ଜୟପୁର: ଗୁରୁତର ରୋଗୀଙ୍କୁ ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା। ସେ ଘୁରି ବୁଲୁଛନ୍ତି ଗୋଟିଏ ମେଡିକାଲରୁ ଆଉ ଗୋଟିଏ ମେଡିକାଲ। ଏଭଳି ଏକ ଚିତ୍ର ଆଜି ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଭେଷଜ ୱାର୍ଡ ସମ୍ମୁଖରେ ଦେଖିବାକୁ ମିଳିଥିଲା। ଜୟପୁର ଜୟନଗର ଅଂଚଳର ଶଙ୍କର ପରିଚ୍ଛା ଗୁରୁତର ଅବସ୍ଥାରେ ଗତ କାଲି ରାତି ଗୋଟାଏ ବେଳେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସିଥିଲେ। ଗୁରୁତର ଥିବା ଶଙ୍କରଙ୍କୁ ଶଯ୍ୟା ଖଣ୍ଡିକ ବି ଦିଆଯାଇ ନଥିବା ବେଳେ ୱାର୍ଡ ସମ୍ମୁଖରେ ଜୋତା ଷ୍ଟାଣ୍ଡ ନିକଟରେ ବସିବାକୁ ଥିବା ଲମ୍ବା ଷ୍ଟୁଲରେ ଶୋଇଥିଲେ। ଗତ କାଲି ରାତିରେ ତାଙ୍କୁ ୨ଟି ସାଲେଇନ୍ ଦିଆଯାଇଥିବା ବେଳେ ଆଜି ସକାଳ ଠାରୁ ୧୨ଟା ପର୍ଯ୍ୟନ୍ତ ସାଲେଇନ୍ କିମ୍ବା ଔଷଧ ବି ଦିଆଯାଇନଥିଲା। ରାଉଣ୍ଡରେ ବୁଲୁଥିବା ଡାକ୍ତର ଜଣକ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ପୁଣି ତାଙ୍କର ପୁରୁଣା ରୋଗର ଚିକିତ୍ସା ପାଇଁ କୋରାପୁଟ ବଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇ ଡିସଚାର୍ଜ କରି ଦେଇଥିଲେ। ଡିସଚାର୍ଜ କରିବା ପର ଠାରୁ ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କୁ ସେବା ବି ଯୋଗାଇ ନଥିଲେ।
ଶଙ୍କର ଛଟପଟ ହେଉଥିବା ବେଳେ ପରିବାରବର୍ଗ ଅସହାୟ ହୋଇ କିଂକର୍ତ୍ତବ୍ୟବିମୁଢ଼ ହୋଇ କଣ କରିବେ , କେଉଁଠାକୁ ନେଇକି ଯିବେ ଏଭଳି ଚିନ୍ତାରେ ପଡ଼ି ଯାଇଥିଲେ। ଏ ନେଇ ଡିଏମଓ ଡାକ୍ତର ଆରଏନ୍ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ନିଜେ ଆସି ଦେଖିବା ପରେ କର୍ମଚାରୀଙ୍କୁ ତାଗିଦ୍ କରିବା ସହ ତାଙ୍କୁ ଦେଖିଥିବା ଭେଷଜ ବିଶେଷଞ ଡାକ୍ତର ବିଭୁତି ଭୁଷଣ ଜେନାଙ୍କ ସହ ଆଲୋଚନା କରିଥିଲେ। ତା ପରେ କର୍ମଚାରୀ ମାନେ ଆସି ସାଲେଇନ୍ ଟିକକ୍ ଦେବା ସହ ୧୦୮ଆମ୍ବୁଲାନସ୍ ଡାକି ପୁଣିଥରେ କୋରାପୁଟ ବଡ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାକୁ ଯିବା ପରେ ପୁଣି ସେଠାକାର ଡାକ୍ତର ଓକର୍ମଚାରୀ ମାନେ ପୁଣି ଗାଳି କରିବେ ବୋଲି ଶଙ୍କରଙ୍କ ପରିବାରବର୍ଗ କହିଛନ୍ତି। ଗତ ୨୮ତାରିଖ ଦିନ ଶଙ୍କରଙ୍କର ଅବସ୍ଥା ଗୁରୁତର ହେବାରୁ ଜୟପୁର ଜିଲ୍ଲା ମୁଖ୍ୟଚିକତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ।
ଏଠାରେ ଦିନକ ଚିକିତ୍ସା କରିବା ପରେ ୨୯ତାରିଖ ଦିନ ତାଙ୍କୁ କୋରାପୁଟ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା। ସେଠାରେ ୨୯ତାରିଖରୁ ଗତ କାଲି ପର୍ଯ୍ୟନ୍ତ ରହି ଚିକିତ୍ସାଧୀନ ଥିଲେ। ଅଚାନକ ଗତ କାଲି ବଡଡାକ୍ତରଖାନାରେ ତାଙ୍କୁ ପୁଣି ବ୍ରହ୍ମପୁର ବଡଡାକ୍ତରଖାନାକୁ ରେଫର କରିଥିଲେ। ପରିବାରବର୍ଗର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଏବଂ ଗତ ବର୍ଷକ ହେବ ଶଙ୍କରଙ୍କ ଚିକିତ୍ସା ପାଇଁ ଧାର ଉଧାର କରି ଖର୍ଚ୍ଚ କରି ପାରିବାରବର୍ଗର ଆର୍ଥିକସ୍ଥିତି ଦୋହଲିଯାଇଛି।
ତେଣୁ ତାଙ୍କୁ ଘରକୁ ନେଇ ଆସିଥିଲେ। ଘରକୁ ଆଣିବା ପରେ ଗତ କାଲି ରାତି ଗୋଟାଏ ବେଳେ ସେ ଗୁରୁତର ହେବାରୁ ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ଆଣିଥିବା ତାଙ୍କ ପରିବାରବର୍ଗ କହିଛନ୍ତି। ଏଠାରୁ ପୁଣି ରେଫର କରିବା ପରେ କଣ କରିବୁ ଆମେ ଏବେ ଚିନ୍ତାରେ ପଡିଛୁ। ରାଜ୍ୟସରକାର ପାଦତଳେ ଉତ୍ତମ ସ୍ବାସ୍ଥ୍ୟ ସେବା, ଟେଲିମେଡିସିନ୍, ଅତ୍ୟାଧୁନିକ ଞାନକୌଶଳର ଚିକିତ୍ସା ଏବଂ ମାଗଣା ଚିକିତ୍ସା ଏବଂ ଗୋଟିଏ ସ୍ଥାନରେ ବୋଲି କହୁଥିବା ବେଳେ ଆମକୁ କାହିଁକି ଏହି ମେଡିକାଲରୁ ଅନ୍ୟ ମେଡିକାଲକୁ ଦଉଡାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରଙ୍କ ମା’ ବନିତା ପରିଚ୍ଛା ଏବଂ ତାଙ୍କ ପରିବାରବର୍ଗ। ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ବି ଶଙ୍କରଙ୍କର କଣ ହୋଇଛି କେଉଁଟି ବି କିଛି ସ୍ପଷ୍ଟ ହୋଇ ପାରୁ ନଥିବାରୁ ଆମେ ବି କିଛି ଜାଣି ପାରୁନୁ ବୋଲି କହିଛନ୍ତି ପରିବାରବର୍ଗ। ତାଙ୍କୁ ପୂର୍ବରୁ ଟିବି ସହ କ୍ୟାନସର ହୋଇଥିବା ସଂଦେହ ରହିଛି, ଯାହାର ପରୀକ୍ଷା ନିରୀକ୍ଷା ସବୁ ବଡ ଡାକ୍ତରଖାନାରେ ହିଁ ହୋଇ ପାରିବ , ତେଣୁ ଡିସଚାର୍ଜ କରିଥିଲୁ ବୋଲି କହିଛନ୍ତି ଭେଷଜ ବିଶେଷଞ ଡାକ୍ତର ଜେନା। ଜଣେ ଗୁରୁତର ରୋଗୀଙ୍କୁ ଚପଲ ଷ୍ଟାଣ୍ଡ ନିକଟରେ ଏଭଳି ଲମ୍ବାଷ୍ଠୁଲ ଉପରେ ରଖାଯିବା କେତେ ଦୁର ଯୁକ୍ତିଯୁକ୍ତ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/25-3.jpg)
