ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଗୌଣିଘସା ଓ ରେବଣାପଳାଶପାଳ ପଞ୍ଚାୟତ ସୀମାରେ ରହିଛି କୁଡ଼ିକଟା ଜଳପ୍ରପାତ। କୁଡ଼ିକଟା ପାହାଡ଼ର ପ୍ରାୟ ୨୫ ଫୁଟ ଉଚ୍ଚରୁ ବଗିରା ନାଳର ପାଣି ଏକ ବଡ଼ ପଥର ଉପରେ ପଡ଼ୁଛି। ଏହି ସ୍ଥାନରେ ବଣଭୋଜି କରିବାପାଇଁ ଆଖପାଖ ପଞ୍ଚାୟତର ଲୋକେ ଭିଡ଼ ଜମାଇଥାନ୍ତି। ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଏଠାରେ ଭିଡ଼ ଦେଖିବାକୁ ମିଳିଥାଏ। ଗୌଣିଘସା ପଞ୍ଚାୟତରୁ ଅଢ଼େଇ କିଲୋମିଟର ଓ ରେବଣାପଳାଶପାଳ ପଞ୍ଚାୟତରୁ ୧୦ କିଲୋମିଟର ଦୂରରେ ଏହି ଜଳପ୍ରପାତ ଅବସ୍ଥିତ।

Advertisment

ଗୌଣିଘସା ଗାଁ ମୁଣ୍ଡରୁ ଅଳ୍ପ ଦୂରରେ ଜଳପ୍ରପାତଟି ଥିଲେ ମଧ୍ୟ ଏଠାକୁ ଯିବାପାଇଁ ସବୁଦିନିଆ ରାସ୍ତା ନାହିଁ। ପଞ୍ଚାୟତର ସମିତିସଭ୍ୟ ପଦ୍ମଲୋଚନ ମହାନ୍ତ, ସରପଞ୍ଚ ଫୁଲମଣି ଦେହୁରୀ ଓ ସମାଜସେବୀ ଦିଗାମ୍ବର ମହାନ୍ତ ଜଳପ୍ରପାତର ଉନ୍ନତୀକରଣ ପାଇଁ ପ୍ରାକ୍ତନ ବିଡିଓ ପ୍ରଭୁକଲ୍ୟାଣ ଦାସଙ୍କୁ ଜଣାଇଥିଲେ। ରାସ୍ତା ନିର୍ମାଣ ସହ ଜଳପ୍ରପାତ ପାଖରେ ଥିବା ପଡ଼ିଆରେ ଏକ ଫୁଲ ବଗିଚା କରିବା ପାଇଁ ଯୋଜନା ହୋଇଥିଲା। ହେଲେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାସ୍ତା ନଥିବାରୁ ଏଠାକୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ ସହ ଏହି ଜଳପ୍ରପାତ ଉନ୍ନତୀକରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।