ପଣା ସଂକ୍ରାନ୍ତି ଯାଏ ନିସ୍ତାର ନାହିଁ: ବଲାଙ୍ଗୀର, ସୋନପୁର ସବୁଠୁ ଉତ୍ତପ୍ତ

ଏବର୍ଷ ମୌସୁମୀ ସ୍ବାଭାବିକ ହେବ

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ସନ୍ତୁଳି ହେଉଛି। ବଲାଙ୍ଗୀର ଓ ସୋନପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ଉଭା ହୋଇଥିବା ବେଳେ ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି, ପଶ୍ଚିମ ଓଡ଼ିଶାର ଆଉ ତିନି ସହର। ବାରିପଦା, ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ପାରଦ ୪୨ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ାରେ ଦିନରେ ପାରଦ ସ୍ତର ୪୨.୬ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ ଓ ବାରିପଦାରେ ୪୨ଡିଗ୍ରି ରହିଥିଲା। ଏହି ୫ସହର ସମେତ ରାଜ୍ୟର ଆହୁରି ୬ ସହର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଉପରେ ରହିଛି। ସେଗୁଡ଼ିକ ହେଲା, ସମ୍ବଲପୁର, ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୧.୫ ଡିଗ୍ରି, ଅନୁଗୁଳରେ ୪୧.୩ ଡିଗ୍ରି, ଭବାନୀପାଟଣାରେ ୪୧ ଡିଗ୍ରି ଏବଂ ହୀରାକୁଦରେ ୪୦.୭ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ରାଜ୍ୟରେ ପାଗ ଶୁଖିଲା ରହିବ। ଖରା ଟାଣ ଓ ତାପାମତ୍ରା ଖୁବ୍‌ ଅଧିକ ରହିବ। ପଣା ସଂକ୍ରାନ୍ତି ଯାଏ ରାଜ୍ୟରେ ଏହି ଭଳି ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ କେନ୍ଦ୍ର କହିଛି ଯେ ୧୪ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୩୦ରୁ ୪୦ କିମି ରହିବ। ସେହିଭଳି ୧୫ ଓ ୧୬ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମୟୂରଭଞ୍ଜରେ କାଳବୈଶାଖୀ ସମ୍ଭବାନାକୁ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। ଆଜି ରାଜଧାନୀ ଭୁବନେଶ୍ବର ସର୍ବାଧିକ ଦିନ ତାପମାତ୍ରା ୩୭.୨ଡିଗ୍ରି ରେକର୍ଡ ହୋଇଥିଲା। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ତାପମାତ୍ରା ସର୍ବାଧିକ ୩୭ ଡିଗ୍ରି ଓ ସର୍ବନିମ୍ନ ୨୬ ଡିଗ୍ରି ମଧ୍ୟରେ ରହିବ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମୌସୁମୀକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ସ୍ବାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୱେଦର୍‌। କିନ୍ତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଯାଏ ମୌସୁମୀର ଆଗମନକୁ ନେଇ କୌଣସି ସୂଚନା ଦେଇନାହିଁ। ସ୍କାଏମେଟ୍‌ର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ। ଓଡ଼ିଶ‌ାରେ ମଧ୍ୟ ଭଲ ବର୍ଷା ହେବ ଓ ଏହା ଭଲ ଫସଲର କାରଣ ହେବ ବୋଲି ସୂଚନା ମିଳିଛି।

ଯଦି ସ୍କାଏମେଟ୍‌ର ଆକଳନ ଠିକ୍‌ ହୁଏ, ତା’ ହେଲେ ଦେଶରେ ଭଲ ଫସଲ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକଳନ ଅନୁଯାୟୀ କମ୍ରାଗତ ୩ୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ପ୍ରଭାବରେ ସମଗ୍ର ଦେଶରେ ୯୮% ବର୍ଷା ହେବ। ମୌସୁମୀର ଦ୍ୱିତୀୟ ଭାଗ ତୁଳନାରେ ପ୍ରଥମ ଭାଗ ଅଧିକ ଭଲ ବର୍ଷିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୮୮୧ ମିଲିମିଟିର ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳ ଯଥା ଗୁଜରାଟ, ରାଜସ୍ଥାନ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଆଦିରେ ନିଅଣ୍ଟିଆ ବର୍ଷାର ଆଶଙ୍କା ପ୍ରକଟ କରିଛି ସ୍କାଏମେଟ୍‌। ଉତ୍ତର ଭାରତ ସହ ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇପାରେ। ଏହାବ୍ୟତୀତ କେରଳ ଓ ଉତ୍ତର କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଜୁଲାଇରୁ ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମୌସୁମୀ ସ୍ୱାଭାବିକଠାରୁ ଅଧିକ ବର୍ଷିବ ବୋଲି ସ୍କାଏମେଟ୍‌ ଆକଳନ କରିଛି।

ସମ୍ବନ୍ଧିତ ଖବର