ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜତୀୟ ବିମାନ ସେବା: ଓଡ଼ିଶାରୁ ବିଦେଶକୁ ବିମାନ ଉଡ଼ାଣ ପାଇଁ ଆଗ୍ରହ ନାହିଁ

ଟି-୨ ଟର୍ମିନାଲ କାମରେ ଲାଗୁନି

ଭୁବନେଶ୍ବର : ଦୁଇ ବର୍ଷର ବ୍ୟବଧାନ ପରେ ମାର୍ଚ୍ଚ ୨୭ରୁ ସାରା ଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିମାନଉଡ଼ାଣକାରୀ ସଂସ୍ଥାଗୁଡ଼ିକ ସେମାନଙ୍କର ଉଡ଼ାଣ ସୂଚୀ ଡିଜିସିଏ ନିକଟରେ ଦାଖଲ କରିସାରିଲେଣି। ହେଲେ ଓଡ଼ିଶାରେ ଦୁଇଟି ବଡ଼ ବିମାନବନ୍ଦର ଥିଲେ ବି ଏଠାରୁ ଏବେ ବିଦେଶକୁ ବିମାନ ଉଡ଼ାଣ କରିବନି। ଏୟାର ଏସିଆ ପୂର୍ବରୁ ଭୁବନେଶ୍ବରରୁ କ୍ବାଲାଲମ୍ପପୁରକୁ ବିମାନ ଉଡ଼ାଣ କରୁଥିଲେ ହେଁ କରୋନା ଯୋଗୁଁ ବିମାନ ସେବା ବନ୍ଦ ହୋଇଥିଲା। ଏବେ ଏୟାର ଏସିଆ ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବାକୁ ଚାହୁଁନି। ଫଳରେ ଓଡ଼ିଶାର ଲୋକଙ୍କୁ ବିଦେଶକୁ ଯିବାକୁ ହେଲେ ଏବେ ପୁଣି ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ।

ରାଜ୍ୟ ସରକାର ଗୋଟିଏ ରୁଟ୍‌ରେ ଘରୋଇ ବିମାନ ଉଡ଼ାଣରୁ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପର୍ଯ୍ୟନ୍ତ ସବୁଥିରେ ସବ୍‌ସିଡି ଦେଉଥିବାବେଳେ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକ କାହିଁକି ଓଡ଼ିଶାରୁ ବିମାନ ଉଡ଼ାଣ କରିବାକୁ ରାଜି ହେଉନାହାନ୍ତି ସେନେଇ ପ୍ରଶ୍ନ ଉଠିଲାଣି। ବିଶେଷଜ୍ଞମାନେ ଏକଥା ବି କହିଲେଣି ଯେ ରାଜ୍ୟ ସରକାର ବିମାନ ଉଡ଼ାଣ ପାଇଁ ସବ୍‌ସିଡି ଦେବା ପୂର୍ବରୁ ଅଧିକରୁ ଅଧିକ ବିମାନ ଉଡ଼ାଣକାରୀ ସଂସ୍ଥା ସହ କାହିଁକି ମୂଲଚାଲ କରୁନାହାନ୍ତି?

ଦୁଇ ବର୍ଷ ହେଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ଥିବାବେଳେ ଘରୋଇ ବିମାନ ସେବା ପ୍ରଭାବିତ ହୋଇଛି। ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ନାହିଁ। ଏପରିସ୍ଥିତିରେ ବିଭିନ୍ନ ବିମାନ ଉଡ଼ାଣକାରୀ ସଂସ୍ଥାକୁ ଡାକି ଆଲୋଚନା କରିଥିଲେ ବା ତୁରନ୍ତ ସେମାନଙ୍କୁ ଡାକି କଥାବାର୍ତ୍ତା କଲେ ହୁଏତ ଅଧିକରୁ ଅଧିକ ବିମାନ ବିଦେଶକୁ ଉଡ଼ିପାରେ। ଏପରିକି ବିମାନ ଉଡ଼ାଣକାରୀ କମ୍ପାନି ମଧ୍ୟରେ ପ୍ରତିଯୋଗିତା ‌େଯାଗୁଁ ଓଡ଼ିଶାରୁ କମ୍‌ ସବ୍‌ସିଡି ଦେବାକୁ ପଡ଼ିପାରେ। ହେଲେ ସରକାରୀ ସ୍ତରରେ ଆଜି ପର୍ଯ୍ୟନ୍ତ ଏହି ଉଦ୍ୟମ ଆରମ୍ଭ ହେଲାନି। ଯେଉଁଥିପାଇଁ ଓଡ଼ିଶାରୁ ଏବେ ଅନ୍ତର୍ଜା‌ତୀୟ ବିମାନ ଉଡ଼ାଣ ଆଶା ମଉଳିଯାଇଛି। ସରକାରୀ ସ୍ତରରେ ପଦକ୍ଷେପ ଦେଖିଲେ ଲାଗୁଛି ଯେପରି ବିଦେଶକୁ ବିମାନ ଉଡ଼ାଣ ପାଇଁ ସରକାରଙ୍କ ଆଗ୍ରହ ନାହିଁ।

YouTube

ଭୁବନେଶ୍ବରକୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ହୋଟେଲ କ୍ରାଉନର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ ଯୋଗୁଁ ବିଦେଶକୁ ବିମାନ ଚଳାଚଳ ବନ୍ଦ ଥିବାରୁ ଲୋକ ବାହାରକୁ ବୁଲିବାକୁ ଯାଇପାରିନଥିଲେ। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେଲେ ଲୋକ ଏବେ ବୁଲିବାକୁ ଯିବେ। ଏପ୍ରିଲ ଓ ମେ’ ମାସରେ ଅଧିକ ଲୋକ ବିଦେଶକୁ ବୁଲିବାକୁ ଯାଆନ୍ତି। ହେଲେ ଆମ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେଉନି। ତେଣୁ ଲୋକ ଅନ୍ୟ ରାଜ୍ୟରୁ ଯିବେ। ସେହିପରି ବିଦେଶରୁ ବହୁ ଲୋକ ଭାରତକୁ ଆସିବେ। ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲେ ରାଜ୍ୟସରକାର ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହୋଇଥାନ୍ତେ। ପୂର୍ବରୁ ବ୍ୟାଙ୍କକ୍ ଏବଂ କ୍ବାଲାଲମ୍ପୁରକୁ ବିମାନ ସେବା ଚାଲିଥିବାବେଳେ ବହୁ ଲୋକ ବିଦେଶ ଯାଉଥିଲେ ଓ ବିଦେଶରୁ ବହୁ ଲୋକ ଆସୁଥିଲେ। ତେଣୁ ଏନେଇ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କୁ କିଛି ପଦକ୍ଷେପ ନେବା ଦରକାର।

ଅପରପକ୍ଷେ ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଦେଶକୁ ବିମାନ ଉଡ଼ାଣ ବନ୍ଦ ଥିଲା। ଏବେ ଆରମ୍ଭ ହେବାକୁ ଯାଉଛି। ତେଣୁ ଆମେ ବିଭିନ୍ନ ଏୟାରଲାଇନ୍ସ ସହ ଆଲୋଚନା କରିବୁ। ଏୟାର ଏସିଆର ଯେଉଁ ବିମାନ କ୍ବାଲାଲମ୍ପୁର ଯାଉଥିଲା ସେନେଇ ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ। ସବ୍‌ସିଡି ଦିଆଯିବ କି ନାହିଁ, ଦିଆଗଲେ ପୂର୍ବଭଳି ଲକ୍ଷେ ଟଙ୍କା କି ଅଧିକ ଦିଆଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ସେହିପରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟି-୨ ଟର୍ମିନାଲ ସ୍ବତନ୍ତ୍ର ଭାବେ ଥିଲେ ହେଁ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରୁନଥିବାରୁ ଏ‌ହି ଟର୍ମିନାଲ ବ୍ୟବହାର ହେଉନି। ଭିତ୍ତିଭୂମି ଥାଇ ବି ସରକାର ଏହାର ଫାଇଦା ନଉଠାଇବା ଚକିତ କରୁଛି।

ସମ୍ବନ୍ଧିତ ଖବର