ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ପରେ ମଧ୍ୟ ଜନସାଧାରଣଙ୍କ ଗମନାଗମନ ନିମନ୍ତେ ନାହିଁ ରାସ୍ତା

ଖଟିଆରେ ବୋହା ହୁଅନ୍ତି ରୋଗୀ

ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସାମୂହିକ ହିତ ସାଧନ ନିମନ୍ତେ ଏପରିକି ମା ଗର୍ଭରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ମାଳମାଳ ଜନ କଲ୍ୟାଣକାରୀ ଯୋଜନା ପ୍ରଚଳନ କରିଆସୁଛନ୍ତି । ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଗ୍ରାମାଞ୍ଚଳଗୁଡ଼ିକରେ ଗମନାଗମନର ସୁବିଧା ନିମନ୍ତେ ୨୦୦୦ରେ କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ୟତମ । ଉକ୍ତ ଯୋଜନା ମାଧ୍ୟମରେ ମଧ୍ୟ ଅନେକ ଅପହଁଞ୍ଚ ଗ୍ରାମକୁ ଗମନାଗନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଆଜି ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଏମିତି ଅନେକ ଗୁଡ଼ିଏ ଗ୍ରାମ ରହିଛି, ଯେଉଁ ଗ୍ରାମକୁ ରାସ୍ତାଟିଏ ନାହିଁ ।

ରୋଗ ବୈରାଗ୍ୟ ହେଲେ ଖଟିଆରେ ବୋହା ହୁଅନ୍ତି ରୋଗୀ । ନିର୍ବାଚନ ଆସିଲେ ମାଳମାଳ ନେତା, କର୍ମକର୍ତ୍ତା, ମନ୍ତ୍ରୀମାନଙ୍କର ପାଦ ପଡ଼ିଥାଏ ଏହି ସମସ୍ତ ଗ୍ରାମରେ । ଏଥି ସହିତ ଗ୍ରାମବାସୀଙ୍କ ଉପରେ ପ୍ରତିଶ୍ରୁତିର ପାହାଡ଼ ଅଜାଡ଼ି ଦେଇଥାନ୍ତି । ଠିକ୍ ନିର୍ବାଚନର ଭୋଟ ଗ୍ରହଣ ଶେଷ ହେବା ପରେ ଦେଇଥିବା ପ୍ରତିଶ୍ରୁତିକୁ ଭୂଲିଯାଇ ଥାନ୍ତି । ଆଦିବାସୀ ଅଧ୍ୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକର ମାରାଂତାଣ୍ଡି ଗ୍ରାମପଞ୍ଚାୟତ ସହିତ ବେତନା ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୫୦ରୁ ଅଧିକ ଗ୍ରାମକୁ ଗମନାଗମନ ନିମନ୍ତେ ନାହିଁ ଭଲ ରାସ୍ତାଟିଏ । ଦୀପ ତଳ ଅନ୍ଧାର ଭଳି ବାରିପଦା ସହରଠାରୁ ପ୍ରାୟ ୮/୯ କିଲୋମିଟର ଦୂରରେ ରହିଛି ଏହି ଦୁଇ ଗ୍ରାମପଞ୍ଚାୟତ । ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମଗୁଡ଼ିକୁ ଗମନାଗମନର ସୁବିଧା ନିମନ୍ତେ ଭଲ ରାସ୍ତାଟିଏ ନାହିଁ । ୫୦ରୁ ଅଧିକ ଗ୍ରାମରେ ବସବାସ କରୁଥିବା ପ୍ରାୟ ୬୦ ହଜାରରୁ ଅଧିକ ଜନସାଧାରଣ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ସଢ଼ି ହୋଇ ଆସୁଛନ୍ତି । ବର୍ଷା ଋତୁରେ ଅବସ୍ଥା କହିଲେ ନ ସରେ । ଅପାଣ୍ଡବା ଗ୍ରାମ ଭାବେ ରହିଆସିଛି ଏହି ସମସ୍ତ ଗ୍ରାମଗୁଡ଼ିକ । ଗାଁକୁ ଗାଡ଼ି ମୋଟର ଚଳାଚଳ କରିବା ଦୂରର କଥା କାଦୁଆ ପଚପଚ ଖାଲ ଢ଼ିପ ରାସ୍ତାରେ ଖାଲି ପାଦରେ ଚାଲିବା କଷ୍ଟକର ହୋଇପଡ଼ିଥାଏ ।

