ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀବିହାରରେ ଲାଗିଛି କଳଙ୍କ। କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି। କ୍ୟାମ୍ପସ ଭିତରେ ଜଣେ ବରିଷ୍ଠ ପ୍ରଫେସର ନିଜ ରୁମ୍‌ରେ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ରୁମ୍‌ ଭିତରେ ଟଣାଓଟରା କରିବା ସହ ଜୋର ଜବରଦସ୍ତ ନିର୍ଯାତନା ଉଦ୍ୟମ କରିବାକୁ ପଛାଇ ନାହାନ୍ତି। କେବଳ ସେତିକି ନୁ‌ହେଁ, ଘଟଣା ପ୍ରଘଟ ନ କରିବାକୁ ଚେତାବନୀ ଦେଇଛନ୍ତି। ମାସେ ତଳେ ଅର୍ଥାତ୍‌ ଅଗଷ୍ଟ ୧୬ରେ ଏଭଳି ଘଟଣା ଘଟିଥିଲେ ହେଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ସେକ୍ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ହେଲେ ନିର୍ଯାତନା ଦେଇଥିବା ପ୍ରଫେସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୬ ତାରିଖ ଅପରାହ୍ଣ ୨ଟାରେ ବହି ଆଣିବାକୁ ବିଭାଗର ଜଣେ ପ୍ରଫେସରଙ୍କ ନିକଟକୁ ଯାଇଥିବା ସମୟରେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିଲେ। ରୁମ୍‌କୁ ଯିବା ପୂର୍ବରୁ ପ୍ରଫେସରଙ୍କ ଅନୁମତି ନେଇଥିଲେ। ମାତ୍ର ରୁମ୍‌କୁ ପ୍ରବେଶ ପରେ ପ୍ରଫେସର ଜଣକ ତାଙ୍କୁ ବସିବାକୁ କହିଥିଲେ। କିଛି ସମୟ ପରେ ପ୍ରଫେସର ଜଣକ ନିଜର ଅସଲ ରୂପ ଦେଖାଇଥିଲେ। ଛାତ୍ରୀଙ୍କ ନିକଟତର ହେବା ସହ ଅସଦାଚରଣ କରିଥିଲେ। ପ୍ରଫେସରଙ୍କ ଏଭଳି କାର୍ଯ୍ୟକୁ ଛାତ୍ରୀ ଜଣକ ଯଥାସମ୍ଭବ ବିରୋଧ କରିଥିଲେ ମଧ୍ୟ ନିର୍ଯ୍ୟାତନା କମିନଥିଲା। ଏବିଷୟରେ ପ୍ରଘଟ ନ କରିବାକୁ ମଧ୍ୟ ସେ ଧମକ ଦେଇଥିଲେ।

Advertisment

ବରିଷ୍ଠ ପ୍ରଫେସରଙ୍କ ବିରୋଧରେ କୁଳପତିଙ୍କୁ ଚିଠି
ମାସେ ତଳୁ ଜାଣିଲେଣି, କାର୍ଯ୍ୟାନୁଷ୍ଠାନ ନାହିଁ

ଛାତ୍ରୀ ଜଣକ ଆହୁରି କରିଥିଲେ ଯେ ଏହି ଘଟଣା ସମ୍ପର୍କରେ କାହାକୁ କହିବାକୁ ସାହସ ପାଇ ନ ଥିଲା। ପରିବାରରେ ମା’ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଜଣାଇବା ସମ୍ଭବ ନଥିଲା। ତେବେ କ୍ୟାମ୍ପସରେ ଏଭଳି ଘଟଣା ଘଟିଥିବା ପରିପ୍ରେକ୍ଷୀରେ ଛାତ୍ରୀଜଣକ ମାନସିକ ଭାବେ ଭାଙ୍ଗି ପଡ଼ି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ‌ ଇତିମଧ୍ୟରେ ଗୋଟିଏ ମାସ ବିତିବାକୁ ବସିଲାଣି। ହେଲେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବିଭିନ୍ନ ଆଡ଼ୁ ଘଟଣାକୁ ନିନ୍ଦା କରାଯିବା ପରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଏବେ ତନାଘନା ଆରମ୍ଭ କରିଛି। କ୍ୟାମ୍ପସରେ ଘନଘନ ବୈଠକ ବସିବା ସହ ଅଭିଯୋଗର କେତେ ସତ୍ୟତା ରହିଛି ତଦନ୍ତ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇସିସିର ସଦସ୍ୟମାନେ ଛାତ୍ରୀଙ୍କୁ ଡାକି ଅଭିଯୋଗ ‌ଶୁଣିଛନ୍ତି। ତେବେ ସମ୍ପୃକ୍ତ ପ୍ରଫେସରଙ୍କ 
ବିରୋଧରେ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏମିତିକି ତଦନ୍ତ ଚାଲିଥିବାରୁ ତାଙ୍କ ଉପରେ କୌଣସି ପ୍ରକାର କଟକଣା ଲାଗି ନାହିଁ। ବରଂ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଫେସରଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ପର୍କରେ ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀ ମୁହଁ ଖୋଲି ନାହାନ୍ତି। ଆଇସିସି ମୁଖ୍ୟ ମଧ୍ୟ ସମ୍ପୂର୍ଣ୍ଣ ନିରବ। ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗର ତଦନ୍ତ ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯିବ।