ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ୧୧ଟି କେନ୍ଦୁପତ୍ର ରେଞ୍ଜ ରହିଛି। ପ୍ରତିବର୍ଷ ଜିଲ୍ଲାର କେନ୍ଦୁପତ୍ରରୁ ୮କୋଟିରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ ହୋଇଥାଏ। ଜିଲ୍ଲାର କେନ୍ଦୁପତ୍ରର ଚାହିଦା ମଧ୍ୟ ଅଧିକ। ଜିଲ୍ଲା ଗଠନକୁ ଇତିମଧ୍ୟରେ ୩୧ ବର୍ଷ ବିତିଯାଇଥିଲେ ହେଁ ଏଠାରେ କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟ ଖୋଲାଯାଇ ନାହିଁ। ଫଳରେ, ଏଠାରେ କେନ୍ଦୁପତ୍ରରୁ ହରିଲୁଟ୍ ବଢ଼ିବାରେ ଲାଗିଛି। ଜିଲ୍ଲାରେ ୧୧ଟି କେନ୍ଦୁପତ୍ର ରେଞ୍ଜ ଥିବାବେଳେ ଏହି ରେଞ୍ଜଗୁଡ଼ିକ ତିନିଟି ପୃଥକ୍ ପୃଥକ୍ ଡିଭିଜନ ଅଧୀନରେ ରହିଛି। ଏହି ଜିଲ୍ଲାର ସିଙ୍ଗବାହାଲି, ଖଲିଆପାଲି, ତରଭା, ବୁରମୁଣ୍ତା, ବିନିକା ଆଦି କେନ୍ଦୁପତ୍ର ରେଞ୍ଜ ବଲାଙ୍ଗୀର କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବାବେଳେ ଅମରପାଲି, ଖଣ୍ତହତା, ସିଣ୍ଢୋଲ, ବିଦୁରପାଲି ଆଦି ରେଞ୍ଜ ରହିଛି ସମ୍ବଲପୁର ଡିଭିଜନ ଅଧୀନରେ। ସେହିପରି ବୀରମହାରାଜପୁର, ସୁବଳୟା ଆଦି ରେଞ୍ଜ ରହିଛି ରେଢ଼ାଖୋଲ ଡିଭିଜନ ଅଧୀନରେ।
ଜିଲ୍ଲାରେ ପ୍ରତିବର୍ଷ ୫୦ହଜାରରୁ ଅଧିକ ପୁରୁଷ ଓ ମହିଳା କେନ୍ଦୁପତ୍ର ଗୋଛା କାଟିବା ଏବଂ ତୋଳିବା କମରେ ସାମୟିକ ନିଯୁକ୍ତି ପାଇଥାନ୍ତି। ଏମାନେ ତିନିଟି ପୃଥକ୍ ପୃଥକ୍ ଡିଭିଜନରେ କାମ କରୁଥିବାରୁ ଏମାନଙ୍କ ମଧ୍ୟରେ ସମନ୍ବୟ ରହିପାରେନାହିଁ। ଫଳରେ ବିଭିନ୍ନ ସମୟରେ ଏମାନେ ଅଧିକାକରୀଙ୍କଠାରୁ ଆରମ୍ଭ କରି ତଳ କର୍ମଚାରୀଙ୍କ ଦ୍ବାରା ଶୋଷଣର ଶିକାର ହେଲେ ମଧ୍ୟ ସ୍ବର ଠିକ ଭାବରେ ଉପରକୁ ପହଞ୍ଚିପାରେ ନାହିଁ। ଗୋଛାକଟାଠାରୁ ଆରମ୍ଭ କରି ପତ୍ରତୋଳା, ଶୁଖାଇବା ଆଦି ସବୁଥିରେ ଚାଲିଛି ତଞ୍ଚକତା। ତୋଳାଳିଙ୍କ ହକ୍ରୁ ଚାଲିଛି ହରିଲୁଟ୍। ସେହିପରି ୧୧ଟି ରେଞ୍ଜ ଅଧୀନରେ ଫଡ଼ିଘର ମରାମତି ଏବଂ ନିର୍ମାଣ ନାମରେ ବି ହରିଲୁଟ୍ ହେଉଥିବା ଅଭିଯୋଗରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ବିଗତ ୧୦ ବର୍ଷ ମଧ୍ୟରେ ୫ କୋଟିରୁ ଅଧିକ ଟଙ୍କା ଫଡ଼ିଘର ମରାମତି ଏବଂ ନିର୍ମାଣ ନାମରେ ଖର୍ଚ୍ଚ ହୋଇଛି। ଜିଲ୍ଲାରେ କେତେକ ସ୍ଥାନରେ ବେସରକାରୀ ଜାଗାରେ ମଧ୍ୟ ଫଡ଼ିଘର କରାଯାଇଛି। ତେବେ ଜିଲ୍ଲାରେ କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟ ନଥିବାରୁ ବିଭିନ୍ନ ରେଞ୍ଜରେ ଫଡ଼ିଘର ନିର୍ମାଣ ଏବଂ ମରାମତି ନାମରେ ତଞ୍ଚକତା କରାଯାଉଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏଣୁ କେନ୍ଦୁପତ୍ର ଶ୍ରକିକଙ୍କ ମଙ୍ଗଳ ପାଇଁ ତଥା ଜିଲ୍ଲାରେ ହେଉଥିବା କେନ୍ଦୁପତ୍ରରୁ ଲୁଟ୍ ରୋକିବା ପାଇଁ ଜିଲ୍ଲାରେ ଶୀଘ୍ର କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟ ଖୋଲିବାକୁ ସାଧାରଣରେ ଦାବି ହେଉଛି।