ଓପିଏସ୍‌ସିରେ ସାନ୍ତାଳୀ ଭାଷା ପ୍ରଚଳନର ପ୍ରସ୍ତାବ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ନେଇ ଅସନ୍ତୋଷ

ଭୁବନେଶ୍ବର : ଓପିଏସ୍‌ସି ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ୪ଟି ଭାରତୀୟ ଭାଷାକୁ ଲାଙ୍ଗୁଏଜ୍‌ ଏବଂ ସାହିତ୍ୟରେ ଇଚ୍ଛାଧୀନ ପେପର୍‌ ହିସାବରେ ସାମିଲ କରାଯାଇଛି। ସାନ୍ତାଳୀ ଭାଷାକୁ ଓପିଏସସିରେ ପ୍ରଚଳନ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। ବାରିପଦାର ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ଲିଖିତ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏହି ଉତ୍ତର ବିଧାନସଭାରେ ରଖିଛନ୍ତି। ଏହାକୁ ନେଇ ସାନ୍ତାଳୀ ଭାଷାଭାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସାନ୍ତାଳୀ ଭାଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମକର୍ତ୍ତା ଅଶ୍ବିନୀ ମୁର୍ମୁଙ୍କ ଅନୁସାରେ, ଓଡ଼ିଶା ସାନ୍ତାଳୀ ଛାତ୍ର ଅଭିଭାବକ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ସଙ୍ଗଠନରୁ ପ୍ରାୟ ୨୦୦୩ ମସିହା ପୂର୍ବରୁ ଓପିଏସସିରେ ସାନ୍ତାଳୀ ଭାଷା ପ୍ରଚଳନ ପାଇଁ ଦାବି ହେଉଛି। ମାତ୍ର ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଇନାହିଁ।

ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ ୮ ଲକ୍ଷ ୯୪ ହଜାର ୭୬୪ ସାନ୍ତାଳୀ ଭାଷାର ବ୍ୟକ୍ତି ଅଛନ୍ତି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୧୧୦ଟି ଡିଗ୍ରି କଲେଜରେ ସାନ୍ତାଳୀ ମାତୃଭାଷା ପାଠ୍ୟକ୍ରମ ଚାଲୁଛି। ପ୍ରତ୍ୟେକ ବର୍ଷ ହାରାହାରି ୧୫୦୦ରୁ ଊର୍ଧ୍ବ ବିଦ୍ୟାର୍ଥୀ ଏହି ଭାଷା ପଢ଼ି ସ୍ନାତକରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହାବାଦ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ, ଫକୀରମୋହନ ସ୍ବୟଂଶାସିତ କଲେଜର ସ୍ନାତକ ଶ୍ରେଣୀର ୩୨ ଆସନ ବିଶିଷ୍ଟ ସାନ୍ତାଳୀ ସମ୍ମାନ ବିଷୟ ମଧ୍ୟ ରହିଛି। ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜରେ ୨୦ ଆସନ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟରେ ୪୦ ଆସନ ବିଶିଷ୍ଟ ସ୍ନାତକୋତ୍ତର ସମ୍ମାନ ରହିଛି। ଓପିଏସସିରେ ଏହି ଭାଷାରେ ପରୀକ୍ଷା ବ୍ୟବସ୍ଥା ନରହିଲେ ପିଲାଙ୍କ ଏହାର ପଢ଼ିବା ଦିଗରେ ଆଗ୍ରହ ରହିବ ନାହିଁ। ରାଜ୍ୟରେ ସମୁଦାୟ ଜନସଂଖ୍ୟାର ବଡ଼ ଭାଗ ଆଦିବାସୀ ଥିବାରୁ ଏହି ସାନ୍ତାଳୀ ଭାଷାରେ ଅବଗତ ବ୍ୟକ୍ତି ଶାସନ ପରିଚାଳନା ବ୍ୟବସ୍ଥାରେ ରହିଲେ ରାଜ୍ୟରେ ଆଦିବାସୀଙ୍କ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର