯୋଜନା ପାଇଁ ସେମାନେ ୨୪ ବର୍ଷ ହେଲା ଚାତକ ଭଳି ଚାହିଁ ରହିଛନ୍ତି।। ଗାଁ କୁ ଯିବାପାଇଁ ହେଲେ ଓଲରା ସଙ୍ଖା ନଈ ପୋଲ ପାଖରୁ ସାଲାଇନ ବନ୍ଧରେ ଯିବାକୁ ପଡେ। ବର୍ଷା ଦିନେ ଆଣ୍ଠୁଏ କାଦୁଅ ଓ ଖରାଦିନେ ଖାଲରେ ପଶି ଯିବାକୁ ପଡ଼େ।
ମହାବାତ୍ୟା ପରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗାଁରେ କେତେକ ଘର ଯୋଗାଇ ଦିଆଯାଇଥିଲା। ସେଗୁଡିକ ଭାଙ୍ଗି ଭୁଶୁଡି ପଡିଲାଣି। ଏରସମା ବ୍ଲକ ନାରଦିଆ ପଞ୍ଚାୟତର ପଞ୍ଚପଲ୍ଲୀ ଗ୍ରାମରୁ ସୋମପୁର ପଞ୍ଚାୟତର ସୋମପୁର ବଜାର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଏବେ ବି ଶୋଚନୀୟ। ଏହି ରାସ୍ତା ଦେଇ ପ୍ରସିଦ୍ଧ ଗ୍ରାମେଶ୍ବର ମନ୍ଦିରକୁ ଶ୍ରଦ୍ଧାଳୁ ଯାଉଥିବା ବେଳେ ଶିଆଳି ବେଳାଭୁମିକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି। କିନ୍ତୁ ବିପର୍ଯ୍ୟସ୍ତ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଝାଟିପାରି ଖୋଳପ, ଦହିବର, ସୁନାଢିହାରେ ୩୬୦ ପରିବାର ଏବେ ବି ଜଙ୍ଗଲ ଜମିରେ ବସବାସ କରୁଥିବା ବେଳେ ସେମାନଙ୍କୁ ସରକାରୀ ଆବାସ ଯୋଗାଇ ଦିଆଯାଇନାହିଁ। ଭଙ୍ଗା ଚାଳଘରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି ଏହି ପରିବାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/fhsffhsfhfhfh.jpg)