ଅଫିସରଙ୍କ ଆଚରଣରେ ବାଚସ୍ପତି ବି କ୍ଷୁବ୍ଧ: ପୁଣି ବୁକ୍‌ ସର୍କୁଲାର୍‌ ପ୍ରସଙ୍ଗ ଉଠିଲା

ପ୍ରଶ୍ନ ସହ ଉତ୍ତରର ତାଳମେଳ ରହୁନି : ନରସିଂହ

ଭୁବନେଶ୍ବର: ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଅଧିକାରୀମାନେ ଅଫିସର୍ସ ଗ୍ୟାଲେରିରେ ବସନ୍ତି। ବିଧାୟକମାନେ ପ୍ରଶ୍ନ ପଚାରିଲା ବେଳେ ସବୁ ତଥ୍ୟ ମନ୍ତ୍ରୀଙ୍କ ପାଖରେ ତତ୍‌କାଳ ଉପଲବ୍ଧ ହୋଇ ନ ଥାଏ। ତେଣୁ ଅଫିସର୍ସ ଗ୍ୟାଲେରିରୁ ଅଧିକାରୀମାନେ ମନ୍ତ୍ରୀଙ୍କ ପାଖକୁ କାଗଜରେ ଲେଖି ତଥ୍ୟ ପଠାନ୍ତି। ପରମ୍ପରା କ୍ରମେ ଏହି ବ୍ୟବସ୍ଥା ଚାଲିଛି। ଏବେ ଅଫିସର୍ସ ଗ୍ୟାଲେରିରେ ଅଧିକାରୀମାନେ ବସୁଛନ୍ତି ସତ। କିନ୍ତୁ ଆବଶ୍ୟକ ସମୟରେ ଅଧିକାରୀମାନେ ମନ୍ତ୍ରୀଙ୍କ ପାଖକୁ କେବେ ବି କାଗଜ ପଠାଉ ନ ଥିବା ଦେଖାଯାଉଛି। ଏହାକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ କ୍ଷୁବ୍ଧ ହୋଇଛନ୍ତି। କିଛିଦିନ ହେଲା ସେ ନିଜେ ଏଭଳି ଅନୁଭବ କରୁଥିବା ଆଜି ବାଚସ୍ପତି ଗୃହରେ ଖୋଲାଖୋଲି କହିଛନ୍ତି। ଏ ଦିଗରେ ସବୁ ବିଭାଗ ଆବଶ୍ୟକ ପଦ‌କ୍ଷେପ ନେବା ପାଇଁ ସେ ରୁଲିଂ ମଧ୍ୟ ଦେବାକୁ ପଛାଇନାହାନ୍ତି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୁକ୍ ସର୍କୁଲାର୍‌-୪୭ ପାଳନ ହେଉ ନ ଥିବା ପ୍ରସଙ୍ଗ ପୁଣି ଉଠାଇଥିଲେ। କହିଥିଲେ ଯେ ଏହି ପ୍ରସଙ୍ଗଟିକୁ ପୂର୍ବରୁ ଉଠାଇଥିଲି। ସାତ ଦିନ ଭିତରେ ମୁଖ୍ୟ ସଚିବଙ୍କ ସହ ବୈଠକ କରିବେ ବୋଲି ବାଚସ୍ପତି କହିଥିଲେ। କିନ୍ତୁ ଫଳାଫଳ ଆମେ ଜାଣିପାରିଲୁନି। ଏବେ ବି ବୁକ୍‌ ସର୍କୁଲାର୍‌-୪୭ କେହି ମାନୁ ନ ଥିବା ଦେଖିବାକୁ ମିଳୁଛି। ଯଦି ନ ମାନିବେ, ତେବେ ତାହାକୁ ଉଠାଇ ଦିଆଯାଉ। ଜନ ପ୍ରତିନିଧିମାନଙ୍କ ଭୂମିକାକୁ ଶୂନ କରିଦିଆଯାଉ।

ଶ୍ରୀ ମିଶ୍ର ମନ୍ତ୍ରୀମାନଙ୍କ ଉତ୍ତର ଦେବା ଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ପଚରାଯାଉଥିବା ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଉନି। ପ୍ରଶ୍ନ ସହ ଉତ୍ତରର କିଛି ପ୍ରାସଙ୍ଗିକତା ରହୁନି। କେବଳ ଗୃହକୁ ବିଭ୍ରାନ୍ତ କରାଯାଉଛି। ଅତି ସହଜ ପ୍ରଶ୍ନର ଉତ୍ତରରେ ‘ତଥ୍ୟ ସଂଗ୍ରହ କରାଯାଉଛି’ ବୋଲି ଲେଖାଯାଉଛି। ପରେ ତଥ୍ୟ ମିଳିଲା ପରେ ସଂପୃକ୍ତ ବିଧାୟକଙ୍କୁ ଅବଗତ କରାଯାଉନି। ଏହାକୁ ବାଚସ୍ପତି ଗୁରୁତର ସହ ନେବାର ଆବଶ୍ୟକତା ରହିଛି। ବୁକ୍‌ ସର୍କୁଲାର୍‌-୪୭ ସମ୍ପର୍କରେ ବାଚସ୍ପତି ଶ୍ରୀ ଆରୁଖ କହିଥିଲେ ଯେ ବୁକ୍‌ ସର୍କୁଲାର୍ ଠିକ୍ ଭାବେ କାର୍ଯ୍ୟକାରୀ ହେବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ସଚିବଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସହ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଛି। ଏହି ପ୍ରସଙ୍ଗରେ ସବୁ ବିଭାଗର ସଚିବଙ୍କୁ ନେଇ ମୁଖ୍ୟ ଶାସନ ସଚିବ ଏକ ବୈଠକ କରିବାକୁ କୁହାଯାଉଛି।

ସମ୍ବନ୍ଧିତ ଖବର