ଭୁବନେଶ୍ୱର: ଓଡ଼ିଶାରେ ସାଂପ୍ରଦାୟିକତାର ସ୍ଥାନ ନାହିଁ। ଶ୍ରୀଚୈତନ୍ୟଙ୍କ ଠାରୁ ଗୁରୁନାନକ ପୁଣି ଉପଗୁପ୍ତଙ୍କ ଠାରୁ ସାଲବେଗଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାରେ ପାଦ ଥାପି ପ୍ରମାଣିତ କରି ଦେଇଛନ୍ତି ଯେ ଓଡ଼ିଶା ହେଉଛି ସମନ୍ଵୟର ତୀର୍ଥସ୍ଥଳୀ ଏବଂ ଓଡ଼ିଶାରେ ମାନବଧର୍ମ ବ୍ୟତିରେକ ଅନ୍ୟ ଧର୍ମ କିଛି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ର ପ୍ରମୁଖ ମୁଖପାତ୍ର ରୂପେ ନିଯୁକ୍ତ ସୁବ୍ରତ ବାଗଚୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜଗନ୍ନାଥଙ୍କ ରାଜ୍ୟ ଓଡ଼ିଶା ଚିରଦିନ ସମନ୍ଵୟର ତୀର୍ଥସ୍ଥଳୀ ଓ ଧର୍ମସ୍ଥଳୀ ହୋଇ ରହିଆସିଛି। ଏଠାରେ ମାନବଧର୍ମ ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଜଗନ୍ନାଥଙ୍କ ପରମ ଭକ୍ତ ତଥା ଯବନ କବି ସାଲବେଗ। ଦିନେ ଯାହାଙ୍କର ‘ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ… ମୋ ଯିବା ଯାଏ ପ୍ରଭୁ ନନ୍ଦିଘୋଷେ ଥିବରହି’… ଡାକ ଶୁଣି ଖୋଦ ମହାପ୍ରଭୁଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଅଟକି ଯାଇଥିଲା ଓ ଏବେ ବି ବଳଗଣ୍ଡି ଠାରେ ରହିଥିବା ସାଲବେଗଙ୍କ ସମାଧି ନିକଟରେ ଅଟକୁଛି, ସେ ରାଜ୍ୟରେ ସାଂପ୍ରଦାୟିକତାର ସ୍ଥାନ ନାହିଁ। ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ।
ପୁଣି ସାଂପ୍ରଦାୟିକ ମନୋଭାବ ହେଉଛି ଭୂତାଣୁ ଠାରୁ ମଧ୍ୟ ଆହୁରି ଭୟଙ୍କର। ତେଣୁ, ବର୍ତ୍ତମାନ ରାଜ୍ୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ପ୍ରତ୍ୟେକ ରାଜ୍ୟବାସୀ ଏକଜୁଟ ହୋଇ ମାନବଧର୍ମ ପାଳନ ପୂର୍ବକ ସାଂପ୍ରଦାୟିକ ସଦ୍ଭାବ ଓ ଭାଇଚାରା ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।