ଉଜୁଣି ଗାଁରେ ମିଳୁନି ପାଣି

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ତରୁଆଁ ପଞ୍ଚାୟତ ଉଜୁଣି ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକେ ହଇରାଣ କରକତ ହେଉଛନ୍ତି। ମୁଖ୍ୟରାସ୍ତାରୁ ଗାଁ ଭିତରକୁ ଯାଇଥିବା କଂକ୍ରିଟ ରାସ୍ତାଟି ଦୀର୍ଘଦିନ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ରାସ୍ତାରେ ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ବର୍ଷା ଚାରିମାସ ଗାଁ ଦାଣ୍ତରେ ଆଣ୍ଠୁଏ ଲେଖାଏ ପାଣି ଜମୁଛି। କାଦୁଅ ପଚପଚ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ସେହିପରି ସବୁ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ ବିଛାଇବାକୁ ଅନେକ ସ୍ଥାନରେ କଂକ୍ରିଟ ରାସ୍ତାକୁ ତାଡ଼ି ଦିଆଯାଇଛି। ଏହାର ମରାମତି କରାଯାଉ ନାହିଁ।

ସେହିପରି ପିଇବା ପାଣି ପାଇଁ ଗ୍ରାମରେ ମାତ୍ର ଗୋଟିଏ ନଳକୂପ ରହିଛି। ଏହା ଉପରେ ୫୦ ପରିବାର ନିର୍ଭର କରୁଛନ୍ତି। ସ୍ନାନଶୌଚ ପାଇଁ ପୋଖରୀ ଅଛି। କିନ୍ତୁ ପୋଖରୀକୁ ଯିବାପାଇଁ ସବୁଦିନିଆ ରାସ୍ତା ନାହିଁ। ଗାଁରେ ପାନୀୟଜଳ ସମସ୍ୟା ଲାଗି ରହିଥିବାରୁ ଅଧିକାଂଶ ପରିବାର ରୋଷେଇବାସ ପାଇଁ ପୋଖରୀ ପାଣି ବ୍ୟବହାର କରୁଥିବା ଜଣାପଡ଼ିଛି। ଗ୍ରାମର ଅନେକ ଗରିବ ପରିବାର ଗରିବ ସୀମାରେଖା ତଳେ ରହିଛନ୍ତି। ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜନୀତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଗ୍ରାମର ସୁଶାନ୍ତ ଭଞ୍ଜ, ଆତୁଳ ଭଞ୍ଜ, ଭାଗୀରଥି ମାଝୀ, ଜୟନ୍ତ ଭଞ୍ଜ, ସଂଜୟ କୁମାର ଭଞ୍ଜ, ଗଦାଧର ଭଞ୍ଜ, ଗଣେଶ୍ବର ସାହୁ, ମଙ୍ଗୁଳି ମାଝୀ  କହିଛନ୍ତି। ଗାଁ ରାସ୍ତାର ମରାମତି ସାଙ୍ଗକୁ ଡ୍ରେ‌ନେଜ୍‌ ବ୍ୟବସ୍ଥା ଏବଂ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର