ମହାନଦୀରେ ପାଣି ନାହିଁ: ତଟବର୍ତ୍ତୀ ଅଞ୍ଚଳର ଶୋଷ ମେଣ୍ଟୁନି

ଖସିଲାଣି ଭୂତଳ ଜଳସ୍ତର, କୂଅ, ପୋଖରୀ ଶୁଖିଲା

ଖଣ୍ଡପଡ଼ା: ଶୁଖିଗଲାଣି ମହାନଦୀ। ଧାରେ ପାଣି କାଁ ଭାଁ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଛତିଶଗଡ଼ ବହୁ ସଂଖ୍ୟାରେ ବ୍ୟାରେଜ୍‌ ନିର୍ମାଣ ଦ୍ୱାରା ନଭେମ୍ବରରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଅର୍ଥାତ୍‌ ଅଣମୌସୁମୀ ସମୟରେ ଜଳପ୍ରବାହ ପ୍ରାୟତଃ ହେଉନାହିଁ। ଏଭଳି ସ୍ଥିତିରେ ନଦୀକୂଳିଆ ଅଧିବାସୀଙ୍କ ପାଇଁ ଜଳସଂକଟ ଉତ୍କଟ ହେବାରେ ଲାଗିଛି। ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ନୟାଗଡ଼ ବଡ଼ମୂଳଠାରେ ମହାନଦୀ ଜିଲ୍ଲାରେ ପ୍ରବେଶ କରିବା ସହିତ ଗଣିଆ, ଖଣ୍ଡପଡ଼ା ଓ ଭାପୁର ବ୍ଲକ୍‌ ଦେଇ ବହିଯାଇଛି। ଜିଲ୍ଲାବାସୀଙ୍କ ପାଇଁ ମହାନଦୀ ହେଉଛି ଜୀବନରେଖା। ଜଳପ୍ରବାହ କମ୍‌ ଯୋଗୁ ଉତ୍କଟ ଜଳ ସଙ୍କଟ ସହ କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଲାଣି। ବିଶେଷକରି ଖଣ୍ଡପଡ଼ା ଓ ଭାପୁର ବ୍ଲକ୍‌ର ନଦୀକୂଳରେ ଥିବା ଏକାଧିକ ପଞ୍ଚାୟତର ଲୋକେଏହାଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପାନୀୟ ଜଳ ଓ ଜଳସେଚନ ପାଇଁ ପାଣି ନିଅଣ୍ଟ ପଡ଼ୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଛି। ଗତ ପ୍ରାୟ ୧୦ ବର୍ଷ ହେବ ସ୍ଥିତି ସଙ୍ଗିନ ହୋଇପଡିଛି।

ସରକାରୀ ତଥ୍ୟ ଅନୁଯାୟୀ ମହାନଦୀରୁ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍‌କୁ ଜଳଯୋଗାଣ ନିମନ୍ତେ ୩୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲୁଛି। ସେହିଭଳି ଖଣ୍ଡପଡ଼ା, ଭାପୁର, ନୟାଗଡ, ଓଡଗାଁର ସମସ୍ତ ପଞ୍ଚାୟତ ଓ ନୂଆଗାଁର କିଛି ପଞ୍ଚାୟତକୁ ଜଳଯୋଗାଣ ନିମନ୍ତେ ପ୍ରାୟ ୬୦୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କାମ ଚାଲୁରହିଛି। ଭାପୁର ବ୍ଲକ୍‌ ଅଧୀନ ପଦ୍ମାବତୀ ନିକଟରେ ଥିବା ମହାନଦୀ କୂଳରେ ଇନ୍‌ଟେକ୍‌ ୱେଲ୍‌ କାର୍ଯ୍ୟ ଚାଲୁରହିଛି। ସମାନଭାବେ କେବଳ ନୟାଗଡ଼ ସହରକୁ ଜଳ ଯୋଗାଣ ନିମନ୍ତେ ଖଣ୍ଡପଡ଼ା ବ୍ଲକ୍‌ ବଡ଼ବାଣପୁର ନିକଟରେ ଥିବା ମହାନଦୀ କୂଳରେ ଏକ ପ୍ରକଳ୍ପ ରହିଛି। ପୂରା ଜିଲ୍ଲାକୁ ପାନୀୟଜଳ ଯୋଗାଣ ନିମନ୍ତେ ମହାନଦୀ ଏକପ୍ରକାର ସଞ୍ଜୀବନୀ ପାଲଟିଥିବା ବେଳେ ଏବେ କିନ୍ତୁ ଆଶଙ୍କାରେ ଜିଲ୍ଲାବାସୀ। ମହାନଦୀରେ କମ୍‌ ଜଳ ପ୍ରବାହ ଓ ଗତବର୍ଷ ଅନିୟମିତ ମୌସୁମୀ ବର୍ଷା ଚଳିତବର୍ଷ ସ୍ଥିତିକୁ ଆହୁରି ସଙ୍ଗିନ କରିଦେଲାଣି। ପରିସ୍ଥିତି ଏମିତି ହୋଇଛି ଯେ ସିଧାମୂଳା ନିକଟରେ କୂଳରୁ ଆଖି ବୁଲାଇଲେ ମହାନଦୀ ମରୁଭୂମିର ଭ୍ରମ ସୃଷ୍ଟିକରୁଛି। ସ୍ଥାନୀୟ ଅଞ୍ଚଳର ଶହଶହ ମତ୍ସ୍ୟଜୀବୀ ପରିବାର ଓ ଚାଷୀ ମହାନଦୀ ଉପରେ ନିର୍ଭର କରି ଜୀବନ କାଟୁଥିବା ଏବେ ସଙ୍କଟରେ ପଡ଼ିଛି ଜୀବିକା।

ବର୍ଷାଦିନେ ମହାନଦୀର ଉଛୁଳା ବନ୍ୟାପାଣିରେ ଏମାନେ ଦହଗଞ୍ଜ ହେଉଥିବା ବେଳେ ଗ୍ରୀଷ୍ମ ଆରମ୍ଭରୁ ନଦୀର ଶୁଖିଲା ଜଳଧାରା ଯୋଗୁ ପାନୀୟ ଜଳସଂକଟ ଉତ୍କଟ ହେଲାଣି। ସେହିପରି ଗାଁ ଗାଁରେ ଥିବା କୂଅ ତଥା ଅନ୍ୟ ଜଳଉତ୍ସରେ ଭୂତଳ ଜଳସ୍ତର ହ୍ରାସ ପାଇଛି। ଫଳରେ ମହାନଦୀ ତଟବର୍ତୀ ଏକାଧିକ ଅଞ୍ଚଳର ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଖାଲିସେତିକି ନୁହେଁ ନଦୀରେ ପାଣି ଅଭାବରୁ ଗାଁ ଲୋକେ ସ୍ନାନଶୌଚ ପାଇଁ ମଧ୍ୟ ଦହଗଞ୍ଜ ହେଉଛନ୍ତି।

ସମ୍ବନ୍ଧିତ ଖବର