ପୁରୀ: ଉଚ୍ଚ ନିଚ୍ଚ ଭେଦଭାବ ଦୂର ପାଇଁ ମହାତ୍ମା ଗାନ୍ଧୀ ଯେଉଁ ଐତିହାସିକ ‘ହରିଜନ ପଦଯାତ୍ରା’ କରିଥିଲେ, ଆଜି ପର୍ଯ୍ୟନ୍ତ ତାର ସ୍ମୃତି ଫଳକଟେ ବି କେଉଁଠି ଲାଗିପାରିନି। ରାଜ୍ୟ ବାହାରେ ଜାତିର ପିତାଙ୍କ ସମ୍ମାନାର୍ଥେ ନାନାଦି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ଓଡ଼ିଶାରେ ଏଭଳି ଅବହେଳାକୁ ଗାନ୍ଧୀବାଦୀମାନେ ନାପସନ୍ଦ କରିଛନ୍ତି।

Advertisment

୧୯୩୪ ମସିହାରେ ଦଳିତମାନଙ୍କୁ ନେଇ ସମାଜ ଭିତରେ ରହିଥିବା ଅସ୍ପୃ୍ଶ୍ୟତା ଦୂର କରିବା ଓ ଶ୍ରୀମନ୍ଦିରରେ ଦଳିତଙ୍କ ପ୍ରବେଶ ସମର୍ଥନରେ ମହାତ୍ମାଗାନ୍ଧୀ ପୁରୀ ଆସିଥିଲେ। ୧୯୩୪ ମସିହା ମେ’ ୭ ତାରିଖରେ ପୁରୀରେ ପହଞ୍ଚିଥିଲେ ଓ ମେ’ ୮ ତାରିଖରେ ଶ୍ରୀମନ୍ଦିର ସିଂହଦ୍ବାରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଏହି ଅବସରରେ ଦଳିତ ପ୍ରସଙ୍ଗ ଉଠିବାରୁ ଆଲୋଚନା ପରେ ମେ’ ୯ ତାରିଖରୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ପୁରୀରୁ ଭଦ୍ରକ ‘ହରିଜନ ପଦଯାତ୍ରା’ କରିବାକୁ ନିଷ୍ପତ୍ତି ନେଇଥିଲେ। ସିଂହଦ୍ବାରରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇଥିଲା। ଯେଉଁଥିରେ ରମା ଦେବୀ, ସୁନାମଣି ଦେବୀ, ଉମା ବଜାଜ, ସୁଶିଲ ବାସୁ, ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ବ୍ୟକ୍ତିତ୍ବ ସାମିଲ୍‌ ହୋଇଥିଲେ। ପଦଯାତ୍ରାରେ ଯିବା ବାଟରେ ମେ' ୯ ତାରିଖ ସକାଳେ ବୀରହରେକୃଷ୍ଣପୁର ଓ ରାତିରେ ଚନ୍ଦନପୁରଠାରେ ଅବସ୍ଥାନ କରିବା ସହ ହରିଜନ ଅସ୍ପୃଶ୍ୟତା ଓ ଶ୍ରୀମନ୍ଦିରରେ ଦଳିତ ପ୍ରବେଶ ଉପରେ ମହାତ୍ମା ଗାନ୍ଧୀ ଆଲୋଚନା ସଭା କରିଥିଲେ। ମେ’ ୧୦ ତାରିଖରେ ବୀରପୁରୁଷୋତ୍ତମପୁର ଓ ମେ’ ୧୨ ତାରିଖରେ ସିଉଳାଠାରେ ସଭା କରିଥିଲେ। ଚନ୍ଦନପୁର, କାଦୁଆ, ଦାଣ୍ଡମୁକୁନ୍ଦପୁର, ପିପିଲି, ସିଉଳା ଆଦି ଦେଇ ଏହି ପଦଯାତ୍ରା ଯାଇଥିଲା। ମଝିରେ ୫ ଦିନ କାମ ପଡ଼ିବାରୁ ମହାତ୍ମା ଗାନ୍ଧୀ ବାହାରକୁ ଚାଲି ଯାଇଥିଲେ। ଫେରିବା ପରେ ପୁନର୍ବାର ବାଲିଅନ୍ତା, ସତ୍ୟଭାମାପୁର ଆଦି ସ୍ଥାନରେ ସଭା କରିଥିଲେ। ଜୁନ ୮ ତାରିଖରେ ଭଦ୍ରକରେ ଏହି ପଦଯାତ୍ରା ଶେଷ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଲୋକେ ବି ଏହି ପଦଯାତ୍ରାକୁ ସମର୍ଥନ କରିଥିଲେ।

ଭାରତ ସରକାରଙ୍କ ‘କଲେକ୍ଟେଡ୍‌ ୱାର୍କସ ଅଫ୍‌ ମହାତ୍ମାଗାନ୍ଧୀ’ ପୁସ୍ତକର ଭଲ୍ୟୁମ୍‌-୬୩ ଓ ୬୪, ଗୋପବନ୍ଧୁ ଚୌଧୁରୀଙ୍କ ‘ଗାନ୍ଧୀ ଓ ଉତ୍କଳ’ ଓ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଗାନ୍ଧୀ ଇନ୍‌ ଓଡ଼ିଶା’ ପୁସ୍ତକରେ ଏ ସମ୍ପର୍କରେ ସବିଶେଷ ବର୍ଣ୍ଣନ କରାଯାଇଛି। ବିଶିଷ୍ଟ ଗାନ୍ଧୀବାଦୀ ତଥା ବରିଷ୍ଠ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ା ବି ତାଙ୍କ ରଚିତ ପୁସ୍ତକ ‘ଗାନ୍ଧୀ ମହାତ୍ମା’ରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି।
ଶ୍ରୀ ପରିଡ଼ା କହିଛନ୍ତି, ସଂପ୍ରତି ଗୁଜରାଟ ସରକାର ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସ୍ମୃତିରେ ସାବରବତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ପ୍ରାୟ ୩୮୭ କିଲୋମିଟର(୨୪୧ ମାଇଲ୍‌) ରାସ୍ତାର ବିକାଶ କରୁଛି। ଆଜାଦୀର ଅମୃତ ମହୋତ୍ସବ ଅବସରରେ ‘ଦାଣ୍ଡି ରୁଟ୍‌’ ନାମରେ ଏହି ବିକାଶର ଶୁଭାରମ୍ଭ କରାଯାଇଛି। ଗୁଜରାଟ ସରକାର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ସ୍ମୃତି ଫଳକ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଯୋଜନା କରିଛି। ଏହାଦ୍ବାରା ବୁଲି ଆସୁଥିବା ପର୍ଯ୍ୟଟକମାନେ ମହାତ୍ମାଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ସଂପର୍କରେ ଜ୍ଞାନ ଆହରଣ କରିପାରିବେ। କିନ୍ତୁ ଓଡ଼ିଶାରେ ସେଭଳି କିଛି କରାନଯିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଭିତରେ ହରିଜନ ପଦଯାତ୍ରା ଏକ ଐତିହାସିକ ପଦଯାତ୍ରା। ଏଣୁ ରାଜ୍ୟ ସରକାର ଗାନ୍ଧୀଜୀ ଯେଉଁ ଯେଉଁ ସ୍ଥାନରେ ସଭା କରିଥିଲେ ଅବା ଯେଉଁ ଯେଉଁ ରାସ୍ତା ଦେଇ ଯାଇଥିଲେ, ସେଠାରେ ପ୍ରତିମୂର୍ତ୍ତି ଅବା ସ୍ମୃତି ଫଳକ ଲଗାଇ ଏହି ଐତିହାସିକ ପଦଯାତ୍ରାକୁ ଜୀବନ୍ତ ରଖି ପାରନ୍ତେ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପଡ଼ୁଥିବାବେଳେ ଏ ଦିଗରେ ରାଜ୍ୟ ସରକାର କିଛି ଚିନ୍ତା କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।