କଠିନ ପରିଶ୍ରମର ବିକଳ୍ପ ନାହିଁ: ରାଜୀବ ଶେଖର

ପୁରୀ, ଖୋର୍ଧା, ନୟାଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ର ସମ୍ବର୍ଦ୍ଧନା

ଭୁବନେଶ୍ବର : ଅନେକ ସମୟରେ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ଈଶ୍ବରଙ୍କ ଉପରେ ଛାଡ଼ି ଦିଅନ୍ତି। ସେମାନେ ଭାବନ୍ତି, ଈଶ୍ବର ପରୀକ୍ଷାରେ ଅଧିକ ନମ୍ବର ଦେଇଦେବେ। ସେଥିପାଇଁ ପରୀକ୍ଷା ପୂର୍ବରୁ ଯେତିକି ପରିଶ୍ରମ କରିନଥା’ନ୍ତି, ପରୀକ୍ଷା ପରେ ତା’ଠାରୁ ଅଧିକ ପରିଶ୍ରମ କରନ୍ତି। ପରୀକ୍ଷା ଆଗରୁ ମନ୍ଦିରକୁ ଅଧିକ ଯା’ନ୍ତି, କମ୍‌ ସମୟ ପାଠ ପଢ଼ନ୍ତି। ପରୀକ୍ଷା ପରେ ଫଳାଫଳରେ କିଛି ଗୋଟେ ଚମତ୍କାର ହେବା ପାଇଁ ଈଶ୍ବରଙ୍କ ନିକଟରେ ଅଧିଆ ପଡ଼ନ୍ତି। ଏସବୁ କେବଳ ଏକ ଭ୍ରାନ୍ତ ଧାରଣା। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ସଫଳତାର ଶୀର୍ଷକୁ ଛୁଇଁବା ପାଇଁ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ସହ ସାମଗ୍ରିକ ଭାବେ ଭଲ ନାଗରିକ ହେବାକୁ ଚେଷ୍ଟା କରନ୍ତୁ ବୋଲି ଆଜି ଭୁବନେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌ରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ସମ୍ବାଦ ମାଟ୍ରିକ୍‌ ଚାମ୍ପସ୍‌’ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଲେ, ଅନେକ ଲୋକ ଆଇଏଏସ୍‌ ଟପ୍ପର ହୋଇ ମଧ୍ୟ ଜୀବନରେ ଭଲ ମଣିଷ ହୋଇ ପାରିନାହାନ୍ତି କିମ୍ବା ସଫଳତା ପାଇପାରିନାହାନ୍ତି। ସଫଳତା ଅର୍ଜନ ପାଇଁ ଯେ କୌଣସି ବୃତ୍ତିରେ ଥା’ନ୍ତୁ ନା କାହିଁକି, ପ୍ରଥମେ ସମାଜ, ଦେଶ ଓ ରାଜ୍ୟ ପାଇଁ ଚିନ୍ତା କରିବା ଦରକାର। ସମାଜର ଯେଉଁ ଲକ୍ଷ୍ୟ ରହିଛି ସେଥିରେ ନିଜ ଲକ୍ଷ୍ୟକୁ ସାମିଲ କରି କାର୍ଯ୍ୟ କରିବାକୁ ପଡ଼ିବ। ଦେଶକୁ ମହାନ କରିବାକୁ ପଡ଼ିବ। ଯେଉଁ ଦେଶ ନିଜକୁ ନିଜେ ଗଢ଼ି ତୋଳିବାରେ ଅସଫଳ ହୁଅନ୍ତି ତା’ର ପରିଣାମ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ଭୟଙ୍କର। ତେଣୁ ଭଲ ନାଗରିକ ହେବା ଜରୁରୀ। ନିଜକୁ ଠିକ୍‌ ଭାବେ ଗଢ଼ି ତୋଳିଲେ ଭବିଷ୍ୟତ ଉଜ୍ଜ୍ବଳ ହେବା ସହ ଦେଶର ବିକାଶ ହୋଇପାରିବ। ଏଥିସହ ତଥାକଥିତ ଜୀବିକାକୁ ପସନ୍ଦ ନକରି ନୂଆ ଧାରାରେ ଆଗାମୀ ପିଢ଼ି ବାଟ ଚାଲିବାକୁ ପଡ଼ିବ। ଠିକ୍‌ ଭାବେ ଚିନ୍ତା କରି ବୃତ୍ତି ଚୟନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।

ସାମର୍ଥ୍ୟକୁ ଚିହ୍ନିବା ସହ ଦୁର୍ବଳତାକୁ ବୁଝିପାରିଲେ ସଫଳତା ମିଳିବ: ସଙ୍ଗୀତା ରଥ
ଛାତ୍ରଛାତ୍ରୀମାନେ ଉତ୍କର୍ଷର ଉପାସକ ହୁଅନ୍ତୁ: ସୌମ୍ୟ

