ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଏଠାରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପାଟଣା ସମେତ ସାହାରପଡ଼ା, ଘଟଗାଁ ଓ କେନ୍ଦୁଝର ସଦର ବ୍ଲକ୍‌ର ଦୁଇଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରୁଛନ୍ତି। ଏଠାରେ ପୂର୍ବରୁ  ଭେଷଜ, ଶଲ୍ୟ, ଶିଶୁ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉଥିଲା। ବର୍ତ୍ତମାନେ ଏଠାରେ ଜଣେ ହେଲେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି।

୧୯୩୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ୧୬ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଜଣ ବିଶେଷଜ୍ଞ ଡାକ୍ତର, ଦୁଇଜଣ ଏମ୍‌ବିବିଏସ୍‌ ଡାକ୍ତର ଓ ଜଣେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋଟ ୭ଜଣ ଡାକ୍ତର ରହିବା କଥା। ଏବେ ଏଠାରେ ଅଛନ୍ତି କେବଳ ୪ଜଣ ଏମ୍‌ବିବିଏସ୍‌ ଡାକ୍ତର। ଫଳରେ ଶିଶୁରୋଗୀ ଓ ପ୍ରସୂତିମାନେ ହଇରାଣ ହେଉଛନ୍ତି। ପ୍ରସୂତିମାନଙ୍କୁ ବିଭିନ୍ନ ସମୟରେ କେନ୍ଦୁଝର ନଚେତ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଫଳରେ ଗରିବ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ବିଶେଷଜ୍ଞ ଡାକ୍ତର ନଥିବା ସତ୍ତ୍ବେ ଏହି ଡାକ୍ତରଖାନାକୁ ଘଟଗାଁ, ପାଟଣା, ତୁରୁମୁଙ୍ଗା ଥାନା ଅଞ୍ଚଳର ଶବ ଏଠାକୁ ବ୍ୟବଚ୍ଛେଦ ପାଇଁ ଅଣାଯାଉଛି। ସେହିପରି ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଗୀମାନେ ଏହି ଡାକ୍ତରଖାନାରେ ପହଞ୍ଚାଇଥାନ୍ତି। ଉପଯୁକ୍ତ ଚିକିତ୍ସା‌ ସେବା ନପାଇ ରୋଗୀମାନେ ସଂକଟାପନ୍ନ ଅବସ୍ଥାରେ ଏଠାରୁ ସ୍ଥାନାନ୍ତର ହେବାର ନଜିର ରହିଛି। ଏହାଛଡ଼ା ଏଠାରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ‌ନେଇ ଅଭିଯୋଗ ହୋଇଛି। ତୁରନ୍ତ ଏହି ଡାକ୍ତରଖାନାରେ ୪ଟି ବିଶେଷଜ୍ଞ ଡାକ୍ତର ପଦବି ପୂରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର