ଭଦ୍ରକ: ଅନ୍ୟଦଳ କର୍ମୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା

୨୦୨୪ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତି

ଭଦ୍ରକ : ୨୦୨୪ ସାଧାରଣ ନିର୍ବାଚନ ନେଇ ରଣକୌଶଳ ପ୍ରସ୍ତୁତ କରିବାକୁ ଆସନ୍ତା ୨୬ରେ ଭଦ୍ରକ ଆସିବେ ବରିଷ୍ଠ ବିଜେପି ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭଦ୍ରକରେ ବିଜେପିର ସ୍ଥିତି ସୁଦୃଢ ହେଉଥିବା ବେଳେ ଏହି ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଅମିତ ଶାହ ଭଦ୍ରକ ଆସି ଦଳୀୟ ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିବେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ହାରରେ ବିଜେପି ଦ୍ବିତୀୟରେ ରହିଥିଲା। ଜିଲ୍ଲାର ୫ ବିଧାନସଭା କ୍ଷେତ୍ରରୁ କେବଳ ଗୋଟିଏ ବିଧାନସଭା କ୍ଷେତ୍ର ଧାମନଗରରେ ବିଜେପି ବିଜୟୀ ହୋଇଥିବା ବେଳେ ଅନ୍ୟ ଆସନରେ ବିଜେପି ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ଭାବେ ରହିଥିଲା। ଭଦ୍ରକ ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେଡିଠାରୁ ବିଜେପି ଅଳ୍ପ ଭୋଟ ‌ବ୍ୟବଧାନରେ ପରାଜିତ ହୋଇଥିଲା। ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ବିଜୟୀ ହେବା ପରେ ଜିଲ୍ଲ‌ାରେ ସବୁ ନିର୍ବାଚନମଣ୍ଡଳୀରେ ବିଜେପି ତାର ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏଥିପାଇଁ ଦଳ ଅମିତ ଶାହଙ୍କୁ ଭଦ୍ରକ ଆଣି ବିଜେପିର ଏକ ପ୍ରାକ୍ ନିର୍ବାଚନୀ ହାୱା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

ଅମିତ ଶାହ ଭଦ୍ରକ ଆସି ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠକୁ ଯାଇ ଦର୍ଶନ କରିବା ପରେ କର୍ମୀ ସମାବେଶରେ ଯୋଗ ଦେବେ। ଅମିତ ଶାହଙ୍କ ଆଗରେ ଆରଡି ପୀଠର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ପ୍ରସ୍ତାବିତ ୨୦ ନମ୍ବର ଜାତୀୟ ରାଜପଥ ଆରଡି, ଚାନ୍ଦବାଲି ଓ ଧାମରାକୁ ସଂଯୋଗ କରିବା ନେଇ ବିଜେପି ଶ୍ରୀ ଶାହଙ୍କ ନିକଟରେ ପ୍ରସ୍ତାବ ରଖିପାରେ। ଧାମନଗର ଛକରେ ଆଇଓସିଏଲ ପକ୍ଷରୁ ହେବାକୁ ଥିବା ଟେକ୍ସଟାଇଲ ପାର୍କ ଓ ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବି, ଧାମରାରୁ ଭଦ୍ରକ ସ୍ବତନ୍ତ୍ର ରାଜପଥ ନିର୍ମାଣ ଓ ଭଦ୍ରକ-ଧାମରା ରେଳପଥରେ ପାସେଞ୍ଜର ଚଳାଚଳ ନେଇ ଦାବି ରଖିବ ‌ବୋଲି ଶୁଣାଯାଉଛି। କେବଳ ସେତିକି ନୁହେଁ ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ମଧ୍ୟ ଅମିତ ଶାହଙ୍କ ଆଗରେ ଦାବି ରଖିବେ ବୋଲି ଆଲୋଚନା ହେଉଛି। ଅମିତ ଶାହଙ୍କ ଗସ୍ତ ବେଳେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରାଯିବା ନେଇ ଅନ୍ୟ ଦଳର ନେତାଙ୍କୁ ଦଳରେ ମିଶାଇବାକୁ ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର