ସମ୍ବଲପୁର: ଗତ ମାର୍ଚ୍ଚ ମାସର ପେନ୍ସନ୍ ଆଜି ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟ ପେନ୍ସନ୍ଭୋଗୀମାନଙ୍କୁ ମିଳିପାରି ନାହିଁ। ଜ୍ୟୋତିବିହାର ପରିସରରେ ଥିବା ୟୁକୋ ବ୍ୟାଙ୍କର ବ୍ୟବସାୟିକ ଲାଭ ପାଇଁ ପେନ୍ସନ୍ ଭୋଗୀମାନେ ହଇରାଣ ହେଉଛନ୍ତି ବୋଲି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ଗତ ୨୫ ମାର୍ଚ୍ଚ ଠାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଆକାଉଣ୍ଟରୁ ପେନ୍ସନ୍ ଫଣ୍ଡରେ ୪.୫ କୋଟି ଟଙ୍କା ଜମା କରିବାକୁ ୟୁକୋ ବ୍ୟାଙ୍କ ଲିଖିତ ଭାବେ ଜଣେଇଥିଲେ। କିନ୍ତୁ, ୟୁକୋ ବ୍ୟାଙ୍କ ଏହାକୁ ଅଣଦେଖା କରିଥିଲେ। ତୁରନ୍ତ ସେହି ଆକାଉଣ୍ଟକୁ ଟଙ୍କା ପଠାଇ ଥିଲେ। ଗତ ୩ ଏପ୍ରିଲ ମଧ୍ୟାହ୍ନ ୧୨ଟାରେ ଉକ୍ତ ଅର୍ଥରାଶି ପେନ୍ସନ୍ ଫଣ୍ଡକୁ ପଠାଇ ଥିଲେ। ଫଳରେ ସିପିପିସି ଛାଡ଼ିଥିବା ସପ୍ଟୱେୟାର ଅକାମି ହୋଇଯାଇଥିଲା। ଆଜି ମଧ୍ୟ ତାହାର ସମାଧାନ ହୋଇପାରି ନଥିଲା। ପେନ୍ସନ୍ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରୁଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସଂଘର ସାଧାରଣ ସଂପାଦକ ନୀଳକଣ୍ଠ ମହାପାତ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି।