ଗ୍ରନ୍ଥାଗାରରେ ନାହାନ୍ତି ଗ୍ରନ୍ଥପାଳ: ସ୍କୁଲଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ସମାନ ଅବସ୍ଥା

ଆଦର୍ଶ ବିଦ୍ୟାଳୟ ଓ ରୂପାନ୍ତରିତ ସ୍କୁଲରେ ଶିକ୍ଷକଙ୍କ କାନ୍ଧରେ ଦାୟିତ୍ବ, ପରିଜା ପାଠାଗାରରେ ବି ଲାଇବ୍ରେରିଆନ୍‌ଙ୍କ ଅଭାବ

ଭୁବନେଶ୍ବର: ହାଇସ୍କୁଲ ରୂପ ବଦଳୁଛି। ୫-ଟି କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରଣରେ ସରକାରୀ ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେଉଛି। ଡିଜିଟାଲ କ୍ଲାସରୁମ୍‌ ସାଙ୍ଗକୁ ଲାଇବ୍ରେରି ବ୍ୟବସ୍ଥା‌ ହୋଇଛି। ଛାତ୍ରଛାତ୍ରୀଙ୍କ ଉପଯୋଗୀ ପାଠ୍ୟପୁସ୍ତକ ସାଙ୍ଗକୁ ଅନ୍ୟାନ୍ୟ ପୁସ୍ତକ ବି ସେଠାରେ ଉପଲବ୍ଧ କରାଯାଇଛି। ମାତ୍ର ଲାଇବ୍ରେରିରେ ଲାଇବ୍ରେରିଆନ୍‌ ନାହାନ୍ତି। ଶିକ୍ଷକମାନେ ସମ୍ଭାଳୁଛନ୍ତି ଲାଇବ୍ରେରି। ପିଲା ଲାଇବ୍ରେରିରେ ପଢ଼ିଲେ କି ନାହିଁ, ତାହାର ତଦାରଖ କରାଯାଉନାହିଁ। କେବଳ ରୂପାନ୍ତରଣ ସ୍କୁଲ ନୁହେଁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପଯୋଗୀ ଲାଇବ୍ରେରି ପ୍ରତିଷ୍ଠା କରାଯାଇଛି। ଲାଇବ୍ରେରିଆନ୍‌ ପଦକୁ ଅନୁମୋଦନ ମିଳିଛି। ହେଲେ ସେଠାରେ ମଧ୍ୟ ଲାଇବ୍ରେରିଆନ୍‌ ନାହାନ୍ତି।

ସ୍କୁଲ ଠାରୁ କଲେଜ ଅବସ୍ଥା ଆହୁରି ତଦ୍ରୁପ। ପାଠାଗାରରେ ପର୍ଯ୍ୟାପ୍ତ ବହି ନାହିଁ କି ସବୁଠି ଲାଇବ୍ରେରିଆନ୍‌ ନାହାନ୍ତି। ଶତାଧିକ ପଦ ଖାଲି ପଡ଼ିଛି। ପୂରଣ ହେବ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏମିତି କିଛି ସରକାରୀ କଲେଜ ରହିଛି ଯେଉଁଠାରେ ବହି ନାହିଁ କି ପଢ଼ିବାକୁ ସ୍ଥାନ ନାହିଁ। ଯେଉଁଠାରେ ପିଲାଙ୍କ କ୍ଲାସ ହେଉଛି, ତା’ନିକଟରେ ଛୋଟିଆ ଜାଗାରେ ପିଲାଙ୍କ ପଢ଼ିବା ଲାଗି ବ୍ୟବସ୍ଥା ହୋଇଛି। ଲାଇବ୍ରେରିଆନ୍‌ଙ୍କ ସ୍ଥାନରେ ଅଧ୍ୟାପକମାନେ ଦାୟିତ୍ବ ସମ୍ଭାଳୁଛନ୍ତି।

କେନ୍ଦ୍ର ସରକାରଙ୍କ ୟୁଡାଏଜ୍‌+ ତଥ୍ୟ ଅନୁଯାୟୀ, ରାଜ୍ୟର ୯୫% ବିଦ୍ୟାଳୟରେ ଲାଇବ୍ରେରି ଗଠନ ହୋଇଛି। ୯୪% ସରକାରୀ ବିଦ୍ୟାଳୟରେ ଲାଇବ୍ରେରି ଥିବା ବେଳେ ୯୫% ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୯୭% ଘରୋଇ ବିଦ୍ୟାଳୟ ଓ ଅନ୍ୟାନ୍ୟ ବର୍ଗର ୯୧% ବିଦ୍ୟାଳୟରେ ଲାଇବ୍ରେରି ରହିଛି। ସେହିପରି ୯୩% ବିଦ୍ୟାଳୟ ଲାଇବ୍ରେରିରେ ବହି ଉପଲବ୍ଧ ରହିଛି। ୮% ସରକାରୀ ବିଦ୍ୟାଳୟ ଲାଇବ୍ରେରିରେ ବହି ଉପଲବ୍ଧ ନାହିଁ। ଅନୁଦାନପ୍ରାପ୍ତ ବିଦ୍ୟାଳୟର ୬%, ଘରୋଇ ବିଦ୍ୟାଳୟର ୩%, ଅନ୍ୟାନ୍ୟ ବିଦ୍ୟାଳୟର ୧୧% ଲାଇବ୍ରେରିରେ ବହି ନାହିଁ। ରାଜ୍ୟର ୬୧ ହଜାର ୨୯୧ ବିଦ୍ୟାଳୟ ମଧ୍ୟରୁ ୫୮ ହଜାର ୯୬୦ ସ୍କୁଲରେ ଲାଇବ୍ରେରି ଉପଲବ୍ଧ ରହିଛି। ୪୯ ହଜାର ୭୨ ସରକାରୀ ସ୍କୁଲରୁ ୪୬ ହଜାର ୬୧୮, ଅନୁଦାନପ୍ରାପ୍ତ ୫୮୦୭ ମଧ୍ୟରୁ ୫୩୩୫, ୬୧୦୪ ଘରୋଇ ସ୍କୁଲରୁ ୫୮୬୮ ଓ ଅନ୍ୟାନ୍ୟ ବର୍ଗର ୧୩୦୮ ସ୍କୁଲ ମଧ୍ୟରୁ ୧୧୩୯ ବିଦ୍ୟାଳୟରେ ଲାଇବ୍ରେରି ରହିଛି। ଲାଇବ୍ରେରିଗୁଡ଼ିକରେ ବହି ଓ ରିଡିଂ କର୍ଣ୍ଣର ସୁବିଧା ଉପଲବ୍ଧ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଶ୍ବବିଦ୍ୟାଳୟରେ ମଧ୍ୟ ଏବେ ଲାଇବ୍ରେରିଆନ୍‌ ମରୁଡ଼ି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟରେ ଥିବା ପରିଜା ପାଠାଗାରରେ ଲାଇବ୍ରେରିଆନ୍‌ଙ୍କ ସଂକଟ ଲାଗି ରହିଛି। ଏଠାରେ ଇ-ଲାଇବ୍ରେରି ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଲାଇବ୍ରେରିଆନ୍‌ ନ ଥିବାରୁ ପାଠପଢ଼ା ପ୍ରଭାବିତ ହୋଇଛି। ଏମିତିକି ଅନୁମୋଦିତ ପଦବି ବି ପୂରଣ ହୋଇନାହିଁ। ସମ୍ବଲପୁର, ବ୍ରହ୍ମପୁର, ରେଭେନ୍ସା, ଫକୀରମୋହନ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସମାନ ଅବସ୍ଥା। କେଉଁଠି ଜଣେ ଲାଇବ୍ରେରିଆନ୍‌ରେ ଅଛନ୍ତି ତ ଆଉ କେଉଁଠି ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଲାଇବ୍ରେରି। ବର୍ଷବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନାହାନ୍ତି। ପଦବିଗୁଡ଼ିକ କେବେ ପୂରଣ ହେବ ସେନେଇ ବି କାହା ପାଖରେ ଖବର ନାହିଁ।

ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ୬୦ଟି ଲାଇବ୍ରେରିଆନ୍‌ ପଦବି ପୂରଣ ଲାଗି ଅର୍ଥ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ୩୬ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୩୧୫ଟି ଲାଇବ୍ରେରିଆନ୍‌ ପଦ ଲାଗି ଅନୁମୋଦନ ମିଳିଛି। ମାତ୍ର ଅନ୍ଧାରୁଆସ୍ଥିତ ଆଇକନିକ୍‌ ଆଦର୍ଶ ବିଦ୍ୟାଳୟର ଗୋଟିଏ ଲାଇବ୍ରେରିଆନ୍‌ ପଦ ଗତବର୍ଷ ପୂରଣ ହୋଇଛି। ଆଦର୍ଶ ବିଦ୍ୟାଳୟର ସମସ୍ତ ପଦବି ବିଦ୍ୟାଳୟର ସହାୟକ କର୍ମଚାରୀ ଓ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେଉଛି। ଆଦର୍ଶ ବିଦ୍ୟାଳୟରେ ଥିବା ଲାଇବ୍ରେରିଆନ୍‌ ପଦଗୁଡ଼ିକ ପୂରଣ ଲାଗି ଆସନ୍ତା ମାସେ କି ଦୁଇ ମାସ ମଧ୍ୟରେ ବିଜ୍ଞପ୍ତି ଜାରି ହେବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର