କେନ୍ଦୁଝର: ଖରା ଆରମ୍ଭରୁ ଦେଖାଦେଲାଣି କଳକଷ୍ଟ। ନଦୀନାଳ, କେନାଲ ସବୁ ଶୁଖି ଯାଇଥିବା ବେଳେ ଏବେ ଜଳଭଣ୍ଡାର ଶୁଖିବା ଆରମ୍ଭ କଲାଣି। ଏହି ଧାରା ଆଉ କିଛିଦିନ ଜାରି ରହିଲେ ‌କେନ୍ଦୁଝର ସହରବାସୀ ପାଣି ପାଇଁ ଛଟପଟ ହେବେ ବୋଲି କୁହାଯାଉଛି। ‌କେନ୍ଦୁଝର ଜିଲ୍ଲାରେ ରହିଛି ବଡ଼ଘାଗରା, କାନ୍‌ଝାରୀ, ଜଗଦଳା, ଗୋବରା, ଜାଉଁରିଆ, ରେମାଳ ଭଳି ଏକାଧିକ ଡ୍ୟାମ୍‌। ଏସବୁ ଡ୍ୟାମ୍‌ରୁ ସ୍ଥାନୀୟ ଅଞ୍ଚଳକୁ ଜଳ ଯୋଗାଣ ହେଉଛି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ଓ ପ୍ରଚଣ୍ଡ ଖରା ଯୋଗୁଁ ଡ୍ୟାମ୍‌ର ପାଣି ଶୁଖିବା ଆରମ୍ଭ କଲାଣି। ବଡ଼ଘାଗରା ଡ୍ୟାମ୍‌ରୁ କେନ୍ଦୁଝର ସହରକୁ ଜଳ ଯୋଗାଣ ହେଉଛି। ସହରର ଅର୍ଦ୍ଧାଧିକ ଲୋକେ ଏହି ଡ୍ୟାମ୍‌ରୁ ପାଣି ପାଉଛନ୍ତି। ବର୍ଷା ନଥିବାରୁ ଏହି ଡ୍ୟାମ୍‌ ବି ଶୁଖିଗଲାଣି। ଡ୍ୟାମ୍‌ର ଜଳଧାରଣ କ୍ଷମତା ହେଉଛି ୧୯୬୨ ଆର୍‌ଏଲ୍‌ (ରେଡିୟସ ଲେଭଲ)। ଏପ୍ରିଲ୍‌ ମାସରେ ୧୯୩୨ ଆର୍‌ଏଲ୍‌ ଜଳ ରହିବା କଥା। ଅଛି ୧୯୨୬ ଆର୍‌ଏଲ୍‌। ଯାହାକୁ ନିମ୍ନ ଜଳସ୍ତର ବୋଲି କୁହାଯାଉଛି।
ଜନସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବଡ଼ଘାଗରା ଜଳଭଣ୍ଡାରରୁ କେନ୍ଦୁଝର ସହରକୁ ଦୈନିକ ୬୦ ଲକ୍ଷ ଲିଟର ଜଳ ଯୋଗାଣ ହୋଇଥାଏ। ଜଳସ୍ତର କମିବା ଯୋଗୁଁ କିଛିଦିନ ହେବ ୫୦ ଲକ୍ଷ ଲିଟର ଜଳ ଯୋଗାଣ ହେଉଛି। ଏଭଳି ସ୍ଥିତି ଲାଗି ରହିଲେ ଆଉ ମାତ୍ର ୧୫ ଦିନରେ ବଡ଼ଘାଗରା ଜଳଭଣ୍ଡାର ଶୁଖିଯିବ।

Advertisment

ଅନ୍ୟପକ୍ଷରେ ଜରୁରୀ ପରିସ୍ଥିତିରେ ଜଳଭଣ୍ଡାରର ଡେଡ୍‌ ଷ୍ଟୋ‌ରେଜ ବା ଅତି ତଳିଆ ପାଣିକୁ ବ୍ୟବହାର କରାଯାଇଥାଏ। ତଳିଆ ପାଣିକୁ ବ୍ୟବହାର କରିବାପାଇଁ ଏବେ ଜନସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କଲାଣି। ଜଳଭଣ୍ଡାର ଶୁଖିଗଲେ ତଳିଆ ପାଣିକୁ ପମ୍ପିଂ କରି ସହରକୁ ଯୋଗାଇ ଦିଆଯିବ। ଆଉ କିଛିଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ସଂଗିନ ହେବ ବୋଲି ଆକଳନ କରାଯାଉଛି।