କୌଣସି ବ୍ୟକ୍ତି ହଠାତ ଅସୁସ୍ଥ ହୋଇପଡ଼ିଲେ କଥା ସରିଲା । ୧୦୮ ଅଥବା ୧୦୨ ରାସ୍ତାରେ ପଶି ପାରେ ନାହିଁ । ଫଳରେ ବିଭିନ୍ନ ସମୟରେ ରୋଗୀଙ୍କୁ ଖଟିଆରେ ଡ଼ାକ୍ତରଖାନାକୁ ନେବାକୁ ପଡ଼ିଥାଏ । ସମୟ ସମୟରେ ଅତି ଗୁରୁତ୍ୱର ହୋଇ ପଡ଼ିଥିବା ରୋଗୀ ଡ଼ାକ୍ତରଖାନାରେ ପହଁଞ୍ଚିବା ପୂର୍ବରୁ ରାସ୍ତାରେ ଜୀବନ ହରାଇ ଦେଇଥାନ୍ତି । ତେଣୁ ଏହି ରାସ୍ତାକୁ ଅବିଳମ୍ବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯିବା ନିମନ୍ତେ ଦାବି କରିଛନ୍ତି ପୂର୍ବତନ ସରପଞ୍ଚ ପିଥନାଥ ହେମ୍ବ୍ରମ ଓ ସ୍ଥାନୀୟ ବାସୀନ୍ଦା ରାମଚନ୍ଦ୍ର ଟୁଡ଼ୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମାରାଂତାଣ୍ଡି ଗାଁ ମୁଣ୍ଡ ଦେଇ ଜିଆଣିକୁ ଯାଇଥିବା ରାସ୍ତାରେ ଗାଡ଼ୁଭଙ୍ଗା ନାଳ ଉପରେ ୧୯୮୮ରେ ବାରିପଦା ପିଏ ଆଇଟିଡ଼ିଏ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଇଥିବା ସମୟରେ ବିଭିନ୍ନ ସମୟରେ କାର୍ଯ୍ୟାଳୟ ପକ୍ଷରୁ ମରାମତି ନାମରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ବ୍ୟୟ କରାଯାଇ ଆସୁଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ରାଧେ ରାଧେ ନୀତି ଜନସାଧାରଣଙ୍କ ହିତ ସାଧନରେ ଆସିପାରୁ ନାହିଁ । ଯାହାବି କାର୍ଯ୍ୟ ହେଉଛି ବର୍ଷା ଆସିଲେ ସବୁ ଧୋଇ ନେଇଯାଉଛି । ଯାହାଫଳରେ ସ୍ଥାନୀୟ ଜନସାଧାରଣଙ୍କୁ ଯାତାୟତ ନିମନ୍ତେ ୨୦ କିଲୋମିଟରରୁ ଅଧିକ ବୁଲି ଯିବାକୁ ପଡ଼ୁଛି । ଏବିଷୟରେ ସ୍ଥାନୀୟ ଜନସାଧାରଣ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜିଲ୍ଲାପାଳ, ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ବିଭାଗୀୟ ଅଧିକାରୀ ପ୍ରମୁଖଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ ସମସ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରାଇ ଚାଲିଛନ୍ତି ବୋଲି ସ୍ଥାନୀୟ ଯୁବକ ରାଜୀବ ମାର୍ଣ୍ଡି, ବାଲକରାମ ବାସ୍କେ ପ୍ରମୁଖ ପ୍ରକାଶ କରିଥିବା ସମୟରେ ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନ ଥିଲେ । ତେବେ ଏହି ବେତନା ଓ ମାରାଂତାଣ୍ଡି ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୫୦ରୁ ଅଧିକ ଗ୍ରାମର ୬୦ ହଜାରରୁ ଅଧିକ ଜନସାଧାରଣଙ୍କୁ କେବେ ଗମନାଗମନର ସୁବିଧା ଉପଲବ୍ଧ ହୋଇ ପାରିବ ତାହା ଦେଖିବାକୁ ବାକି ରହିଗଲା ।

ସମ୍ବନ୍ଧିତ ଖବର