‘ଏବେ ଗୋଟିଏ ପରୀକ୍ଷା ହେଲାନି, ଆଗକୁ ବହୁତ ପରୀକ୍ଷା ବାକି ଅଛି’

ବର୍ଷ ସାରା ନାନା ବାଧାବିଘ୍ନ ମଧ୍ୟରେ ପିଲାମାନେ ପାଠପଢ଼ିଲେ। ଅଧାରୁ ଅଧିକ ସମୟ ସ୍କୁଲ ବନ୍ଦ ରହିବାରୁ ବୁଝୁ ନବୁଝୁ ଅନ୍‌ଲାଇନ୍‌ କ୍ଲାସ୍‌ କଲେ। କରୋନା ଥମିବାରୁ ସ୍କୁଲ ଖୋଲିଲା। ରାଜ୍ୟ ସରକାର ଶହେ ଦିନିଆ ପାଠପଢ଼ା ପରେ ମାଟ୍ରିକ୍ ପରୀକ୍ଷା ପାଇଁ ଘୋଷଣା କଲେ। କ୍ୟାରିୟର୍‌ ଗଠନ ପାଇଁ ମାଟ୍ରିକ୍ ପରୀକ୍ଷାର ମହତ୍ବ ଅଧିକ ତେଣୁ ଛାତ୍ରଛାତ୍ରୀ ଜୋର୍‌ସୋର୍ ପ୍ରସ୍ତୁତି କଲେ। କିନ୍ତୁ ପୁଣି କରୋନର ପ୍ରକୋପ ବଢ଼ିବାରୁ ପରୀକ୍ଷାକୁ ସରକାର ସମ୍ପୂର୍ଣ୍ଣ ବାତିଲ୍ କରିଦେଲେ। ଫଳରେ ବର୍ଷକର ଅଧ୍ୟବସାୟ ବୃଥା ଗଲା ଭାବି ବହୁ ମେଧାବୀ ଛାତ୍ରଛାତ୍ରୀ ଭାଂଗି ପଡ଼ିଛନ୍ତି। ଏଭଳି ସ୍ଥିତିରେ ଆଗକୁ କ’ଣ କରିବେ? କେମିତି ଏକାଦଶରେ ନାମ ଲେଖା ହେବ, ଯଦି ବି ନାମଳେଖା ହେବ, ତେବେ ବିଜ୍ଞାନ, କଳା, ବାଣିଜ୍ୟ ଶିକ୍ଷା ନାଁ ଅନ୍ୟ କୌଣସି ବୈଷୟିକ ଶିକ୍ଷାକୁ ଚୟନ କରିବେ, ଏମିତି ନାନା ପ୍ରଶ୍ନ ସେମାନଙ୍କ ମ‌ନରେ ଉଙ୍କି ମାରୁଛି। ତେବେ ଅବସାଦଗ୍ରସ୍ତ ନହୋଇ ନିଜ ଲକ୍ଷ୍ୟ ହାସଲ କରିବାକୁ କ୍ୟାରିୟର୍‌‌ ଗଠନ ପାଇଁ ଆଗଭର ହେବାକୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏମ୍‌ଏଭି.ସ୍କୁଲ୍‌ ଅଧ୍ୟକ୍ଷ ଦ୍ବାରିକାନାଥ ପଣ୍ଡା।

ମାଟ୍ରିକ୍‌ ପରୀକ୍ଷା ବନ୍ଦ ହେବା ପରେ ଛାତ୍ରଛାତ୍ରୀଙ୍କୁ କଣ ପରାମର୍ଶ ଦେବେ? ‌
ଯେଭଳି ପରିସ୍ଥିତି ଆସିଲେ ତା’କୁ ସାମ୍ନା କରିବାକୁ ପଡ଼ିବ। ବର୍ତ୍ତମାନ ପିଲାମାନଙ୍କ ମନୋବଳକୁ ଭାଂଗିବାକୁ ନଦେଇ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏଥିରେ ଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ମାଟ୍ରିକ୍ ପରୀକ୍ଷା ହୋଇଥିଲେ ପିଲାମାନେ ନିଜକୁ ପରଖି ପାରିଥାନ୍ତେ। କିନ୍ତୁ ଏହି ବର୍ଷର ପାଠପଢ଼ା ସେମାନଙ୍କ ବେକାର୍‌ ଯାଇନାହିଁ। ନବମ ଶ୍ରେଣୀର ପାଠ ଯେପରି ଦଶମ ଶ୍ରେଣୀରେ ଉପଯୋଗ ହୁଏ, ଠିକ୍ ସେହିଭଳି ଦଶମ ଶ୍ରେଣୀର ପାଠ ଏକାଦଶ, ଦ୍ବାଦଶ ଠାରୁ ଆରମ୍ଭ କରି ଅନ୍ୟ ଉଚ୍ଚଶିକ୍ଷା ପାଇଁ ମଧ୍ୟ ବେଶ୍ ଉପଯୋଗୀ। ଏବେ ଗୋଟିଏ ପରୀକ୍ଷା ହେଲାନି, ଆଗକୁ ବହୁତ ପରୀକ୍ଷା ବାକି ଅଛି ବୋଲି ପିଲାମାନଙ୍କୁ ବୁଝାଇବାକୁ ପଡ଼ିବ। ଯେପରି ସେମାନେ ପାଠପଢ଼ା ଜାରି ରଖି ନିଜର ଲକ୍ଷ୍ୟ ହାସଲ ପାଇଁ ତତ୍ପର ହେବେ।

ଏକାଦଶରେ ନାମଲେଖା ପାଇଁ ମେଧା ଚୟନ କିପରି ହେବ?
ବାର୍ଷିକ ପରୀକ୍ଷା ‌ହୋଇ ନପାରିଲେ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟରେ କିଛି ନା କିଛି ପରୀକ୍ଷା ହୋଇଛି? ତେଣୁ ସେଥିରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ମେଧା ଚୟନ ହୋଇପାରିବ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ନୂଆ ଶିକ୍ଷା ନୀତି (୫+୩+୩+୪)ପାରିତ ହୋଇଛି, ପରୀକ୍ଷା ପରିବର୍ତ୍ତେ ଦ୍ବାଦଶ ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି। ତେଣୁ ଆଗକୁ +୨ପରୀକ୍ଷାର ଗୁରୁତ୍ବ ଅଧିକ ରହିବ। ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ହୋଇନପାରିବା, ଆମକୁ ପରୋକ୍ଷରେ ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରାଇବାରେ ସହାୟକ ହେଉଛି।

କେଉଁ ସୋତ୍ରରେ ପିଲାଟିଏ ଆଗକୁ ପଢ଼ିବ, କିପରି ନିର୍ଣ୍ଣୟ କରିବ?
ଏଥିରେ ପିଲାକୁ ପାଠ ପଢ଼ାଉଥିବା ଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମାଟ୍ରିକ୍ ପରୀକ୍ଷା ହୋଇ ଫଳ ବାହାରିଥିଲେ, ସେଥିରୁ ପ୍ରତି ପିଲାଙ୍କ ଦକ୍ଷତା ସେ ନିଜେ ଜାଣିବା ସହ ତା’ର ଅଭିଭାବକ ଜାଣିପାରିଥାନ୍ତେ। ଏହା ସେମାନଙ୍କୁ ଆଗକୁ କେଉଁ ବିଷୟରେ ପାଠପଢ଼ିବାକୁ ହେବ, ନିର୍ଣ୍ଣୟ ନେବାରେ ସହାୟକ ହୋଇଥାନ୍ତା। ପରୀକ୍ଷା ନହେବାରୁ ଏହା ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ତେବେ ଗୋଟିଏ ପିଲାର କେଉଁ ବିଷୟ ପ୍ରତି ଆଗ୍ରହ ଅଛି, କେଉଁଥିରେ ସେ ଭଲ କରୁଛି, ତାହା ତା’ର ଶିକ୍ଷକ ହିଁ ଭଲଭାବେ ଜାଣିଥା’ନ୍ତି। ତେଣୁ ଅଭିଭାବକମାନେ ଶିକ୍ଷକମାନଙ୍କ ସହ ପରାମର୍ଶ ନେଇ କେଉଁ ସ୍ରୋତରେ (କଳା, ବାଣିଜ୍ୟ, ବିଜ୍ଞାନ, ଆଇଟିଆଇ, ଡିପ୍ଲୋମା ଆଦି) ପିଲାଙ୍କୁ ପଢ଼ାଇବେ ତାହା ନିର୍ଣ୍ଣୟ କରିପାରିବେ।

କୋଭିଡ୍ ସ୍ଥିିତିରେ ଅଭିଭାବକଙ୍କ ଭୂମିକା କଣ?
ବର୍ତ୍ତମାନର କୋଭିଡ୍ ପରିସ୍ଥିତି ଅଭିଭାବକମାନଙ୍କ ପାଇଁ ଏକ ଭଲ ସୁଯୋଗ ଆଣି ଦେଇଛି। ଆଗରୁ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାପାଇଁ ସମୟ ବାହାର କରିପାରୁନଥିଲେ। ଏବେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି କଟକଣା ଯୋଗୁଁ ପ୍ରାୟ ସମସ୍ତ ଅଭିଭାବକଙ୍କୁ ଅତିରିକ୍ତ ସମୟ ମିଳୁଛି। ଏହାର ସଦୁପଯୋଗ କରି ପିଲାଙ୍କ ନିକଟତର ହେବା ସହ ସେମାନଙ୍କୁ ଉଚିତ୍ ପରାମର୍ଶ ଦେଇ ଆଗକୁ ବଢ଼ିବାରେ ସହାୟକ ହୋଇପାରିବେ।

ସମ୍ବନ୍ଧିତ ଖବର