ଏମ୍‌କେସିଜି ମେଡିକାଲ କଲେଜରେ ରହିଛି ମାତ୍ର ୧୩ ୟୁନିଟ୍‌ ରକ୍ତ, ରୋଗୀଙ୍କୁ ଦିଆଯାଉଛି ଏକ୍ସଚେଞ୍ଜ ସେବା

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପରିସରରେ ଥିବା ରକ୍ତଭଣ୍ଡାର ଖାଲି ପଡିଛି। ହଜାର ହଜାର ସଂଖ୍ୟାରେ ରକ୍ତ ୟୁନିଟ୍‌ ରହୁଥିବା ସ୍ଥାନରେ ଏବେ ମାତ୍ର ୧୩ ୟୁନିଟ୍‌ ରହିଛି। ଫଳରେ ରୋଗୀ ରକ୍ତ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ବଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ଅଭାବ ଜନିତ ସମସ୍ୟା ନିହାତି ଚିନ୍ତାର ବିଷୟ ହୋଇଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଯେ ସାଧାରଣ ‘ଓ’ ପଜିଟିଭ୍‌ ରକ୍ତ ମାତ୍ର ୨ୟୁନିଟ୍‌ ରହିଛି। ରକ୍ତଦାନ ଶିବିର ସଂଖ୍ୟା ହ୍ରାସ ପାଇଥିବାରୁ ରକ୍ତ ଅଭାବ ଦେଖାଦେଇଛି। ଏଣୁ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ କିଛି କରିପାରୁ ନାହାନ୍ତି। ରକ୍ତ ନଥିବାରୁ ରୋଗୀଙ୍କୁ ଏକ୍ସଚେଞ୍ଜ ସେବା ଦିଆଯାଉଛି। ଯେଉଁ ରୋଗୀଙ୍କୁ ରକ୍ତ ଆବଶ୍ୟକ ପଡ଼ୁଛି ତାଙ୍କର ସମ୍ପର୍କୀୟ ରକ୍ତଦାନ କରୁଛନ୍ତି। ଏହାପରେ ରୋଗୀଙ୍କ ପାଇଁ ରକ୍ତ ଦିଆଯାଉଛି।

କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ତଥାପି ଲୋକଙ୍କ ମନରୁ ଭୟ ଯାଇ ନାହିଁ। ବିଭିନ୍ନ କ୍ଷେତ୍ର କରୋନା ଯୋଗୁଁ ପ୍ରଭାବିତ ହୋଇଛି। ରକ୍ତଦାନ ଶିବିର ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। କରୋନା ସଂକ୍ରମଣ ଭୟ ଯୋଗୁଁ ରକ୍ତଦାନ ଶିବିର ଆୟୋଜନ କରିବା ପୂର୍ବରୁ ସ୍ବେଚ୍ଛାସେବୀ ସଙ୍ଗଠନ ଗୁଡ଼ିକ ବାରମ୍ବାର ଚିନ୍ତା କରୁଛନ୍ତି। ଏଣୁ ରକ୍ତ ୟୁନିଟ୍‌ ସଂଖ୍ୟା ହ୍ରାସ ପାଇଛି। ଅନ୍ୟପଟେ ରକ୍ତଭଣ୍ଡାରରୁ ପ୍ରାୟ ୧ହଜାର ପାଖାପାଖି ଥାଲାସେମିଆ, ହିମୋଫିଲିଆ, ଏଚ୍ଆଇଭି ଆକ୍ରାନ୍ତ ରୋଗୀଙ୍କୁ ମାଗଣାରେ ରକ୍ତ ପ୍ରଦାନ କରାଯାଉଛି। ରକ୍ତ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଏହି ରୋଗୀମାନେ ରକ୍ତ କିପରି ପାଇବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏମ୍‌କେସିଜିକୁ ବିଭିନ୍ନ ଦୁର୍ଘଟଣାରେ ଗୁରୁତର ହୋଇ ରୋଗୀ ଆସିଥାନ୍ତି। ଏଣୁ ଜରୁରୀକାଳୀନ ପରସ୍ଥିତିରେ ଡୋନର୍‌ ନଥିଲେ ମଧ୍ୟ ରୋଗୀଙ୍କୁ ରକ୍ତ ଦିଆଯାଉଛି। ସେହିପରି ଜରୁରୀକାଳୀନ  ଅପରେସନ୍‌ ଏବଂ ପ୍ରସୂତିଙ୍କୁ ମାଗଣାରେ ରକ୍ତ ଦିଆଯାଉଛି। ଏମ୍‌କେସିଜି ମେଡିକାଲ ରକ୍ତଭଣ୍ଡାରରୁ ଦୈନିକ ପ୍ରାୟ ଶହେ ୟୁନିଟ୍‌ ରକ୍ତ ରୋଗୀଙ୍କୁ ଦିଆଯାଇଥାଏ। ବର୍ତ୍ତମାନ ରକ୍ତଭଣ୍ଡାର ଖାଲି ହୋଇ ପଡ଼ିଥିବାରୁ କେବଳ ଏକ୍ସଚେଞ୍ଜ ପଦ୍ଧତିରେ ରୋଗୀ ରକ୍ତ ପାଉଛନ୍ତି। ଆସନ୍ତା ୧୪ତାରିଖରେ ବିଶ୍ବ ରକ୍ତଦାତା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଶିବିର ରହିଛି। ସେଠାରୁ କିଛି ୟୁନିଟ୍‌ ରକ୍ତ ଆସିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଆଶା କରିଛନ୍ତି।

ସାଧାରଣତଃ ଖରାଦିନ ଆସିଲେ ରକ୍ତ ଅଭାବ ଜନିତ ସମସ୍ୟା ଦେଖା ଦେଇଥାଏ। ଖରାଦିନରେ ଶିବିର ସଂଖ୍ୟା କମିବାରୁ ସମସ୍ୟା ହୋଇଥାଏ ବୋଲି ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି। ଆଗକୁ ଶିବିର ବଢ଼ିଲେ ପୁଣିଥରେ ରକ୍ତ ୟୁନିଟ୍‌ ବଢ଼ିବ ବୋଲି ସେ କହିଛନ୍ତି। ଏପ୍ରିଲ୍‌ ଓ ମେ ମାସରେ ରକ୍ତ ଅଭାବ ସମସ୍ୟା ଅଧିକ ଜଟିଳ ହୋଇଥାଏ। ଖରାଦିନରେ ରକ୍ତଦାନ କରିବାକୁ ଲୋକେ ଆଗ୍ରହ ପ୍ରକାଶ କରୁ ନଥିବାରୁ ରକ୍ତ ସଂଗ୍ରହ କମିଥାଏ। ଏଣୁ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ସ୍ବେଚ୍ଛାସେବୀମାନେ ରକ୍ତଦାନ କରିବା ନିମନ୍ତେ ଆଗେଇ ଆସିବାକୁ ଆହ୍ବାନ କରାଯାଇଛି।

ରକ୍ତଭଣ୍ଡାରରେ ଗଚ୍ଛିତ ରକ୍ତ

ଏ-ପଜିଟିଭ୍= ୪ ଏ-ନେଗେଟିଭ୍= ୦

ଏବି-ପଜିଟିଭ୍= ୨ ଏବି-ନେଗେଟିଭ୍= ୧

ବି-ପଜିଟିଭ୍= ୪ ବି-ନେଗେଟିଭ୍= ୦

ଓ-ପଜିଟିଭ୍= ୨ ଓ-ନେଗେଟିଭ୍= ୦

ସମ୍ବନ୍ଧିତ ଖବର