ଛତ୍ରପୁର : ପଞ୍ଚାୟତ ନିର୍ବାଚନକୁ ଦେଖୁ ଦେଖୁ ଏହାମଧ୍ୟରେ ୧୦ ମାସ ବିତିସାରିଛି। କିନ୍ତୁ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକ୍ରେ ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ଗୋଷ୍ଠୀ ଭିତରେ ଛକାପଞ୍ଝା ଏବଂ ଗୋଷ୍ଠୀକନ୍ଦଳର ସମାଧାନ ବାଟ ବାହାରିପାରୁନି। ଫଳରେ ୧୮ ପଞ୍ଚାୟତରୁ ଅର୍ଦ୍ଧାଧିକ ପଞ୍ଚାୟତରେ ମନରେଗାଠୁ ଆରମ୍ଭ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନି। ଏଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ନକରି ଓଲଟି ଗ୍ରାମ ରୋଜଗାର ସେବକଙ୍କ ସମେତ ତଳତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦୁଛି। ସେମାନଙ୍କୁ ବିଭାଗୀୟ ଅଧିକାରୀମାନେ ନାଲି ଆଖି ଦେଖାଉଛନ୍ତି।
କେବଳ ଗୋଷ୍ଠୀ ବିବାଦ ଯୋଗୁଁ ଚଳିତ ଆର୍ଥିକବର୍ଷରେ ଛତ୍ରପୁର ବ୍ଲକ୍ ମନରେଗା ଯୋଜନା କାର୍ଯ୍ୟକାରିତା ତଥା ଶ୍ରମଦିବସ ସୃ୍ଷ୍ଟିରେ ପଛରେ ପଡ଼ିଛି। ସମସ୍ତ ପଞ୍ଚାୟତରୁ ବଡ଼ମାଧପୁର ସବୁଠୁ ପଛରେ ରହିଛି। ଏଠାରେ ଛତ୍ରପୁର ବିଧାୟକ ଓ ବ୍ଲକ୍ ଉପାଧ୍ୟକ୍ଷ ଗୋଷ୍ଠୀ ଭିତରେ ଛକାପଞ୍ଝା ପାଇଁ କୌଣସି ପ୍ରକଳ୍ପ ପାଇଁ ମାଟି ମୁଠେ ବି ପଡ଼ିନି।
ଚଳିତ ଆର୍ଥିକବର୍ଷରେ ବଡ଼ମାଧପୁର ପଞ୍ଚାୟତକୁ ୭୩ ହଜାର ୯୫୦ ଶ୍ରମଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଚଳିତମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ମାତ୍ର ୧୬ ହଜାର ୪୨୩ ଶ୍ରମଦିବସ ସୃଷ୍ଟି ହୋଇପାରିଛି। ଯାହାକି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟର ମାତ୍ର ୨୨ ପ୍ରତିଶତ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୬୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି। କିନ୍ତୁ ମାତ୍ର ୧୬ଟି ପ୍ରକଳ୍ପର କାମ ଚାଲୁ ରହିଛି। ୪ଟି ପ୍ରକଳ୍ପ କାମ ଶେଷ ହୋଇଛି। ଏହାସହ ମନରେଗା ଯୋଜନାରେ ମାତ୍ର ୬ଟି ପରିବାରକୁ ୧୦୦ଦିନିଆ କାମ ମିଳିଛି। ମନରେଗା ଯୋଜନା କାର୍ଯ୍ୟକାରିତାରେ ଜାତୀୟ ଓ ରାଜ୍ୟସ୍ତରରେ ପ୍ରଶଂସିତ ଗଞ୍ଜାମ ଜିଲ୍ଲା ପାଇଁ ଏହା ନୈରାଶ୍ୟଜନକ ବୋଲି ମତପ୍ରକାଶ ପାଇଛି।
ତେବେ ଦୀର୍ଘଦିନ ଧରି ବିକାଶରେ କଣ୍ଟା ସାଜିଥିବା ଏହି ଗୋଷ୍ଠୀକନ୍ଦଳରେ ପୂର୍ଣ୍ଣଛେଦ ପକାଇବା ଦାୟିତ୍ବ କାହାର ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏଥିରେ ଜିଲ୍ଲା ପ୍ରଶାସନ ଓ ତୁଙ୍ଗନେତା ମାନେ ହସ୍ତକ୍ଷେପ କରୁନାହାନ୍ତି। ଯଦ୍ବାରା ତଳତଳିଆ କର୍ମଚାରୀ ଏବଂ ଗ୍ରାମ ରୋଜଗାର ସେବକମାନଙ୍କୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଆଗକୁ ସମାଧାନର ବାଟ ନବାହାରିଲେ ସ୍ଥିତି ସଂଗିନ୍ ହେବ ବୋଲି ମତପ୍ରକାଶ ପାଇଛି।