ବନ୍ଦ ହେଲା ପାଟଣାଗଡ଼ ଏନଏସିର ସ୍ବାୟତ୍ତ ଶାସନ ଦିବସ!

ରାଜନୀତି ସରଗରମ; ଦୋଷ କାହାର...ସରକାର, ସରକାରୀ ଦଳ ନା ଏନଏସି ଇଓ?

ପାଟଣାଗଡ଼: ପାଟଣାଗଡ଼ ଏନଏସିକୁ ୬୦ ବର୍ଷ ପୁରିଛି। ଏହି ଅବସରରେ ଏନଏସି ପାଳନ କରିବାକୁ ଥିଲା ସ୍ବାୟତ୍ତ ଶାସନ ଦିବସ। ମଙ୍ଗଳବାର ରାତି ସୁଦ୍ଧା ସବୁ ଠିକ ଥିଲା। ସନ୍ଧ୍ୟାରେ ସ୍ବାୟତ୍ତ ଶାସନ ଅବସରରେ ସଭା ଥିଲା। ହେଲେ ସବୁ ବନ୍ଦ ହୋଇଗଲା। ଏହାକୁ ନେଇ ସହରରେ ରାଜନୀତି ସରଗରମ ହୋଇଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଦୋଷ କାହାର ସରକାର ନା ସରକାରୀ ଦଳ ନା ଏନଏସି ନିର୍ବାହୀ ଅଧିକାରୀ। ୬୦ ବର୍ଷରେ ସ୍ବାୟତ୍ତ ଶାସନ ଦିବସ ବନ୍ଦ ହେବା ଏକ ଇତିହାସ ବୋଲି କୁହାଯାଉଥିବାବେଳେ ଘଟଣା ସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି।

ସ୍ବାୟତ୍ତ ଶାସନ ଦିବସରେ ଏନଏସି ଚଳଚଞ୍ଚଳ ଥିଲା। ଏହି ଦିବସକୁ ଧୁମଧାମରେ ପାଳନ କରିବା ପାଇଁ କାଉନସିଲର ଠାରୁ ଆରମ୍ଭ କରି ଏନଏସିର ସମସ୍ତ କର୍ମଚାରୀ ପ୍ରସ୍ତୁତ ଥିଲେ। ଅତିଥି ମାନଙ୍କ ଅନୁମତି ବି ଲୋଡା ଯାଇଥିଲା। ଅତିଥି ମାନେ ବି ସହମତି ଦେଇଥିଲେ। କାର୍ଡ ଛପା ଯାଇ ଅତିଥି ଓ ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବଣ୍ଟା ଯାଇଥିଲା। ଏନଏସି ପରିସରରେ ସାଜସଜ୍ଜା ମଧ୍ୟ ସରିଥିଲା। ଫୁଲମାଳ ଲଗାଇ ମଣ୍ଡପ ମଧ୍ୟ ପ୍ରସ୍ତୁତ ଥିଲା।

ସନ୍ଧ୍ୟାରେ ଥିଲା ସଭା, ୬୦ ବର୍ଷରେ ଇତିହାସ ରଚିଲା

ହେଲେ କ’ଣ ହେଲା କେଜାଣି ସ୍ବାୟତ୍ତ ଶାସନ ଦିବସ ହଠାତ ବନ୍ଦ ହୋଇଗଲା। ଏହା ଥିଲା ପାଟଣାଗଡ଼ ଇତିହାସରେ ପ୍ରଥମ ଘଟଣା। ସନ୍ଧ୍ୟାରେ ହେବାକୁ ଥିବା ସଭାରେ ପାଟଣାଗଡ଼ ଏନଏସିରେ ରହୁଥିବା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ପାଟଣାଗଡ଼ ବିଧାୟକ ସରୋଜ ମେହେର ଅତିଥି ଭାବେ ନିମନ୍ତ୍ରଣ କରାଯିବାକୁ ସ୍ଥିର ହୋଇଥିଲା। କାର୍ଡରେ କାର୍ଡରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ଭାବେ ଲୋକସଭା ସାଂସଦ ଶ୍ରୀମତୀ ସିଂ ଦେଓ ଓ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଙ୍କ ନାମ ଥିଲା। କିନ୍ତୁ ମୁଖ୍ୟବକ୍ତା ଭାବେ ପାଟଣାଗଡ଼ ତହସିଲଦାର ଡା. ପୁଷ୍ପଞ୍ଜଳି ପଣ୍ଡାଙ୍କ ନାମ ଉଲ୍ଲେଖ ଥିଲା।

ହେଲେ ହଠାତ୍ ଏହି ଗୁରୁତ୍ବପୂର୍ଣ୍ଣ ଦିବସ ପାଳନ ବନ୍ଦ ହେବା ପରେ କାର୍ଡରେ ଛପା ଯାଇଥିବା ଅତିଥି ମାନଙ୍କ ପଦ ଓ ମର୍ଯ୍ୟାଦାକୁ ନେଇ ମଧ୍ୟ ଜୋରଦାର ଆଲୋଚନା ହେଉଛି।

ପୂର୍ବରୁ ପାଟଣାଗଡ଼ ଏନଏସି ରାଜ୍ୟରେ ଏକ ନମ୍ବର ହୋଇ ୨ ଥର ପୁରସ୍କୁତ ହୋଇଥିଲା। ବର୍ତ୍ତମାନ ଏନଏସିରେ ଥିବା ୧୫ ଓ୍ବାର୍ଡରୁ ୧୪ଟି ଓ୍ବାର୍ଡରେ  ଶାସକ ଦଳର କାଉନସିଲର ଓ ଗୋଟିଏ ଓ୍ବାର୍ଡରେ ସ୍ବାଧୀନ କାଉନସିଲର ଅଛନ୍ତି। ବିରୋଧି ବିଜେପି କି କଂଗ୍ରେସ ଖାତା ବି ଖୋଲି ନାହାନ୍ତି। ଏକତରଫା ବିଜୟ ଓ କାଉନସିଲ ଗଠନ ସତ୍ତ୍ବେ ସ୍ବାୟତ୍ତ ଶାସନ ଦିବସ ପାଳନ କରି ନ ପାରିବା ଏନଏସି ପରିଚାଳନାରେ ଅପାରଗତାକୁ ସୂଚାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅପର ପକ୍ଷରେ ସ୍ବାୟତ୍ତ ଶାସନ ଦିବସ ପାଳନ ହୋଇ ନ ପାରିବା ନେଇ ଦୋଷ କାହାର, ସରକାରଙ୍କର, ସରକାରୀ ଦଳର ନା ଏନଏସି ଇଓ ଙ୍କ ବୋଲି ମଧ୍ୟ ଆଲୋଚନା ହେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର