ଧାମନଗର: ଗତକାଲି ବିଳମ୍ବିତ ରାତିରେ ଧାମନଗର ଥାନା ସନ୍ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମ୍ରୁ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଗ୍ୟାସ କର୍ଟରରେ କାଟିବା ବେଳେ ନିଆଁ ଲାଗି ମେସେଜ ଆସିବାରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି।
ଧାମନଗର ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମ୍ରୁ ଲୁଟ୍ ପାଇଁ ଡ଼କାୟତମାନେ ପଶି ଏଟିଏମ୍ ମେସିନ୍କୁ ଗ୍ୟାସ କର୍ଟରରେ କାଟିଥିଲେ। ସେଠାରେ ସର୍ଟସର୍କିଟ ହେବାରୁ ଏଟିଏମ୍ରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ବାଲେଶ୍ବର ଏସ୍ଟିଏଫ ମନୋଜ ରାଉତଙ୍କ ପାଖରୁ ମୁମ୍ବାଇରୁ ଏକ ମେସେଜ ଆସିଥିଲା। ଶ୍ରୀ ରାଉତ ଧାମନଗର ଥାନାକୁ ମେସେଜ କରିବା ପରେ ଏହି ସମୟରେ ଏଟିଏମ୍ର ସାଇରନ୍ ବାଜି ଉଠିଥିଲା। ସଂଗେ ସଂଗେ ଧାମନଗର ଥାନାଅଧିକାରୀ ବନମାଳି ବାରିକ ସଦଳବଳେ ଏଟିଏମ୍ ନିକଟରେ ପହଞ୍ଚିବାକ୍ଷଣି ଡ଼କାୟତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଦମକଳବାହିନୀ ଆସି ଉକ୍ତ ଏଟିଏମ୍ରେ ନିଆଁ ଲିଭାଇଥିଲେ।
ପୁଲିସ ଡକାୟତମାନଙ୍କ ପିଛାକରି ଯାଇଥିବା ବେଳେ ସେମାନେ ଦ୍ରୁତଗତିରେ ୧୬ନମ୍ବର ଜାତୀୟ ରାଜପଥର ଭଦ୍ରକ ଆଡ଼କୁ ପଳାଇଥିଲେ। ପରେ ପୁଲିସ ବିଭିନ୍ନ ଜାଗାରେ ଯାଞ୍ଚ କରିବା ସହ ବିଭିନ୍ନ ଥାନାକୁ ମଧ୍ୟ ଖବର ଦେଇ ଲୁଟେରାଙ୍କୁ ଠାବ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ଆଜି ସକାଳେ ମାକୋର୍ଣା ବରି ରାସ୍ତାର ନୟନଜୋରିରୁ ଏଟିଏମ୍ ଲୁଟରେ ବ୍ୟବହାର କରାଯାଇଥିବା ଗ୍ୟାସ କର୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ମିଳିବା ପରେ ଡକାୟତମାନେ ସେଠାରେ ଫୋପାଡ଼ି ଦେଇ ଦିଗ ପରିବର୍ତ୍ତନ କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ସେଠାରୁ ମଧ୍ୟ (ଡ଼ବ୍ଲ୍ୟୁ ବି୦୨ଏକେ-୩୬୮୬) ଗାଡ଼ି ନମ୍ବର ପ୍ଲେଟ୍ ପୁଲିସ ଜବତ କରିଛି।
ପୁଲିସ ସନ୍ଦେହରେ ଜଣେ ଅଭିଯୁକ୍ତକୁ ଆଣି ପଚରାଉଚରା ଆରମ୍ଭ କରିଛି। ତେବେ ଧାମନଗର ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅପରପକ୍ଷରେ ଗତକାଲି ରାତିରେ କୁଆଖିଆ ଏଟିଏମ୍ରୁ ଲୁଟ୍ କରି ଲୁଟେରାମାନେ ଦୋବଲ ଏଟିଏମ୍ରେ ଲୁଟ୍ ଉଦ୍ୟମ କରିଥିଲେ। ଦୋବଲ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ତଳ ମହଲାରେ ବ୍ୟାଙ୍କର ବହି ପ୍ରିଣ୍ଟିଂ ମେସିନ୍ ଥିଲାବେଳେ ବ୍ୟାଙ୍କର ମୁଖ୍ୟ ଫାଟକକୁ କାଟି ପ୍ରିଣ୍ଟିଂ ମେସିନ୍କୁ ଏଟିଏମ୍ ଭାବି କାଟି ବିଫଳ ହେବା ପରେ ଧାମନଗର ଏଟିଏମ୍ରୁ ଲୁଟ୍ ଉଦ୍ୟମ କରିଥିଲେ। ସନ୍ଧ୍ୟାରେ ଧର୍ମଶାଳା ଓ କୁଆଖିଆ ଥାନାର ଅଧିକାରୀମାନେ ଧାମନଗର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଥାଉକି ଗତକାଲି ଅପରାହ୍ଣରେ ଏହି ଏଟିଏମ୍ରେ ୩୫ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିବା ବେଳେ ରାତିରେ ଲୁଟ ଉଦ୍ୟମ ହୋଇଥିଲା। ଆଜି ସକାଳେ ଏଟିଏମ୍ରୁ ୩୫ ଲକ୍ଷ ଟଙ୍କା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।