ବାରିପଦା : କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ଅନ୍ୟ ଅତିଥିମାନେ ବି ମଞ୍ଚାସୀନ ଥିଲେ। ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ୧୧.୪୫ ମିନିଟ୍‌ ପାଖାପାଖି ରାଷ୍ଟ୍ରପତି ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ। ୨-୩ ମିନିଟ୍ ଭାଷଣ ଦେଇଛନ୍ତି କି ନାହିଁ, ହଠାତ୍ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଗଲା। ପ୍ରେକ୍ଷାଳୟ ସାରା ଅନ୍ଧାର ଛାଇଗଲା। କିନ୍ତୁ ଏସି ଓ ସାଉଣ୍ଡ ସିଷ୍ଟମ୍‌ କାମ କରୁଥିଲା।

Advertisment

ରାଷ୍ଟ୍ରପତିଙ୍କ ସଭାରେ ଆଜି ଘଟିଥିବା ଏଭଳି ଅଭାବନୀୟ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି। ଦେଶର ପ୍ରଥମ ନାଗରିକଙ୍କ କ୍ଷେତ୍ରରେ ଘଟିଥିବା ଏହି ଘଟଣା ଦାୟିତ୍ବହୀନତା ଓ ବେପରଵା ମନୋଭାବର ଉଦାହରଣ ବୋଲି ଅନେକ ବର୍ଣ୍ଣନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମସ୍ତେ ଘେରିଲେଣି। କେହି କେହି ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ଅନ୍ୟ କିଛି ମହଲରେ ସଂପୃକ୍ତ ଅଞ୍ଚଳରେ ଦାୟିତ୍ବରେ ଥିବା ବିଦ୍ୟୁତ୍ ବଣ୍ଟନ କଂପାନିର ଲାଇସେନ୍‌ସ ରଦ୍ଦ ଦାବି ଉଠିଲାଣି। ରାଜନୈତିକ ମହଲରେ ଏହାକୁ ଏକ ବଡ଼ ତ୍ରୁଟି ବୋଲି ବିଚାର କରାଯାଉଛି। ହେଲେ ସରକାର ଏନେଇ ମୁହଁ ଖୋଲିନାହାନ୍ତି।
ପ୍ରଶ୍ନ ଉଠୁଛି, ଏଭଳି ଲାଇନ୍ କଟିବା ଉଦ୍ଦେଶ୍ୟମୂଳକ ନଥିଲା ତ? ଯଦି ଏହି ସମୟରେ କିଛି ଅଘଟଣ ଘଟିଥାନ୍ତା? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ଜୋର ଧରୁଛି।

ମହନୀୟତା ଦେଖାଇଲେ ରାଷ୍ଟ୍ରପତି,
କହିଲେ ଅନ୍ଧାର ଯେତିକି, ଆଲୁଅ ସେତିକି...
ଦୋଷ ମାନିଲାନି ଟିପିଏନ୍‌ଓଡିଏଲ୍‌, ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଘଟଣା ପାଇଁ ମର୍ମାହତ, ଇସ୍ତଫା‌ ଦେବାକୁ ପ୍ରସ୍ତୁତ ଅଛି: କୁଳପତି

ଅନ୍ୟପକ୍ଷରେ ରାଷ୍ଟ୍ରପତି କିନ୍ତୁ ଆଜି ପୁଣି ନିଜ ମହନୀୟତା ପ୍ରକଟ କରିଛନ୍ତି। ବିଦ୍ୟୁତ୍ କାଟ୍ ହୋଇଥିଲେ ବି ଶ୍ରୀମତୀ ମୁର୍ମୁ ଅଭିଭାଷଣ ବନ୍ଦ କରି ନଥିଲେ। ପୋଡିୟମ୍‌ର ମିଞ୍ଜିମିଞ୍ଜି ଆଲୁଅରେ ବକ୍ତବ୍ୟ ଦେଇଚାଲିଥିଲେ। ତାଙ୍କ ମୁହଁରେ କାଣିଚାଏ ବି ପରିବର୍ତ୍ତନ ‌ଦେଖିବାକୁ ମିଳି ନଥିଲା। ବରଂ ପରିସ୍ଥିତିକୁ ସ୍ବାଭାବିକ କରିବାକୁ ଯାଇ ରାଷ୍ଟ୍ରପତି କହିଥିଲେ, ଅନ୍ଧାର ଯେତିକି-ଆଲୁଅ ସେତିକି, ଏଇ ଯେ ଗହନ ବନ...। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଏଇ ଦୁଇପଦ କଥା ଶୁଣିବା ପରେ ଶ୍ରୋତାଙ୍କ କରତାଳିରେ ଅଡିଟୋରିୟମ୍‌ ଗୁଞ୍ଜରିତ ହୋଇଉଠିଥିଲା। ପ୍ରାୟ ୧୦ ମିନିଟ୍‌ ଧରି ସେ ଅନ୍ଧାରରେ ଅଭିଭାଷଣ ଦେବା ପରେ ବିଦ୍ୟୁତ୍‌ ସରବରାହ ସ୍ବାଭ‌ାବିକ ହୋଇଥିଲା।

ତେବେ ଦେଶର ପ୍ରଥମ ନାଗରିକ, ମୟୂରଭଞ୍ଜ ମାଟିର ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭାଭାଷଣ ସମୟରେ ହୋଇଥିବା ଏପରି ବିଭ୍ରାଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବିଦ୍ୟୁତ୍‌ ସରବରାହ ସଂସ୍ଥା ଟିପିଏନ୍‌ଓଡିଏଲ୍‌ର ବାଲେଶ୍ବର ରେଞ୍ଜ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ସଫେଇ ଦେଇଛନ୍ତି ଯେ ଆମ ତରଫରୁ କିଛି ତ୍ରୁଟି ନାହିଁ। ବିଦ୍ୟୁତ୍‌ କାଟ୍‌ ହୋଇନାହିଁ। ଯଦି ବିଦ୍ୟୁତ୍‌ କାଟ୍ ହୋଇଥାଆନ୍ତା, ତେବେ ଏସି ଓ ସାଉଣ୍ଡ ସିଷ୍ଟମ୍‌ କିପରି କାମ କରୁଥିଲା? ଏହି ଘଟଣା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ।

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, ପ୍ରେକ୍ଷାଳୟର ଦାୟିତ୍ବ ଇଡ୍‌କୋ ନେଇଥିଲା। ଇଡ୍‌କୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍‌ ସରବରାହର ଯାଞ୍ଚ ହୋଇଥିଲା। ଏମିତି କି ୩ ଦିନ ଧରି ବ୍ୟବସ୍ଥା ବାବଦ ଅଭ୍ୟାସ କରାଯାଇଥିଲା। ତା ପରେ କାହିଁକି ଏପରି ହେଲା ବୋଲି ଜାଣିବା ପାଇଁ ଇଡ୍‌କୋ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ତାହା ଜାଣିବା ସମ୍ଭବ ହୋଇନାହିଁ। ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛୁ। ବିଦ୍ୟୁତ୍‌ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ଜୟନ୍ତ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପୂରା ଘଟଣା ପାଇଁ ମୁଁ ଦୁଃଖିତ ଓ ମର୍ମାହତ। ଦରକାର ପଡ଼ିଲେ ନିଜ ପଦରୁ ଇସ୍ତଫା ଦେବାକୁ ବି ପ୍ରସ୍ତୁତ ଅଛି। ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କୁ ପଚରାଯିବାରୁ ସେ ଘଟଣା ଅତି ସମ୍ବେଦନଶୀଳ ଓ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି। ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଇଛି। ଆର୍‌ଡିସି ବୈଠକ ଡକାଇଛନ୍ତି। ସେଇଠି ଏ ବାବଦରେ ଆଲୋଚନା ହେବ। ଅବ୍ୟବସ୍ଥା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଘଟଣା ପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶା‌ଅ ନୋଟିସ୍‌ ଜାରି କରିଛନ୍ତି। ତିନି ଦିନ ଭିତରେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ ହେବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା ଗଣମାଧ୍ୟମକୁ କହିଛନ୍ତି।
ଆଜିର ଏହି ଘଟଣା ବେଳେ ରାଷ୍ଟ୍ରପତି ଆଦୌ ଅସହଜ ମନେ ନକରି ପରିସ୍ଥିତିକୁ ସମ୍ଭାଳି ‌ନେବା, ତାଙ୍କ ମହାନତା ବୋଲି କୁହାଯାଇପାରେ। ହେଲେ ବ୍ୟବସ୍ଥା ଯେ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଥିଲା, ଏହି ଘଟଣା ତାର ଜ୍ୱଳନ୍ତ ଦୃଷ୍ଟାନ୍ତ। ନୈତିକତା ଦୃଷ୍ଟିରୁ କୁଳପତି ସବୁ ଦୋଷ ନିଜ ଉପରକୁ ନେଲେ। ଦୁଃଖ ପ୍ରକାଶ କଲେ, କ୍ଷମା ବି ମାଗିଲେ। କିନ୍ତୁ ସମ୍ପୂର୍ଣ୍ଣ ପ୍ରକରଣଟି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନେଇ କାଠଗଡ଼ାରେ ଛିଡ଼ା କରାଇଦେଇଛି।