ଚାଷୀ କଳାବଜାରରୁ ଅଧିକ ଦରରେ ସାର କିଣିବା ସୂଚନା ନାହିଁ: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ଚାଷୀମାନେ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବିକ୍ରେତାଙ୍କଠାରୁ ସର୍ବାଧିକ ଖୁଚୁରା ମୂଲ୍ୟରେ ସାର କିଣିଥାନ୍ତି। ତେଣୁ କଳାବଜାରରେ ଅଧିକ ଦରରେ ସାର କିଣିବାର ତଥ୍ୟ କୃଷି ବିଭାଗର ହସ୍ତଗତ ହୋଇ ନ ଥିବା ବିଧାନସଭାରେ ସୂଚନା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି ଯେ ଗତ ୫ବର୍ଷରେ ଖରିଫ୍ ଓ ରବି ଚାଷ ପାଇଁ ରାସୟନିକ ସାରର ପ୍ରୟୋଗ ହେକ୍ଟର ପିଛା ୬୧.୦୩ କେ.ଜି ରୁ ୭୬.୮୬ କେଜିକୁ ବଢ଼ିଛି। କେନ୍ଦ୍ରରୁ ରାଜ୍ୟକୁ ୨୦୧୭/୧୮, ୨୦୧୮/୧୯, ୨୦୧୯/୨୦, ୨୦୨୦/୨୧ ଓ ୨୦୨୧/୨୨ ବର୍ଷରେ ୧୦,୫୩,୨୪୧ ମେଟ୍ରିକ ଟନ, ୧୨,୧୩,୪୭୮ ମେଟ୍ରିକ ଟନ, ୧୦,୯୩,୭୭୭ ମେଟ୍ରିକ୍ ଟନ, ୧୧,୪୦,୩୮୭ ମେଟ୍ରିକ ଟନ, ୧୦୧,୦୬,୭୨୩ ମେଟ୍ରିନ୍ ଟନ୍‌ର ବିଭିନ୍ନ ରାସାୟନିକ ସାର ଯୋଗାଇ ଦିଆଯାଇଛି। ଯାହାକି ଆବଶ୍ୟକ ପରିମାଣଠାରୁ କମ୍।

ସେହିପରି କେନ୍ଦ୍ର ସରକାର ରାଜ୍ୟକୁ କୌଣସି କୀଟନାଶକ ଯୋଗାଇ ନ ଥାନ୍ତି। ଚାଷୀମାନେ ରାଜ୍ୟରେ ଥିବା ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କଠାରୁ କୀଟନାଶକ କିଣି ବ୍ୟବହାର କରିଥାନ୍ତି। ଗତ ୫ବର୍ଷରେ କୌଣସି ଜିଲ୍ଲାରେ କୀଟନାଶକର ଅଭାବ ଦେଖିବାକୁ ମିଳିନାହିଁ। ରାଜ୍ୟ/କେନ୍ଦ୍ର ସରକାରଙ୍କ ଅନୁମୋଦିତ ସ୍କିମ୍ ପାଇଁ ଆବଶ୍ୟକ କୀଟନାଶକ ରାଜ୍ୟସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ନିଗମ ସଂସ୍ଥା ମାଧ୍ୟମରେ ୨୦୧୯/୨୦ ପର୍ଯ୍ୟନ୍ତ ଦିଆଯାଉଥିଲା। ୨୦୨୦/୨୧ ଓ ୨୦୨୧/୨୨ରେ ଡିବିଟ ମାଧ୍ୟମରେ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିର ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର