ଯୋଡ଼ା: କେନ୍ଦୁଝର ଜିଲ୍ଲାର ଖଣି ରାଜଧାନୀ ଯୋଡ଼ା ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତାଘାଟ। ଚାରିଆଡ଼େ ନାଲି ଧୂଳିଧୂଆଁର ଆସ୍ତରଣ। ମାଟି ତଳେ ଲକ୍ଷଲକ୍ଷ କୋଟିର ଖଣିଜ ସମ୍ପଦ, କିନ୍ତୁ ଉପରେ ଡାକ୍ତରଖାନା ଯିବାକୁ ରାସ୍ତାଟିଏ ନାହିଁ। ରାଜସ୍ବ ଅଛି, କାମ ଆଗଉନି। ସବୁଠି ଭଙ୍ଗାଗଢ଼ାର ଅଧପନ୍ତରିଆ ନିର୍ମାଣ। ୨୦୧୫ରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିକୁ ୧୧ ହଜାର କୋଟି ଦେଇଥିବା ଯୋଡ଼ା ଖଣି ମଣ୍ଡଳ ବିକାଶ କ୍ଷେତ୍ରରେ ସଂପୂର୍ଣ୍ଣ ଅବହେଳିତ। ବିପଦସଙ୍କୁଳ ରାସ୍ତା ପାଇଁ ବାମେବାରି, କାଳିମାଟି ଅଞ୍ଚଳକୁ ୪-୫ବର୍ଷ ଧରି ଯାତ୍ରୀବାହୀ ବସ ବନ୍ଦ ହୋଇଯାଇଛି। ଏହାଦ୍ବାରା ଯୋଡ଼ା ଓ ଝୁମ୍ପୁରା ବ୍ଲକ୍‌ର ହଜାର ହଜାର ଲୋକ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ପଳାଶପଙ୍ଗା-ଯୋଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ଲୋକମାନେ ଯୋଡ଼ା ବ୍ଲକ୍‌ କାର୍ଯ୍ୟାଳୟକୁ ମଧ୍ୟ ଯାଇପାରୁନାହାନ୍ତି। ଯୋଡ଼ା ଭାୟା ବାମେବାରିରୁ ପଳାଶପଙ୍ଗା ରାସ୍ତା ମରଣଯନ୍ତା ପାଲଟିଛି। ଯୋଡ଼ାରୁ ପଳାଶପଙ୍ଗା ପ୍ରାୟ ୪୫ କିମି ରାସ୍ତାକୁ ୬ ଥାକିଆ ନିର୍ମାଣ ନିମନ୍ତେ ଓଡ଼ିଶା ସରକାର କିଛି ମାସ ପୂର୍ବରୁ ୧୪ଶହ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହାର ଟେଣ୍ଡର ଶେଷ ହୋଇଛି। ଜମି ଅଧିଗ୍ରହଣ ହୋଇ ନ ଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ରାସ୍ତା ସମ୍ପ୍ରସାରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ସମୟରେ ପୂର୍ତ୍ତ ବିଭାଗ ନୋଟିସ ଜାରି କରି ବସିଯାଉଥିବାରୁ କାମ ଆଗେଇ ପାରୁନାହିଁ। ଜିଲ୍ଲାର ଦୁଇ ପ୍ରମୁଖ ରାଜପଥ ରିମୁଳି-ରାଜାମୁଣ୍ଡା ଏନ୍‌ଏଚ୍‌-୫୨୦ର ଯୋଡ଼ା ଏବଂ ପାଣିକୋଇଲି-ରିମୁଳି ଏନ୍‌ଏଚ୍‌-୨୦ର ପଳାଶପଙ୍ଗା ସହିତ ଏହି ୬ଥାକିଆ ରାସ୍ତା ସିଧାସଳଖ ସଂଯୋଗ କରିବ। ମାତ୍ର ତାହା ଯୋଜନାରେ ହିଁ ଅଟକି ରହିଛି। 
ଅନ୍ୟପଟେ ୨୦୧୮ରେ ଯୋଡ଼ାରୁ ବାମେବାରି ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ନିମନ୍ତେ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ୫ ବର୍ଷ ଧରି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଲା ଯେ ଏଯାଏଁ ସଂପୂର୍ଣ୍ଣ ହୋଇ ପାରିଲାନି। ଯୋଡ଼ାରୁ ବାମେବାରି ମଧ୍ୟରେ ବାଂଶପାଣି ଓଭରବ୍ରିଜ୍‌ ରାସ୍ତା, ଜୁରୁଡ଼ି ଓ ବାମେବାରି ଛକ ରାସ୍ତା ସମ୍ପ୍ରସାରଣ ହୋଇପାରୁନାହିଁ। ଏହି ରାସ୍ତାରେ ରହିଥିବା ଜରାଜୀର୍ଣ୍ଣ ପୋଲଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବର୍ଷାଦିନରେ କମାରଯୋଡ଼ା, ବାଂଶପାଣି ଓଭରବ୍ରିଜ୍‌, ଜୁରୁଡ଼ି ଛକ ନିକଟ ପୋଲ ରାସ୍ତାରେ ବାଇକ୍, ଛୋଟ ଯାନବାହନ ଚଳାଚଳ କରି ପାରୁନାହିଁ। ପୂର୍ତ୍ତ ବିଭାଗ ରାସ୍ତା ମରାମତି କରୁନଥିବାରୁ ବାଂଶପାଣିଠାରେ ଆଜି ଯୋଡ଼ା ଟ୍ରକ୍ ମାଲିକ ସଂଘ ପକ୍ଷରୁ ମାଟି ପକାଇ ଖାଲଗୁଡ଼ିକୁ ସମତୁଲ କରାଯାଇଥିଲା। ଲଗାଣ ବର୍ଷାରେ ଏହି ମାଟି କେତେଦିନ ରହିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସମ୍ବିତ ମହାନ୍ତି କହିଛନ୍ତି, ଯୋଡ଼ାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ଜମି ଅଧିଗ୍ରହଣ ପରେ କାମ ଆରମ୍ଭ କରାଯିବ। ଏ ବିଷୟରେ ଜୋନ୍‌-୨୮ ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଦା କହିଛନ୍ତି ଯେ ଖଣି ଟଙ୍କା ଖଣି ଅଞ୍ଚଳବାସୀଙ୍କ କଲ୍ୟାଣରେ ଲାଗୁନାହିଁ। ଡିଏମ୍‌ଏଫ୍‌ର ସୁବିନିଯୋଗ କରିବାକୁ ସେ ଦାବି କରିଛନ୍ତି।