ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ପ୍ରଦର୍ଶନ ସୂଚକାଙ୍କ ତଥା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ୨.୦ରେ ଓଡ଼ିଶା ଦେଶରେ ୨୪ତମ ସ୍ଥାନରେ ରହିବା ପରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ନେଇ ଶିକ୍ଷାବିତ୍ମାନେ ଚିନ୍ତାପ୍ରକଟ କରିଛନ୍ତି। ସ୍କୁଲ ରୂପାନ୍ତରଣରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଶିକ୍ଷା ମନ୍ତ୍ରଣାଳୟର ଏହି ରିପୋର୍ଟ ସ୍କୁଲଗୁଡ଼ିକର ବାସ୍ତବ ସ୍ଥିତିକୁ ଦର୍ଶାଇଛି। ହେଲେ ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛି।
ଶ୍ରୀ ପାତ୍ର କହିଛନ୍ତି ଯେ ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଦ୍ବାରା ପୁରସ୍କୃତ ହେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ରୢାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଓଡ଼ିଶାରେ ପ୍ରାୟ ୮ହଜାର ହାଇସ୍କୁଲରେ ରୂପାନ୍ତରଣ କରାଯାଉଛି ଯାହାକି ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛି। ଓଡ଼ିଶା ଆରମ୍ଭ କରିଥିବା ମୋ ସ୍କୁଲ ଅଭିଯାନ ଯାହାକି େଦଶରେ ଅତୁଳନୀୟ ଏବଂ ଏହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟଗୁଡ଼ିକର ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟରେ ଓଡ଼ିଶା ରୢାଙ୍କିଂରେ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଖରାପ ଭାବେ ଦର୍ଶାଇବା ଏବଂ ଓଡ଼ିଶାବାସୀଙ୍କୁ ବଦନାମ୍ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ। ଆଶ୍ଚର୍ଯ୍ୟର କଥା ଯେ ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମାନ୍ୟତାରେ ମଧ୍ୟ ହ୍ରାସ କରାଯାଇଛି। ଆମେ ଏହି ମୂଲ୍ୟାୟନକୁ ମାନ୍ୟତା ଦେଉନାହୁଁ କାରଣ ଏହା ଯୋଗ୍ୟତା ଅପେକ୍ଷା ରାଜନୀତି ସହ ଅଧିକ ଜଡ଼ିତ।