କାକଟପୁର : କାକଟପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଆସିଥିବା ଅନୁଦାନକୁ ବିଡିଓ ଓ ଯନ୍ତ୍ରୀ ହଡ଼ପ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସରକାରୀ ଭାବେ ମଞ୍ଜୁର ହୋଇଥିବା ୧ ଲକ୍ଷ ୫୦ ହଜାର ଟଙ୍କାରୁ କୌଣସି କାର୍ଯ୍ୟ ନକରି ଜାଲ୍ କାଗଜପତ୍ର ଜରିଆରେ କାକଟପୁର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ୮୮ ହଜାର ୩୭୦ ଟଙ୍କା ହଡ଼ପ କରିନେଇଥିବା ଗ୍ରାମର ପୁରେନ୍ଦ୍ର କୁମାର ନାୟକ କାକଟପୁର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସେ ସୂଚନା ଅଧିକାର ଆଇନ୍ ଅନୁଯାୟୀ ଜାଣିବାକୁ ପାଇଲେ ଯେ ଶ୍ରୀରାମପୁର ଗ୍ରାମରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୧ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସରକାରୀଭାବେ ଏହି ଗୋଷ୍ଠୀ କେନ୍ଦ୍ରର କାର୍ଯ୍ୟାଦେଶ ବ୍ଲକ୍ର ବିଭାଗୀୟ ଯନ୍ତ୍ରୀ ସୁଶାନ୍ତ ମହାପାତ୍ରଙ୍କ ନାମରେ ରହିଥିଲା। କାର୍ଯ୍ୟ ଆରମ୍ଭ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ବ୍ଲକ୍ରୁ ଅନ୍ୟତ୍ର ବଦଳି ହୋଇଥିଲା। ଏହାପରେ କନିଷ୍ଠ ଯନ୍ତ୍ରୀ କୁନାଲ ସ୍ବାଇଁ ଏହି ଦାୟିତ୍ବରେ ରହିଥିଲେ ମଧ୍ୟ ସେ କାର୍ଯ୍ୟ ଉପରେ ନଜର ଦେଇନଥିଲେ। ଏହାପରେ ଆଉଜଣେ କନିଷ୍ଠ ଯନ୍ତ୍ରୀ ପ୍ରାଚୀପ୍ରଜ୍ଞା ସାହୁ ଦାୟିତ୍ବ ନେବା ପରେ କାର୍ଯ୍ୟର ଅଟକଳ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କାରୁ ୮୮ ହଜାର ୩୭୦ ଟଙ୍କା ବିଲ୍ କରିନେଇଛନ୍ତି। ଗ୍ରାମର ଖାତା ନମ୍ବର ୨୯୧, ପ୍ଲଟ୍ ନମ୍ବର ୧୬୬ରେ ଏଷ୍ଟିମେଟ୍ ମୁତାବକ କୌଣସି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇନଥିବା ଶ୍ରୀ ନାୟକ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।
ସେହିପରି ଗ୍ରାମକୁ ‘ଆମ ଗାଁ ଆମ ବିକାଶ’ ଯୋଜନାରେ କୋଠଘର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ହେଁ ଗ୍ରାମରେ କୋଠଘର ନିର୍ମାଣ ନକରି ଜାଲ୍ କାଗଜପତ୍ର ଜରିଆରେ ୨୦୨୧ ମସିହାରେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର, ମଣ୍ତଳ ଉନ୍ନୟନ ଅଧିକାରୀ ତୁଷାର ଜ୍ୟୋତି ରଞ୍ଜନ ମିଳିତ ଭାବେ ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ କରିଛନ୍ତି ଶ୍ରୀ ନାୟକ। ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ନାୟକ କାକଟପୁର ଥାନା ଅଧିକାରୀ, ପୁରୀ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ତୁଷାର ଜ୍ୟୋତି ରଞ୍ଜନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏଭଳି ଅଭିଯୋଗ ସମ୍ପର୍କରେ ସେ ଅବଗତ ଅଛନ୍ତି। କାର୍ଯ୍ୟ ହୋଇଥିବା ସମୟରେ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କର ଅନ୍ୟତ୍ର ବଦଳି ହୋଇସାରିଛି। ତେଣୁ ଆସନ୍ତାକାଲି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲାପରେ ଏନେଇ ସୂଚନା ଦେବେ ବୋଲି ବିଡିଓ କହିଛନ୍ତି।