ଚାଲିଛି ଖୋଲାଖୋଲି ଦେହ ବେପାର: ଧରାହେଲେ ରାଣୀ ମହୁମାଛି ସହ ଦୁଇ ନାବାଳିକା

ଟାର୍ଗେଟରେ ବାଂଲାଦେଶୀ ଯୁବତୀ

ପୁରୀ: ପୁରୀରେ ଚାଲିଛି ଖୋଲାଖୋଲି ଦେହ ବେପାର। ଏ ସବୁ ଘଟଣା ସମ୍ପର୍କରେ ପୁଲିସ ଜାଣି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ରହୁଛି। ତେବେ ଆଜି ଜଣେ ବାଂଲାଦେଶୀ ନାବାଳିକା ବସ୍‌ଷ୍ଟାଣ୍ଡରେ କାନ୍ଦି କାନ୍ଦି ଜଣେ ବସ୍‌ କର୍ମଚାରୀଙ୍କୁ କଲିକତା ଯିବା ପାଇଁ ନେହୁରା ହେବା ପରେ ଘଟଣାଟି ପୁଲିସ ପାଖକୁ ଯାଇଥିଲା। ଏହାପରେ ଏହି ନାବାଳିକାକୁ ଧରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ରାଣୀ ମହୁମାଛି ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଦୁଇ ଜଣ ଜଣେ ବାଂଲାଦେଶୀ ନାବାଳିକାକୁ ମାସିକ ୨୦ ହଜାର ଟଙ୍କାରେ ଚାକିରୀ କରାଇ ଦେବାକୁ କହି ପୁରୀକୁ ଆଣିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି ଯେ ଆଜି ଜଣେ ନାବାଳିକା ପୁରୀ ବସ୍‌ଷ୍ଟାଣ୍ଡରେ କାନ୍ଦି କାନ୍ଦି ଜଣେ କଣ୍ଡକ୍ଟରଙ୍କୁ କଲିକତା ନେଇଯିବାକୁ କହିଥିଲା। ଏଭଳି ଅବସ୍ଥା ଦେଖି କଣ୍ଡକ୍ଟର ଜଣକ ଏହି ନାବାଳିକାକୁ ଘରୋଇ ବସ୍‌ ମାଲିକ ସଂଘର କାର୍ଯ୍ୟାଳୟକୁ ନେବାରୁ ସେମାନେ ଘଟଣା ସମ୍ପର୍କରେ ଚାଇଲ୍ଡଲାଇନ ଓ କୁମ୍ଭାରପଡ଼ା ଥାନାକୁ ଖବର ଦେଇଥିଲେ। ତେଣୁ ଚାଇଲ୍ଡ ଲାଇନର ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ର ଓ ସଂଯୋଜିକା ଯଶୋଦା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ପଚାରିବାରୁ ନାବାଳିକା ଜଣକ ବଙ୍ଗଳା ଭାଷାରେ ନିଜକୁ ବାଂଲାଦେଶୀ ବୋଲି ପରିଚୟ ଦେଇଥିଲା। ଚିତ୍ରା ନାମକ ଜଣେ ଯୁବତୀ ତାଙ୍କୁ ମାସିକ ୨୦ ହଜାର ଟଙ୍କାର ଚାକିରୀ ଦେବାକୁ କହି ପୁରୀକୁ ଆଣିଥିଲା। ଏହି ନାବାଳିକା ଭଳି ଅନେକ ଯୁବତୀ ଓ ନାବାଳିକାକୁ ଚିତ୍ରା ଆଣି ପୁରୀର ବଳିଆପଣ୍ଡା ଥାନା ଅଞ୍ଚଳରେ କୌଣସି ଏକ ସ୍ଥାନରେ ରଖିଥିବା କହିଥିଲା। ତେବେ ‌ଏହି ନାବାଳିକା ଜଣକ ତାଙ୍କୁ ଦେହ ବ୍ୟବସାୟ ପାଇଁ ଅଣାଯାଇଥିବା ଜାଣିବା ପରେ ଏହାର ବିରୋଧ କରିଥିଲା। ତେଣୁ ଚିତ୍ରା ତା’ର ମୋବାଇଲ ଓ ଅନ୍ୟ ସବୁକୁ ଛଡ଼ାଇ ରଖି ତାକୁ ତଡ଼ି ଦେଇଥିଲା। ତେଣୁ ବାଧ୍ୟ ହୋଇ ସେ କୌଣସି ପ୍ରକାର ବସ୍‌ଷ୍ଟାଣ୍ଡକୁ ଆସି ଏଠାରୁ କଲିକତାକୁ ଚାଲିଯିବା ପାଇଁ ଚେଷ୍ଟା କରିଥିଲା।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ଏବଂ ଚାଇଲ୍ଡ ଲାଇନ୍‌ ବଳିଆପଣ୍ଡା ଥାନା ଇଲାକାରେ ଖୋଜାଖୋଜି କରିବା ପରେ ବିଫଳ ହୋଇ ଏହି ନାବାଳିକା ମାଧ୍ୟମରେ ଚିତ୍ରାକୁ ଖୋଜାଖୋଜି କରିଥିଲା। ନାବାଳିକା ମାଧ୍ୟମରେ ଚିତ୍ରାକୁ ଫୋନ୍‌ କରିବାରୁ ସେ ବସ୍‌ଷ୍ଟାଣ୍ଡରେ ଥିବା କହିଥିଲା। ତେଣୁ ପୁଲିସ ବସ୍‌ଷ୍ଟାଣ୍ଡରେ ପହଞ୍ଚି କୌଶଳକ୍ରମେ ଚିତ୍ରା ଓ ଅନ୍ୟ ଜଣେ ନାବାଳିକାକୁ ଧରିବାରେ ସକ୍ଷମ ହୋଇଥିଲା। ଏବେ ଏନେଇ ଚାଇଲ୍ଡଲାଇନ ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅ‌ଭିଯୋଗକ୍ରମେ କୁମ୍ଭାରପଡ଼ା ଥାନାରେ ପୁଲିସ ଏକ ମାମଲା ରୁଜୁ କରିଛି। ଏହି ରାଣୀ ମହୁମାଛି ସମେତ ଦୁଇ ନାବାଳିକାକୁ ଅଟକ ରଖି ପୁଲିସ ଖୋଳତାଡ଼ ଚଳାଇଛି। ନାବାଳିକା ଜଣକ ବୟାନକୁ ଆଧାର କରି ଅନ୍ୟ ଯୁବତୀ ଓ ନାବାଳିକାମାନଙ୍କୁ ପୁଲିସ ଖୋଜାଖୋଜି କରୁଛି। ବିଶ୍ବ ପ୍ରସିଦ୍ଧ ପୁରୀ ଭଳି ଏକ ପବିତ୍ର ଧର୍ମସ୍ଥଳୀରେ ବହୁ ମାତ୍ରାରେ ହୋଟେଲ, ଲଜିଂ ଆଦି ରହୁଥିବା ବେଳେ ଅନେକ ଛୋଟ ହୋଟେଲ ଓ ଲଜିଂ ମାଲିକମାନେ ଅଳ୍ପ ସମୟରେ ଅନେକ ଅର୍ଥ ଉପାର୍ଜନ କରିବା ଲୋଭରେ ଏହି ଦେହ ବ୍ୟବସାୟକୁ ପ୍ରୋତ୍ସାହନ ଦେଉଥିବା ନେଇ ଅଭିଯୋଗ ଉଠିଛି। ତେଣୁ ଏଠାରେ ଅନେକ ହୋଟେଲ ଓ ଲଜିଂରେ ଦେହ ବେପାର ଚାଲୁଥିବା ପୁଲିସ ଜାଣୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛି। ତେବେ ଆଜିର ଘଟଣାରୁ ଜଣାପଡ଼ିଛି ଯେ ବାଂଲାଦେଶର ଏହି ନାବାଳିକାମାନଙ୍କୁ କଲିକତାକୁ ଆଣି ସେଠାରେ ତାଙ୍କର ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଉଛି। ଏହାପରେ ସେମାନଙ୍କୁ ଦେହ ବ୍ୟବସାୟ ପାଇଁ ବିଭିନ୍ନ ଅଞ୍ଚଳକୁ ପଠାଇ ଦିଆଯାଉଛି। ଏଥିପାଇଁ କଲିକତାର ଏହି ଗ୍ୟାଙ୍ଗ୍‌ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର