ଗାଁରେ ଟଙ୍କାବଣ୍ଟାକୁ ନେଇ ଉତ୍ତେଜନା,ଦୁଇ ଗୋଷ୍ଠୀ ବାଡ଼ିଆପିଟା

ଭଦ୍ରକ/ଧାମନଗର/ଅସୁରାଳି: ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରିବା ଅଭିଯୋଗରେ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଦା ଓ ଦଇପୁର ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି। ଦଇପୁର ପଞ୍ଚାୟତର ଗୋଟିଏ ଗ୍ରାମରେ ଏକ ନିର୍ଦ୍ଦିଷ୍ଟ ଦଳ ଦ୍ୱାରା ଦିଆଯାଇଥିବା ଟଙ୍କା ଭାଗବଣ୍ଟାକୁ ନେଇ ଏସ୍‌ଏଚ୍‌ଜି ମହିଳାମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଗ୍ରୁପ୍‌ରେ ଥିବା କିଛି ମହିଳାଙ୍କୁ ଟଙ୍କା ନ ମିଳିବାରୁ ସେଠାରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସେହିପରି ରବିବାର ସନ୍ଧ୍ୟାରେ କରଦା ପଞ୍ଚାୟତର ଏକ ଗ୍ରାମରେ ଜଣେ ଲୋକ ପ୍ରତିନିଧିଙ୍କ ସମ୍ପର୍କୀୟ ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଯୁବକମାନଙ୍କ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି। ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ସେ ଟଙ୍କା ଦେଇ ପ୍ରବର୍ତ୍ତାଉଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ମାର୍‌ପିଟ ହୋଇଥିଲା। ଏପରିକି ଟଙ୍କା ବାଣ୍ଟିବାକୁ ଆସିଥିବା ଲୋକଙ୍କୁ ଗୋଟିଏ ପକ୍ଷ ବାନ୍ଧି ପକାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଅଟକ ରଖିଥିଲେ।  ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା। ପୁଲିସ ଫୋର୍ସଙ୍କୁ ନେଇ ଧାମନଗର ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର