ଭଞ୍ଜନଗର: ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ ମାନବସମ୍ବଳ ଅଭାବ ଯୋଗୁଁ ଜନସାଧାରଣ ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଅନେକ ନଜିର୍ ରହିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରୁ ଆମ୍ବୁଲାନ୍ସ୍ ସେବାକୁ ନେଇ ଅବ୍ୟବସ୍ଥା ସାମ୍ନାକୁ ଆସିଛି।

Advertisment

ଭଞ୍ଜନଗର ଉପଖଣ୍ଡ ସମେତ ସୀମାନ୍ତ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳର ସହସ୍ରାଧିକ ରୋଗୀଙ୍କ ସାହାଭରସା ଏହି ଡାକ୍ତରଖାନାରେ ତିନିଟି ସରକାରୀ ଆମ୍ବୁଲାନ୍ସ୍ ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ତିନିଟିଯାକ ଗାଡ଼ି ଚଳାଇବାକୁ ମାତ୍ର ଜଣେ ଚାଳକ ଅଛନ୍ତି। ୧୦୮ ଆମ୍ବୁଲାନ୍ସ୍ ସେବା ଆରମ୍ଭ ହେବା ପରଠୁ ସରକାରୀ ଆମ୍ବୁଲାନ୍ସ୍ ଗୁଡ଼ିକ ଉପରେ ଚାପ କମିଛି ସତ, ତଥାପି ଅନେକ ସମୟରେ ଗୁରୁତର ‌ରୋଗୀ ହୁଅନ୍ତୁ ଅଥବା ଗର୍ଭବତୀ ଏବଂ ବଡ଼ ଦୁର୍ଘଟଣାର ଗୁରୁତରମାନଙ୍କୁ ଡାକ୍ତରଖାନା ଆଣିବା ପରେ ସରକାରୀ ଆମ୍ବୁଲାନ୍ସ୍ ଗୁଡ଼ିକର ବହୁଳମାତ୍ରାରେ ଆବଶ୍ୟକତା ପଡ଼ିଥାଏ। ଏହିକ୍ରମରେ ଗତ ୨ ବର୍ଷର ହିସାବକୁ ବିଚାରକୁ ନିଆଗଲେ, ଡାକ୍ତରଖାନାରେ ଥିବା ଏହି ୩ଟି ଆମ୍ବୁଲାନ୍ସ୍‌ରେ ୮୯୨ଟି କଲ୍‌ରେ ରୋଗୀଙ୍କୁ ନେବାଆଣିବା କରାଯାଇଛି।

ବର୍ତ୍ତମାନ କିନ୍ତୁ ଏସମସ୍ତ ଆମ୍ବୁଲାନ୍ସ୍ ଗୁଡ଼ିକୁ ଚଳାଇବାକୁ ଚାଳକ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଉକ୍ତ ଡାକ୍ତରଖାନାରେ ବହୁବର୍ଷ ଧରି ଏକ ଛୋଟ ଆମ୍ବୁଲାନ୍ସ୍‌ ରହିଥିଲା। ୧୨ ବର୍ଷ ତଳେ ସ୍ଥାନୀୟ ବିଧାୟକ ତଥା ବର୍ତ୍ତମାନ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ ବିଧାୟକ ଉନ୍ନୟନ ପାଣ୍ଠିରୁ ଏକ ଉନ୍ନତମାନର ଆମ୍ବୁଲାନ୍ସ୍ ପ୍ରଦାନ କରିଥିଲେ। ଯାହାକି ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତରରେ ବେଶ୍ ସହାୟକ ହୋଇପାରୁଥିଲା। ଏହାପରେ ଏଠାରେ ଅଧିକ ଆମ୍ବୁଲାନ୍ସ୍‌ର ଆବଶ୍ୟକତାକୁ ଅନୁଭବ କରି ବର୍ଷେ ତଳେ, ଆଉ ଏକ ଅତ୍ୟାଧୁନିକ ଲାଇଫ୍‌ ସର୍ପୋଟ୍‌ ଆମ୍ବୁଲାନ୍ସ୍‌ ପ୍ରଦାନ କରିଥିଲେ। ଗୁରୁତର ରୋଗୀଙ୍କୁ ଜିଲ୍ଲା ଓ ଜିଲ୍ଲା ବାହାର ଡାକ୍ତରଖାନାକୁ ରେଫର୍ କରିବା ସହ ଡାକ୍ତରଖାନାରେ ସୁସ୍ଥ ହେଉଥିବା ‌ରୋଗୀମାନଙ୍କୁ ସେମାନଙ୍କ ଘରେ ଛାଡ଼ିବାକୁ ଏହି ଆମ୍ବୁଲାନ୍ସ୍‌ର ବ୍ୟବହାର ହୋଇଥାଏ। ଏଥିସହ ବିଭିନ୍ନ ରକ୍ତଦାନ ଶିବିର ଆୟୋଜନରେ ପ୍ରମୁଖ ଭୂମିକା ନେଇଥାଏ।

ଉକ୍ତ ତିନିଟି ଆମ୍ବୁଲାନ୍ସ୍‌ ଦ୍ବାରା ୨୦୨୧ରେ ବିଭିନ୍ନ ମେଡିକାଲ୍‌କୁ ୧୦୮ ଜଣ ‌ରୋଗୀଙ୍କୁ ଓ ୨୦୨୨ରେ ୩୭୨ ଜଣଙ୍କୁ ରେଫର୍ କରାଯାଇଛି।‌ ସେହିପରି ଲୋକାଲ୍‌ରେ ୨୦୨୧ରେ ୧୫୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୦୨୨ରେ ୧୪୦ ଜଣ ରୋଗୀ ଆମ୍ବୁଲାନ୍ସ୍‌ ବ୍ୟବହାର କରିଛନ୍ତି। ଏଥିସହ ୨୦୨୧ରେ ୫୭ଟି ରକ୍ତଦାନ ଶିବିର ଓ ୨୦୨୨ରେ ୭୨ଟି ରକ୍ତଦାନ ଶିବିରରେ ଆମ୍ବୁଲାନ୍ସ୍‌ ବ୍ୟବହାର କରାଯାଇଥିଲା।
ନିୟମାନୁସାରେ, ତିନିଟିଯାକ ଆମ୍ବୁଲାନ୍ସ୍‌କୁ ଚଳାଇବାକୁ ୩ ଜଣ ଚାଳକ ରହିବା କଥା। ଜଣେ ଚାଳକଙ୍କୁ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଯାଇଛି। ଏଭଳି ପରିସ୍ଥିତିରେ ଗତ ସପ୍ତାହରେ ଜଣେ ଚାଳକ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ଜଣେ ମାତ୍ର ଚାଳକଙ୍କ ଉପରେ ଏହି ୩ଟି ଆମ୍ବୁଲାନ୍ସ୍‌ ଚଳାଇବା ଦାୟିତ୍ବ ପଡ଼ିଛି। ଫଳରେ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ଅନେକାଂଶରେ ୧୦୮ ଆମ୍ବୁଲାନ୍ସ୍‌ ଆବଶ୍ୟକତା ମେଣ୍ଟାଉଥିବା ବ‌େଳେ କିଲୋମିଟର ପ୍ରତି ୬ ଟଙ୍କା ଦରରେ ରୋଗୀମାନେ ବ୍ରହ୍ମପୁର ସମେତ ଭୁବନେଶ୍ବର ଭଳି ସ୍ଥାନକୁ ଚିକିତ୍ସା ପାଇଁ ଯାଇପାରୁଥିଲେ। କିଛି କ୍ଷେତ୍ରରେ ମାଗଣାରେ ମଧ୍ୟ ରୋଗୀଙ୍କୁ ନିଆଯାଉଥିବା ମେଡିକାଲ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟାନ୍ତ ଚାଳକ ନଥିବାରୁ ଆଗକୁ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି।