ଗୁଜରାଟ ଓ ମହାରାଷ୍ଟ୍ରରୁ ଗଞ୍ଜାମକୁ ବିପଦ ଘନଉଛି: ଫେରିଲେଣି ୩୯ ହଜାରରୁ ଅଧିକ, କେବଳ ସୁରତରୁ ୨୯,୧୭୯

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ: ଜିଲ୍ଲାପାଳ

ବ୍ରହ୍ମପୁର: ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପରେ ଗଞ୍ଜାମ ଜିଲ୍ଲା ପ୍ରତି ବିପଦ ବଢ଼ିବାରେ ଲାଗିଛି। ଗଞ୍ଜାମ ରେଡ୍‌ ଜୋନ୍‌ରେ ପରିଣତ ହେବା ପରେ ଓଡ଼ିଶାର ଚିତ୍ର ବଦଳିଯାଇଛି। ଜିଲ୍ଲାରେ କେବଳ କରୋନା ପଜିଟଭ୍‌ ସଂଖ୍ୟା ଦେଢ଼ଶହ ପାର୍‌ କରି ୧୫୭ରେ ପହଞ୍ଚିଛି। ଦେଶର ପ୍ରାୟ ୧୦ଟି ରାଜ୍ୟ ଓ ବିଭିନ୍ନ ହଟ୍‌ସ୍ପଟ୍‌ ଇଲାକାରୁ ୩୯ହଜାର ୩୬୫ ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଫେରିଛନ୍ତି। ଦିନକୁ ଦିନ ଏହି ସଂଖ୍ୟା‌ ବଢ଼ିବାରେ ଲାଗିଛି। ଆଗକୁ କେବଳ ଗୁଜରାଟ ଓ ମହାରାଷ୍ଟ୍ରରୁ ଗଞ୍ଜାମକୁ ୨ ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ଫେରିବେ। ଏଭଳି ସ୍ଥିତିରେ କରୋନାର ମୁକାବିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ଲାଗି କାଠିକାର ପାଠ ହୋଇପଡ଼ିଛି। ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଅବ୍ୟବସ୍ଥା ପିଛା ଛାଡ଼ୁନି। ଟ୍ରେନ୍‌ରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ କିଛି ଲୁଚିଛପି ପଳାଇ ଯାଉଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଏବଂ ଅମାନିଆ ପ୍ରବାସୀ ଓଡ଼ିଆଙ୍କ ପାଇଁ ଜିଲ୍ଲାରେ ବିସ୍ଫୋରକ ସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି।

ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ବ୍ରହ୍ମପୁର ସହର ଉପକଣ୍ଠ ଜଗନ୍ନାଥପୁର ରେଳ ଷ୍ଟେସନରେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ପ୍ରତ୍ୟହ ୨ରୁ ୩ଟି ଟ୍ରେନ ଲାଗୁଛି। ଏଥିସହ ଚେନ୍ନାଇ ଓ କେରଳରୁ ଆସୁଥିବା ଟ୍ରେନ୍‌ଗୁଡ଼ିକ ବି ଜଗନ୍ନାଥପୁର ଷ୍ଟେସନ୍‌ରେ ଲାଗୁଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ମୁମ୍ବାଇରୁ ପ୍ରବାସୀ ଓଡ଼ିଆମାନେ ଟିଟଲାଗଡ଼ ଫେରୁଛନ୍ତି। ଏହି ଟ୍ରେନରେ ଆସୁଥିବା ଗଞ୍ଜାମ ଲୋକଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ୍‌ ଯୋଗେ ଅଣାଯାଉଛି। କେରଳ, ତାମିଲନାଡ଼ୁ, ଆନ୍ଧ୍ର, ମହାରାଷ୍ଟ୍ର ଓ ଗୁଜରାଟ ଆଦି ୧୦ଟି ରାଜ୍ୟରୁ ଗତକାଲି ସୁଦ୍ଧା ୩୯ହଜାର ୩୬୫ଜଣ ଜିଲ୍ଲାକୁ ଫେରିଛନ୍ତି। ସେଥିମଧ୍ୟରୁ ସୁରତରୁ କେବେଳ ୨୯ହଜାର ୧୭୦ଜଣ ଫେରିଛନ୍ତି। ମହାରାଷ୍ଟ୍ରକୁ ଦେଶର ସମ୍ବେଦନଶୀଳ ଅଞ୍ଚଳ ଭାବେ ଗଣାଯାଉଛି। କରୋନା ପଜିଟିଭ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ। ମୁମ୍ବାଇରୁ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଫେରୁଛନ୍ତି। ହଟ୍‌ସ୍ପଟ୍‌ରୁ ପ୍ରବାସୀ ଓଡ଼ିଆ ଫେରୁଥିବାରୁ ସଂକ୍ରମଣର ଆଶଙ୍କା ରହୁଛି। ତେବେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଥିବାରୁ ଜିଲ୍ଲାପ୍ରତି ବିପଦ ନାହିଁ ବୋଲି ପ୍ରଶାସନ କହୁଛି। ଏଥିସହ ୧୪୪ ଧାରା କରାଯାଇଛି।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ବିଳମ୍ବରେ ସାଂସଦ ଓ ବିଧାୟକମାନଙ୍କୁ ସାମିଲ କରାଗଲା। ଏହା ବହୁପୂର୍ବରୁ କରିବାର ଥିଲା। ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ୧୪୪ ଧାରା ଜାରି ହୋଇଛି। କିନ୍ତୁ ଏ ସଂକ୍ରାନ୍ତରେ ଗ୍ରାମାଞ୍ଚଳର ଲୋକମାନେ ସଚେତନ ନୁହନ୍ତି। ତେଣୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସଙ୍ଗରୋଧ କେନ୍ଦ୍ରର। ତେଣୁ ଏହାକୁ ନେଇ ଡରିବାର କାରଣ ନାହିଁ। ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ଜୋର୍‌ ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର