ଶ୍ରୀକାନ୍ତ ସାହୁ
ବାରିପଦା: ଦିନେ ସମୁଦ୍ର ତଳେ ବୁଡ଼ିଥିଲା ମୟୂରଭଞ୍ଜର ବାରିପଦା ସହର। ଏଠାରେ ଥିଲା ଶହଶହ ମିଟର ଉଚ୍ଚର ସମୁଦ୍ର ଜଳ। ଏଇଠି ଦିନେ ଖେଳୁଥିଲେ ବିଶାଳ ସାର୍କ। ଏଥିସହ ବିଶ୍ବରୁ ବିଲୁପ୍ତପ୍ରାୟ ରେମ୍ପଛାଟ୍‌ ମାଛ, ଅଷ୍ଟି, ମୋଲାସ୍କା ଶାମୁକା ପ୍ରଚୁର ପରିମାଣରେ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟ ବୁଢ଼ାବଳଙ୍ଗ ନଦୀ ଉପଶଯ୍ୟାର କୁଳିଅଣା-ଡେରାଠାରୁ ପ୍ରତାପପୁର ଯାଏଁ  ବିରଳରୁ ଅତିବିରଳ ଶିଳାସ୍ତର ରହିଛି। ଏହି ଶିଳାସ୍ତରରୁ ମିଳିଥିବା ଜୀବାଶ୍ମରୁ ବାରିପଦା ସହରର ପୂର୍ବସ୍ଥିତି ବାବଦରେ ଧାରଣା ମିଳିଛି।

Advertisment

ମିଓସିନ୍ ଯୁଗର ପ୍ରମାଣ ଦେଉଛି ଶିଳାସ୍ତର, ଜୀବାଶ୍ମ

୨୦୧୩ ମସିହାରେ ପଞ୍ଜାବ ବିଶ୍ବବିଦ୍ୟାଳୟର ଗବେଷକ ଡ. କେ.ଏମ୍‌. ଶର୍ମା ପ୍ରଥମେ ଏନେଇ ଗବେଷଣା କରିବା ସହ ନିଜ ରିପୋର୍ଟ ଉପସ୍ଥାପନ କରିଥିଲେ। ନିକଟରେ ଏହି ରିପୋର୍ଟକୁ ଅନୁ ମୋଦନ ମିଳିବା ସହ ତାଙ୍କ ଗ‌ବେଷଣା ପାଇଁ ପିଏଚ୍‌ଡି ପାଇଛନ୍ତି ଡ. ଶର୍ମା। ଏମ୍‌ପିସି କଲେଜର ଭୂତତ୍ତ୍ବ ବିଭାଗର ଏକ ଟିମ୍‌ ମଧ୍ୟ ଗତ ସପ୍ତାହରେ ଏହି ଜୀବାଶ୍ମର ନମୁନା ସଂଗ୍ରହ କରିଥିଲେ। ସେମାନେ ପାଇଥିବା ନମୁନାରୁ ଡ. ଶର୍ମାଙ୍କ ରିପୋର୍ଟର ସତ୍ୟତା ଥିବା କୁହାଯାଉଛି। ଡ. ଶର୍ମାଙ୍କ ରିପୋର୍ଟ ଅନୁଯାୟୀ, କୁଳିଅଣାରୁ ପ୍ରତାପପୁର ମଧ୍ୟରେ ରହିଛି ଏହି ଶିଳାସ୍ତର। ଏହି ଶିଳାସ୍ତର ମିଓସିନ୍ ଯୁଗର ଅର୍ଥାତ୍‌ ପ୍ରାୟ ୧୨.୬ରୁ ୮.୩ ନିୟୁତ ବର୍ଷ ପୂର୍ବର। ଏଠାରେ ସାର୍କର ଦାନ୍ତ, ଗେଲିଓରାଇନସ୍ ଓ ରାଇଜୋପ୍ରିଓଡନ୍ ଭଳି ପ୍ରଜାତିର ଜଳଜୀବଙ୍କ ଜୀବାଶ୍ମ ସନ୍ଧାନ ପାଇଥି‌ଲେ ଡ. ଶର୍ମା। ସେହିପରି ପ୍ରାକ୍-କେମ୍ବ୍ରିଆନ୍ ଯୁଗର ପରିବର୍ତ୍ତିତ ପ୍ରସ୍ତର ଉପରେ ଏହି ଜୀବାଶ୍ମର ଅବସ୍ଥିତି ମିଳିଥିବା ବେଳେ ଏହାର ନିମ୍ନଭାଗରେ ସବୁଜିଆ ସେଲ୍, ମଧ୍ୟଭାଗରେ ଚୂନପଥର ଓ ଉପରେ ପୁନର୍ବାର ସବୁଜ ରଙ୍ଗର ସେଲ୍ ରହିଥିବାରୁ ଏହିଠାରେ ସମୁଦ୍ର ଥିବା ସ୍ପଷ୍ଟ ହେଉଛି ବୋଲି ଡା. ଶର୍ମା ନିଜ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି।

ଏନେଇ ଏମ୍‌ପିସି କଲେଜର ଗବେଷକ ଡ. ଦେବବ୍ରତ ନନ୍ଦୀ ଓ ଡ. ଉତ୍ସବ ଦାସଙ୍କ କହିବା କଥା; ଏହି ଅଞ୍ଚଳ ପ୍ରାଚୀନ କାଳରେ ୮୦ ମିଟରରୁ ଅଧିକ ଗଭୀରର ଅମ୍ଳଜାନଯୁକ୍ତ ସାମୁଦ୍ରିକ ଅଞ୍ଚଳ ଥିଲା। ମିଓସିନ୍ ଯୁଗରେ  ହିମାଳୟ-ଆଲ୍‌ଫା ଉତ୍‌ଥାନ, ଟେଥିସ୍ ସାଗରର ବନ୍ଦ ହେବା ଭଳି ଭୂତାତ୍ତ୍ୱିକ ଘଟଣା ଫଳରେ ସାମୁଦ୍ରିକ ପରିବର୍ତ୍ତନ ଘଟିଛି। ତେଣୁ ଏହା ଉପରେ ଅଧିକ ଅଧ୍ୟୟନ ଜରୁରି। ହେଲେ ଏହି ଜୀବାଶ୍ମ ମିଳିଥିବା ସ୍ଥାନରୁ ଅଳ୍ପ ଦୂରରେ ରାସ୍ତା ନିର୍ମାଣ ସହ ବେଆଇନ ଖନନ ଚାଲୁଥିବାରୁ ଏହାର ପ୍ରମାଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସରକାର ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ଜରୁରି ବୋଲି ଡ. ନନ୍ଦୀ ଓ ଡ. ଦାସ ନିବେଦନ କରିଛନ୍ତି। ସେହିପରି ଉଚ୍ଚତର ଗବେଷଣା ହେଲେ ଭାରତର ପ୍ରାଗ୍‌ ଐତିହାସିକ ସମୟର ସାମୁଦ୍ରିକ ଅବସ୍ଥିତି ଓ ପରିବେଶ ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ଏମ୍‌ପିସି କଲେଜର ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ସାହୁ।