ପ୍ଲାଣ୍ଟରେ କୋଇଲା ଅଭାବ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ବର: ରାଜ୍ୟରେ ତାପଜ ବିୁଦ୍ୟତ କେନ୍ଦ୍ରଗୁଡ଼ିକରେ କୋଇଲା ଅଭାବ ନାହିଁ। ଅନ୍ୟ ରାଜ୍ୟରେ କୋଇଲା ସଙ୍କଟ ଯୋଗୁଁ ବିଦ୍ୟୁତ କାଟ ହେଉଥିଲେ ହେଁ ଓଡ଼ିଶାରେ ସେ ପରିସ୍ଥିତି ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟରେ ବିଦ୍ୟୁତ କାଟ ନକରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ବି ଘନଘନ ବିଦ୍ୟୁତ କାଟ୍‌ ହେଉଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ କୋଇଲା ସଙ୍କଟ ଦେଖାଗଲାଣି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ମୁଖ୍ୟ ସଚିବ କହିଛନ୍ତି ଯେ, ଆମର କୋଇଲା ଖଣି ଅଛି। ତେଣୁ କୋଇଲା ସଙ୍କଟ ଦେଖାଦେବାର ସମ୍ଭାବନା ନାହିଁ। ପାୱାର ପ୍ଲାଣ୍ଟଗୁଡ଼ିକୁ ଆବଶ୍ୟକୀୟ କୋଇଲା ଯୋଗାଣ କରିବାକୁ ଏମ୍‌ସିଏଲ୍‌ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

ଏବେ ଓଡ଼ିଶାରେ ପିକ୍‌ ଆୱାରରେ (ରାତି ୭ଟାରୁ ୧୧ଟା ମଧ୍ୟରେ) ୪ହଜାରରୁ ୪୪୦୦ ମେଗାୱାଟ୍‌ ବିଦ୍ୟୁତ ଆବଶ୍ୟକ ପଡ଼ୁଥିବାବେଳେ ଚାହିଦାରୁ ପ୍ରାୟ ୪୫୦ ମେଗାୱାଟ୍ ନିଅଣ୍ଟ ପଡ଼ୁଛି। ଅପରପକ୍ଷେ ସୁନ୍ଦରଗଡ଼ସ୍ଥିତ ଏନ୍‌ଟିପିସିର ଦାରିଲିପାଲି ପ୍ଲାଣ୍ଟରୁ ସାଧାରଣତଃ ୪୦୦ ମେଗାୱାଟ୍‌ର ବିଦ୍ୟୁତ ଉତ୍ପାଦନ ହେଉଥିବାବେଳେ ଏବେ ୮୦୦ମେଗାୱାଟ୍‌ର ବିଦ୍ୟୁତ ଉତ୍ପାଦନ ହେଉଥିବାରୁ କିଛି ସମସ୍ୟା ଦେଖାଦେଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର