ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡ଼ା ଗାଁ। ସ୍ଥଳପଥରେ ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି। ବର୍ଷା ବଢ଼ିଲେ ଜଳପଥ ମଧ୍ୟ ଏକପ୍ରକାର ବନ୍ଦ ହୋଇ ବାହ୍ୟଜଗତରୁ ଚ୍ଛିନ୍ନ ହୋଇଯାଉଛି। ତେଣୁ ବିଧାୟକଙ୍କୁ ବି ଏହି ଗାଁକୁ ଦେଶୀ ଡଙ୍ଗାରେ ଯିବାକୁ ପଡ଼ିଛି। ପ୍ରାୟ ଶହେ ପରିବାର ଗଜିଆଗୁଡ଼ା ଗାଁରେ ବସବାସ କରୁଛନ୍ତି। ସଂପୂର୍ଣ୍ଣ ଗାଁକୁ ଘେରି ରହିଛି ପାହାଡ଼ିଆ ନଦୀ। ବର୍ଷ ତମାମ ଲୋକେ ନଦୀ ପାର ହୋଇ ଯାତାୟାତ କରୁଛନ୍ତି। ପକ୍କା ରାସ୍ତା କିମ୍ବା ନଦୀରେ ପୋଲ ନଥିବାରୁ ଦେଶୀ ଡଙ୍ଗା ହିଁ ଗ୍ରାମବାସୀଙ୍କ ଏକମାତ୍ର ଭରସା। ତେବେ ବର୍ଷା ହେଲେ ନଦୀ ଫୁଲିଯାଇ ଲୋକଙ୍କୁ ବନ୍ଦୀ ଜୀବନ ବିତାଇବା ପାଇଁ ବାଧ୍ୟ କରୁଛି।

Advertisment

ପୂର୍ବରୁ ଏହି ଗାଁର ଅବସ୍ଥା ସଂପର୍କରେ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଏହାପରେ ତତ୍କାଳୀନ ସରକାରଙ୍କ ନିଦ ଭାଙ୍ଗିବାରୁ ଟେଣ୍ଡର ଆହ୍ବାନ କରିଥିଲେ। ଲୋକଙ୍କୁ ନୂଆ ଆଶା ଦେଖାଇବା ପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଏକାଧିକ ଠିକାଦାର ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇସାରିଲେଣି। ତଥାପି କାମ ସରିବାର ନାଁ ଧରୁନି। ତେଣୁ ଗ୍ରାମବାସୀ ପିଡଏସ୍ ଚାଉଳ ହେଉ ବା ପିଲାମାନେ ପାଠ ପଢ଼ିବାକୁ ବହୁ ସମସ୍ୟା ଭୋଗୁଛନ୍ତି। ସେହିପରି ବୟସ୍କ ଜୀବନକୁ ବାଜି ଲଗାଇ ଭତ୍ତା ଆଣିବାକୁ ନଦୀ ଲଂଘୁଥିବା କହିଛନ୍ତି। ନଦୀ ପାର କରିବା ସମୟରେ ବହୁ ଜୀବନ ମଧ୍ୟ ଯାଇଥିବା ଲୋକେ କହନ୍ତି। ଗାଁରେ ଜଳ ଉତ୍ସ ନଥିବାରୁ ଲୋକେ ଚୁଆ ପାଣି ପିଉଛନ୍ତି। ସ୍ବାସ୍ଥ୍ୟସେବା ନ କହିବା ଭଲ। ଗର୍ଭବତୀ କିମ୍ବା ରୋଗୀଙ୍କୁ ଭାରରେ ବୋହି ନଦୀ ପାର କରି ଡାକ୍ତରଖାନା ନିଆଯାଉଛି। 

ସମସ୍ୟାର ପାହାଡ଼ ତଳେ ଦବି ରହିଥିବା ଏହି ଗାଁ ସଂପର୍କରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କିଛି ଦିନ ତଳେ ଜାଣିବାକୁ ପାଇଥିଲେ। ତେଣୁ ବାସ୍ତବ ସ୍ଥିତି ଦେଖିବା ପାଇଁ ଆଜି ଗାଁ ଅଭିମୁଖେ ବାହାରିଥିଲେ। ଘାଟରେ ପହଞ୍ଚି ଦେଶୀ ଡଙ୍ଗରେ ବିଧାୟକ ଗାଁକୁ ଯାଇଥିଲେ। ଗ୍ରାମବାସୀଙ୍କ ଯନ୍ତ୍ରଣାଦାୟକ ଅବସ୍ଥା ଦେଖି ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ପୋଲ ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାଇଥିଲେ। ଅନ୍ୟ ସମସ୍ୟାଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇ ଫେରିଛନ୍ତି।