ସମ୍ବଲପୁର: ୟୁକ୍ରେନ୍ର ଯୁଦ୍ଧଗ୍ରସ୍ତ ଖାର୍କିଭ ସହରଠାରୁ ୨୦ କିଲୋମିଟର୍ ଦୂରରେ ପିସୋଚିନ୍ ନାମକ ଗାଁର ଏକ ସ୍କୁଲ୍ ହଷ୍ଟେଲ୍ରେ ଆଶ୍ରୟ ନେଇଥିବା ସମ୍ବଲପୁର ସାକ୍ଷୀପଡ଼ାର ପ୍ରସନ୍ଜିତ୍ ପଟ୍ଟନାୟକ ଏବଂ ତାଙ୍କର ସାଥୀମାନେ ଶନିବାର ଲିଭିଭ୍ରେ ପହଂଚିଛନ୍ତି। ୟୁକ୍ରେନରୁ ବହୁ ସଂଖ୍ୟାରେ ଲୋକ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି। କିଏ ବସ୍, ଟ୍ରକ୍ ତ କିଏ ପୁଣି କାର୍ ଯୋଗେ ଜୀବନ ବଞ୍ଚାଇବାକୁ ପଳାଉଛନ୍ତି। କେବଳ ଭାରତୀୟ ଛାତ୍ରଛାତ୍ରୀ ନୁହନ୍ତି, ସେଠାରେ ରହୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ସହିତ ୟୁକ୍ରେନର ଲୋକମାନେ ମଧ୍ୟ ପ୍ରାଣ ବିକଳରେ ପଡ଼ୋଶୀ ଦେଶ ଅଭିମୁଖେ ବାହାରିଛନ୍ତି।
ଏଭଳି ସ୍ଥିତିରେ ସୀମାନ୍ତ ଅଂଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ପ୍ରସନ୍ଜିତ ଓ ତାଙ୍କ ସାଥୀମାନେ ପିସୋଚିନ୍ରୁ ଲିଭିଭ୍କୁ ୨୦ ଘଣ୍ଟା ମଧ୍ୟରେ ପହଂଚିବାର ଥିଲା। ମାତ୍ର ସେମାନଙ୍କୁ ୩୨ ଘଣ୍ଟା ସମୟ ଲାଗିଗଲା। ପୋଲାଣ୍ଡ ସୀମାରେ ଅତ୍ୟନ୍ତ ଭିଡ଼ ହୋଇଥିବାରୁ ପ୍ରସନ୍ଜିତ ଏବଂ ତାଙ୍କ ସାଥୀମାନଙ୍କୁ ନେଇ ଯାଉଥିବା ବସ୍ ଟେର୍ନୋପିଲ୍ ସହର ଦେଇ ହଙ୍ଗେରୀ ସୀମାନ୍ତକୁ ଯିବ। ଟେର୍ନୋପିଲ୍ରେ ଶନିବାର କିଛି ସମୟ ବିଶ୍ରାମ ନେବା ପରେ ହଙ୍ଗେରୀ ସୀମା ଅଭିମୁଖେ ବାହାରିଥିବା ସେ ସୂଚନା ଦେଇଛନ୍ତି।