ଅନ୍ୟତମ ଅତିଥି ପ୍ରଫେସର ସଙ୍ଗୀତା ରଥ ତିନିଟି କ୍ଷୁଦ୍ର ଗଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀ କିପରି ନିଜର ଭବିଷ୍ୟତ ଗଢ଼ିବା ଦରକାର ସେ ସମ୍ପର୍କରେ ମତ ରଖିଥିଲେ। ସେ କହିଲେ, ମାଟ୍ରିକ୍‌ ପରୀକ୍ଷା ପରେ ପିଲାମାନେ କେଉଁ ପାଠ୍ୟକ୍ରମ ଚୟନ କରିବେ ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ପିଲାମାନେ ନିଜେ ନିଜର ନିଷ୍ପତ୍ତି ନିଅନ୍ତୁ। ଯେଉଁ ବିଷୟରେ ରୁଚି ଅଛି ତାହାକୁ ଚୟନ କରନ୍ତୁ। ନିଜ ଭିତରେ ଯେଉଁ ପାରଦର୍ଶିତା ଅଛି, ତାହାକୁ ପ୍ରଥମେ ଗ୍ରହଣ କରନ୍ତୁ। ଅନ୍ୟମାନେ କ’ଣ କହୁଛନ୍ତି ଗୁରୁତ୍ବପୂର୍ଣ୍ଣ ନୁହେଁ। ଯିଏ ନିଜର ସାର୍ମଥ୍ୟକୁ ଚିହ୍ନି ପାରେ ଓ ଦୁର୍ବଳତାକୁ ବୁଝିପାରେ ସେ ହିଁ ସଫଳ ହୁଏ। ପ୍ରତ୍ୟେକ ମଣିଷ ସ୍ବତନ୍ତ୍ର ଓ ଭିନ୍ନ। ତେଣୁ କାହା ସହ ନିଜକୁ ତୁଳନା କରିବା ଉଚିତ୍‌ ନୁହେଁ। ପୂର୍ବ କାର୍ଯ୍ୟ ସହ ପରବର୍ତ୍ତୀ ଉପଲବ୍ଧିକୁ ତୁଳନା କରାଯାଉ। ପ୍ରତି ମୁହୂର୍ତ୍ତକୁ ଆନନ୍ଦରେ ଜିଇଁବା ସହ ଭବିଷ୍ୟତ ପାଇଁ ବର୍ତ୍ତମାନ ନଷ୍ଟ ନକରିବାକୁ ସେ ପରାମର୍ଶ ‌ଦେଇଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଜୀବନରେ ବୃତ୍ତି ଓ ପ୍ରବୃତ୍ତି ଏକ ହେବା ଆବଶ୍ୟକ। ସମାଜରେ ଡାକ୍ତରୀ, ଇଞ୍ଜିନିୟରିଂକୁ ଛାଡ଼ି ବିଭିନ୍ନ ପେସା ରହିଛି। ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ମଧ୍ୟ ଏକ ‌ପେସା। ତେଣୁ ଏବେ ଆଉ କାହାର ପେଟ ଅପୋଷା ରହିବ ନାହିଁ। କିନ୍ତୁ ସଫଳତାର ଶୀର୍ଷକୁ ଛୁଇଁବା ପାଇଁ ଛାତ୍ରଛାତ୍ରୀମାନେ ଜଣେ ଜଣେ ଉତ୍କର୍ଷର ଉପାସକ ହୁଅନ୍ତୁ। ଯେ କୌଣସି ବୃତ୍ତିରେ ଶୀର୍ଷକୁ ଯାଇ ପାରିଲେ ତା’ର ସଫଳତାକୁ କେହି ସଙ୍କୁଚିତ କରି ପାରିବେ ନାହିଁ। ସେହିପରି ଅଭିଭାବକମାନେ ପିଲା ଉପରେ ଚାପ ପ୍ରୟୋଗ ନକରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ଇଚ୍ଛା ମୁତାବକ ପାଠ୍ୟକ୍ରମ ଚୟନ କରିବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାରମ୍ୟାନ୍‌ ଅଜୟ ବାହାଦୂର ସିଂ ଓ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କେ. ଭାରତ ଚନ୍ଦ୍ର ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୯୫ ପ୍ରତିଶତ (୫୭୦ ନମ୍ବର) କିମ୍ବା ତଦୂର୍ଦ୍ଧ୍ବ ନମ୍ବର ରଖିଥିବା ପୁରୀ, ନୟାଗଡ଼, ଖୋର୍ଧା ଓ ଭୁବନେଶ୍ବର ସହରର ୨୧୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଆଗାମୀ ଦିନରେ ସମସ୍ତ ସଂସ୍କରଣରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯିବ।

ସମ୍ବନ୍ଧିତ ଖବର