ଚନ୍ଦ୍ରଶେଖରପୁର: ଆବାସ ଯୋଜନାରେ ଭୁବନେଶ୍ବର ସହରର ବସ୍ତିବାସିନ୍ଦାଙ୍କୁ ଚନ୍ଦ୍ରଶେଖରପୁର ବୁଦ୍ଧବିହାରଠାରେ ଥଇଥାନ କରାଯାଉଛି। ପର୍ଯ୍ୟାୟକ୍ରମେ ୨,୬୦୦ ପରିବାରଙ୍କୁ ସେଠାରେ ଥଇଥାନ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୨୦ ପରିବାରଙ୍କ ପାଇଁ ଘର କାର୍ଯ୍ୟ ଶେଷ ହୋଇଥିବା ବେଳେ ୩୦୩ଟି ପରିବାରଙ୍କୁ ଘର ଆଲଟ୍‌ ହୋଇଛି। ସରସ୍ବତୀ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ନୀଳାଦ୍ରିବିହାର ଟ୍ରାଞ୍ଜିଟ୍‌ ହାଉସ୍‌ରେ ରହୁଥିବା ସମସ୍ତ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସାଲିଆସାହି ସମେତ ଅନ୍ୟାନ୍ୟ ବସ୍ତିରେ ଥିବା ପରିବାରଙ୍କୁ ଘର ଆଲଟ୍‌ ହୋଇ ସାରିଥିଲେ ମଧ୍ୟ ସେମାନେ ନୂତନ ଘରକୁ ଯାଉ ନାହାନ୍ତି। କାହାର ଆର୍ଥିକ ତ ଆଉ କାହାର ନୂତନ ଘରକୁ ବିଦ୍ୟୁତ୍‌ ସଂଯୋଗ ସମସ୍ୟା ରହିଛି। ସେମାନେ ବୁଦ୍ଧବିହାରକୁ ସ୍ଥାନାନ୍ତର ହୋଇପାରୁ ନ ଥିବା ବେଳେ ଏବେ ତାଙ୍କୁ ବିଡିଏ ନାଲିଆଖି ଦେଖାଇଲାଣି। ଆବଶ୍ୟକ ଅର୍ଥ ଦାଖଲ କରି ଆସନ୍ତା ୨ଦିନ, ଅର୍ଥାତ୍‌ ୨୦ ତାରିଖ ସୁଦ୍ଧା ଟ୍ରାଞ୍ଜିଟ୍‌ ହାଉସ୍‌ ଛାଡ଼ି ବୁଦ୍ଧବିହାର ଯିବାକୁ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ନହେଲେ ୨୧ ତାରିଖରେ ଘର ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆ ଯାଇଛି।

Advertisment

ବିଡିଏ ପକ୍ଷରୁ ଆଜି ଡାକବାଜି ମାଧ୍ୟମରେ ଏହା ଘୋଷଣା କରାଯିବାପରେ ଟ୍ରାଞ୍ଜିଟ୍‌ ହାଉସ୍‌ରେ ଥିବା ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଦେଢ଼ଲକ୍ଷ ଟଙ୍କା ଦାଖଲ କରିବା ପରେ ହିଁ ବସ୍ତିବାସିନ୍ଦାଙ୍କୁ ଘରର ଚାବି ମିଳିବ ବୋଲି ନିୟମ କରା ଯାଇଛି। ଏଥିପାଇଁ ଦିଆ ଯାଇଥିବା ଏକ ମାସ ଭିତରେ ଦେଢ଼ଲକ୍ଷ ଟଙ୍କା ଯୋଗାଡ଼ କରି ଦାଖଲ କରିବା ଅନେକଙ୍କ ପକ୍ଷେ ସମ୍ଭବ ହୋଇନାହିଁ। ତେଣୁ ଅତି କମ୍‌ରେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦେବାକୁ ସେମାନେ ନିବେଦନ କରିଛନ୍ତି। ସେମିତି ଜଣେ ହିତାଧିକାରୀ କୁଳମଣି ମାଇତି କହିଲେ, ‘‘ୟୁନିଟ୍‌-୮, ବାଣୀବିହାର, ସତ୍ୟନଗର ବସ୍ତି ଭଙ୍ଗାଯିବା ପରେ ଏଠାରେ ଶତାଧିକ ପରିବାରଙ୍କୁ ଥଇଥାନ କରାଯାଇଥିଲା। ଏବେ ଆବାସ ଯୋଜନାରେ ନିଜସ୍ବ ଘର ମିଳିଥିବାରୁ ଭଲ ଲାଗୁଛି। ମାତ୍ର ଘରର ଚାବି ନେବାପାଇଁ ଦେଢ଼ଲକ୍ଷ ଟଙ୍କା ଦରକାର। ଗୋଟିଏ ମାସ ମଧ୍ୟରେ ଦେଢ଼ଲକ୍ଷ ଟଙ୍କା ଯୋଗାଡ଼ ହୋଇ ପାରିନାହିଁ। ଏବେ ସୁଦ୍ଧା ମାତ୍ର ୮୦ ହଜାର ଯୋଗାଡ଼ ହୋଇଛି। ଆଉ କିଛି ସମୟ ଦେଲେ ‌ବାକି ୭୦ ହଜାର ଯୋଗାଡ଼ କରି ଦାଖଲ କରିବି।’’ ସେହିପରି ତପନ ଟୁଡ଼ୁଙ୍କ କହିଲେ, ‘‘ଟ୍ରାଞ୍ଜିଟ୍‌ ହାଉସ୍‌ରେ ରହୁଥିବା କିଛି ଲୋକ ନୂଆ ଆବାସକୁ ଯାଇଛନ୍ତି। ମାତ୍ର ସେଠାରେ ବିଭିନ୍ନ ପ୍ରକ‌ାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦିଆ ଯାଇନାହିଁ। ଆମେ ଏବେ ସେଠାକୁ ଗଲେ ଆମକୁ ବି ଅନ୍ଧାରରେ ରହିବାକୁ ପଡ଼ିବ। ପ୍ରଶାସନ ଏଦିଗରେ ପଦ‌କ୍ଷେପ ନେଉ।’’

ବିଡିଏର ଜଣେ ଅଧିକାରୀ ଏ ପ୍ରସଙ୍ଗରେ କହିଲେ, ଟ୍ରାଞ୍ଜିଟ୍‌ ହାଉସ୍‌ରେ ୧୧୦ରୁ ଅଧିକ ପରିବାର ରହୁଥିଲେ। ସେମାନଙ୍କ ମଧ୍ୟରୁ ୬୦ ଜଣ ଆବଶ୍ୟକ ଅର୍ଥ ଦାଖଲ କରିବା ସହ ଘର ଚାବି ନେଇ ଯାଇଛନ୍ତି। ବାକି ଯେଉଁମାନେ ଅଛନ୍ତି, ସେମାନଙ୍କୁ ବାରମ୍ବାର କୁହାଯିବା ସତ୍ତ୍ବେ ଘର ଛାଡ଼ି ଯାଉନାହାନ୍ତି। ତେଣୁ ଆଜି ସେମାନଙ୍କୁ ଚୂଡ଼ାନ୍ତ ଚେତାବନୀ ଦିଆଯାଇଛି। ୨୦ ତାରିଖ ଭିତରେ ଯଦି ଘର ନ ଛାଡ଼ନ୍ତି, ତାହା ହେଲେ ଘର ଭଙ୍ଗାଯିବ।’’

ଭାଙ୍ଗିବ ୨୦ ବର୍ଷର ବସ୍ତି
ପାଖାପାଖି ୨୦ ବର୍ଷ ତଳେ ଇନ୍‌ଫୋ‌ସିଟି ପଛପାର୍ଶ୍ବ ଓ ଶୈଳଶ୍ରୀବିହାରରେ ଗଢ଼ି ଉଠିଥିବା ସରସ୍ବତୀ ବସ୍ତି ଓ ଶ୍ରୀକୃଷ୍ଣ ବସ୍ତି ଭାଙ୍ଗିବ। ସେଠାରେ ରହୁଥିବା ସମସ୍ତ ପରିବାରଙ୍କୁ ଆବାସ ଯୋଜନାରେ ବୁଦ୍ଧବିହାରରେ ଘର ମିଳିଥିବାରୁ ସେମାନେ ଏବେ ଘର ଛାଡ଼ୁଛନ୍ତି। ଇନ୍‌ଫୋସିଟି ପଛପାର୍ଶ୍ବ ଭରତପୁର ଜଙ୍ଗଲକୁ ଲାଗି ୧୫ ବର୍ଷ ତଳେ ଗଢ଼ି ଉଠିଥିବା ସରସ୍ବତୀ ବସ୍ତିର ଅଧିକାଂଶ ପରିବାର ଇତିମଧ୍ୟରେ ବୁଦ୍ଧବିହାରକୁ ସ୍ଥାନାନ୍ତର ହୋଇ ସାରିଛନ୍ତି। ସେଠାରେ ଏବେ ମାତ୍ର ୧୬ ପରିବାର ଅଛନ୍ତି। ସେମାନେ ଆସନ୍ତା ୨ଦିନ ମଧ୍ୟରେ ଘର ଛାଡ଼ିବା ପରେ ଗୁରୁବାର ଦିନ ‌ସରସ୍ବତୀ ବସ୍ତି ଭଙ୍ଗାଯିବ। ଶ୍ରୀକୃଷ୍ଣ ନଗର ବସ୍ତିରେ ଥିବା ଅଧିକାଂଶ ପରିବାର ମଧ୍ୟ ସ୍ଥାନାନ୍ତର ହୋଇ ସାରିଛନ୍ତି। ବାକି ଥିବା ୨୨ ପରିବାର ଯିବାପରେ ସମ୍ପୃକ୍ତ ବସ୍ତିକୁ ମଧ୍ୟ ଗୁରୁବାର ଭଙ୍ଗାଯିବାକୁ ଯୋଜନା ହୋଇଥିବା ବିଡିଏର ଅଧିକାରୀ କହିଛନ୍ତି।